ଭୁବନେଶ୍ୱର: ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖ ଦୁଇ ଦିନ ଧରି ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ଉପରେ ସମସ୍ତଙ୍କର ନଜର ରହିଛି।
ଏହି ବୈଠକରେ ମେଣ୍ଟର ପ୍ରମୁଖ ନିଷ୍ପତ୍ତି ସବୁ ନିଆଯିବ। ସେ ଭିତରେ ମେଣ୍ଟର ଲୋଗୋକୁ ନେଇ ଆଲୋଚନା ଜୋର ଧରିଛି। ବୈଠକ ପୂର୍ବରୁ ଲୋଗୋ ପ୍ରସ୍ତୁତ ହୋଇସାରିଛି ବୋଲି ଚର୍ଚ୍ଚା ହେଉଛି।
ସୂଚନା ଅନୁଯାୟୀ ବିରୋଧୀ ମେଣ୍ଟ ଇଣ୍ଡିଆ ଲୋଗୋରେ ଜାତୀୟ ପତାକାର ତିନି ରଙ୍ଗ ସହିତ ଅତିରିକ୍ତ ନୀଳ ରଙ୍ଗ ବ୍ୟବହାର କରାଯିବ। ଅଗଷ୍ଟ ୩୧ କିମ୍ବା ସେପ୍ଟେମ୍ବର ଏକ ତାରିଖ ସକାଳୁ ଲୋଗୋ ଉନ୍ମୋଚନ ହେବ ବୋଲି କୁହାଯାଉଛି।
ଏଥିସହିତ ନିର୍ବାଚନ ଲଢ଼ିବା ପାଇଁ ସିଟ ଫର୍ମୁଲା ପ୍ରସ୍ତୁତ କରିବାକୁ ୧୧ ଜଣିଆ କମିଟି ଘୋଷଣା ହେବ। ଯାହାକୁ ନେଇ ଏବେ ରାଜନୈତିକ ବାତାବରଣ ସରଗରମ ହୋଇଛି।
ବୈଠକରେ ୨୬ ବିରୋଧୀ ଦଳର ପ୍ରାୟ ୮୦ ଜଣ ନେତା ସାମିଲ ହେବେ। ଏଥିରେ ପାଞ୍ଚୋଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ସୋନିଆ ଗାନ୍ଧୀ ତଥା ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେବେ।
ଇଣ୍ଡିଆ ନାଁକୁ ନେଇ ବିଜେପି ସମେତ ଏନଡିଏର ଅନ୍ୟ ସହଯୋଗୀ ଦଳଗୁଡିକ ବିରୋଧୀଙ୍କୁ ଲଗାତର ଟାର୍ଗେଟ କରିବା ଜାରି ରଖିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିରୋଧୀଙ୍କୁ ଇଣ୍ଡିଆ ନାଁ ନେଇ ଟାର୍ଗେଟ କରିଛନ୍ତି । ଏପରିକି ଏହି ନାଁକୁ ନେଇ ଆଇନଗତ ଲଢେଇ ମଧ୍ୟ ଆରମ୍ଭ ହୋଇଛି ।
ତେଣୁ ଏଭଳି ସ୍ଥିତିରେ ଏବେ ଲୋଗୋରେ ଜାତୀୟ ପତାକା ରଂଗକୁ ନିଆଯିବ ବୋଲି କୁହାଯାଉଥିବାରୁ ଏହାକୁ ନେଇ ଆଉ ଏକ ବଡ ବିବାଦ ସୃଷ୍ଟି ହୋଇପାରେ ବୋଲି ଆଲୋଚନା ଆରମ୍ଭ ହୋଇଛି ।
ସେପଟେ ବିରୋଧୀ ବୈଠକକୁ ସଫଳ କରିବା ପାଇଁ ଶରଦ ପାୱାର, ଉଦ୍ଧବ ଠାକରେ ଓ ଅଶୋକ ଚୌହାନ ପ୍ରମୁଖ ଲାଗି ପଡିଥିବା କଂଗ୍ରେସ ନେତା ନସିମ ଖାନ କହିଛନ୍ତି। ମୁମ୍ବାଇରେ ରାଜନୀତି ସରଗରମ ହେଉଥିବା ବେଳେ ବିରୋଧୀ ଦଳର ତୃତୀୟ ତଥା ନିର୍ଣ୍ଣାୟକ ବୈଠକକୁ ନେଇ ଆଲୋଚନା ଜୋର ଧରିଛି।