Latest Odisha News

BREAKING NEWS

ବିର୍ସା ମୁଣ୍ଡା ଷ୍ଟାଡିୟମ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି? କ୍ରୀଡ଼ାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ତଥ୍ୟରେ ନାହିଁ ତାଳମେଳ

ଭୁବନେଶ୍ୱର:  ବିଶ୍ୱକପ୍ ହକି ପାଇଁ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଉଦଘାଟନ ହୋଇଛି। କିନ୍ତୁ ଏହି ଷ୍ଟାଡିୟମ ନିର୍ମାଣ ନେଇ ରାଜ୍ୟ ସରକାର ଘୋଷଣା କରିଥିବା ବ୍ୟୟବରାଦରେ ତାଳମେଳ ରହୁନାହିଁ। ଯାହାକୁ ନେଇ ବିଜେପି ଘେରିଛି। ଏ ନେଇ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ବିରୋଧୀ ବିଜେପି ଦାବି କରିଛି।

ଗୁରୁବାର ଷ୍ଟାଡିୟମକୁ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୬୧ କୋଟି ଟଙ୍କା ବ୍ୟୟରେ ୧୫ ମାସ ମଧ୍ୟରେ ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ ନିର୍ମାଣ ହୋଇଛି ବୋଲି ଘୋଷଣା କରିଥିଲେ। ତେବେ ଏହା ପୂର୍ବରୁ ନଭେମ୍ବର ୨୪ ତାରିଖରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ବିର୍ସା ମୁଣ୍ଡା ଷ୍ଟାଡିୟମ ଓ କଳିଙ୍ଗ ଷ୍ଟାଡିୟମ ପାଇଁ ୮୭୫ କୋଟି ୭୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ସୂଚନା ଦେଇଥିଲେ।

କଳିଙ୍ଗ ଷ୍ଟାଡିୟମ ନିର୍ମାଣ ହୋଇସାରିଥିବା ବେଳେ ୮୭୫.୭୮ କୋଟି ଟଙ୍କାର ସିଂହ ଭାଗ ବିର୍ସା ମୁଣ୍ଡା ଷ୍ଟାଡିୟମ ନିର୍ମାଣରେ ଯାଇଥାନ୍ତା ବୋଲି ଅନେକ ଯୁକ୍ତି ବାଢୁଛନ୍ତି। ଯାହାକି ବିର୍ସା ମୁଣ୍ଡା ଷ୍ଟାଡିୟମ ପାଇଁ ରାଜ୍ୟ ସରକାର କହୁଥିବା ୨୬୧ କୋଟି ଟଙ୍କା ତୁଳନାରେ ଏହା ସମ୍ପୂର୍ଣ୍ଣ ବୀପରିତ। କ୍ରୀଡ଼ାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ତଥ୍ୟରେ ତାଳମେଳ ନଥିବା ନେଇ ପ୍ରଶ୍ନ ଉଠାଇବା ସହ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ବିଜେପି ଦାବି କରିଛି।

ବିରୋଧୀ ଦଳ କହିଛି, ଲୋକଙ୍କ ଟଙ୍କାରେ ଷ୍ଟାଡିୟମ ନିର୍ମାଣ କରାଯାଇଛି। ଲୋକମାନେ ପ୍ରକୃତରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ଜାଣିବା ଦରକାର। ଷ୍ଟାଡିୟମରେ ପ୍ରକୃତ ଖର୍ଚ୍ଚ ଓ ପାରିପାର୍ଶ୍ୱିକ ବିକାଶ ନେଇ ରାଜ୍ୟ ସରକାର ସ୍ପଷ୍ଟ ଚିତ୍ର ଦିଅନ୍ତୁ ବୋଲି ବିଜେପି ବିଧାୟକ ଶଙ୍କର ଓରାମ କହିଛନ୍ତି। ସେପଟେ ବିଜେଡି ଡିଏମ୍ଏଫ୍ ପାଣ୍ଠିର ଅପବ୍ୟବହାର କରି ନିଜ ଦଳର ପପ୍ରଚାର ଚଳାଇଛି ବୋଲି ବରିଷ୍ଠ ବିଜେପି ନେତା କୁସୁମ ଟେଟେ ଅଭିଯୋଗ କରିଛନ୍ତି। ଷ୍ଟାଡିୟମ ନିର୍ମାଣ ନାଁରେ ପୋଷ୍ଟରରେ ନିଜ ଫଟୋ ଛାପି ନିଜ ଦଳର ପ୍ରଚାର ପାଇଁ ଡିଏମ୍ଏଫ୍ ପାଣ୍ଠିର ଅପବ୍ୟବହାର କରି ବିଜେଡି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ବିଧାୟକ ଟେଟେ କହିଛନ୍ତି।

ସୂଚନା ଅନୁୟାୟୀ, କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ଷ୍ଟାଡିୟମର ସମ୍ପ୍ରସାରଣ ଓ ନିର୍ମାଣ ପାଇଁ ଡିଏମ୍ଏଫ୍ ପାଣ୍ଠିରୁ ୧୩୬.୮୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ବିଭିନ୍ନ ପ୍ରକଳ୍ପରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ଉଲ୍ଲେଖ କରି ଫଳକ ଲଗାଇବାକୁ ବିରୋଧୀ ବିଜେପି ଦାବି କରିଛି। ଅପରପକ୍ଷରେ ସେମାନଙ୍କ ବିଜ୍ଞାପନରେ ଷ୍ଟାଡିୟମର ଆକାରକୁ ନେଇ ରାଜ୍ୟ ସରକାରଙ୍କ ଦାବି ମଧ୍ୟ ସନ୍ଦେହ ଘେରରେ ରହିଛି।

Leave A Reply

Your email address will not be published.