ଭୁବନେଶ୍ବର: କ୍ଷମତାକୁ ଫେରିଲେ ମୁଖ୍ୟମନ୍ତ୍ରୀ ହେବିନାହିଁ । ଯେଉଁମାନେ କଂଗ୍ରେସକୁ ଫେରିବେ ସେମାନଙ୍କୁ ବିନା ସର୍ତ୍ତରେ ଗ୍ରହଣ କରାଯିବ । ରାଜ୍ୟ କଂଗ୍ରେସର ମଙ୍ଗ ଧରିବା ପରେ ଆଜି କିଛି ଏମିତି ବଡ ବୟାନ ଦେଇଛନ୍ତି ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ ।
ବହୁ ଆଲୋଚନା ଏବଂ ସମାଲୋଚନା ପରେ ରାଜ୍ୟ କଂଗ୍ରେସକୁ ତାର ମୁଖିଆ ମିଳିଛି । ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ଭାବେ ଚୟନ କରିଛନ୍ତି କଂଗ୍ରେସ ହାଇକମାଣ୍ଡ । ବର୍ତ୍ତମାନ ରାଜ୍ୟରେ କଂଗ୍ରେସ ସ୍ଥିତି କିଛି ସେତେଟା ଭଲ ନଥିବାରୁ ଏହାକୁ ନେଇ ନିଜର ମତ ରଖିଛନ୍ତି ଭକ୍ତ । ସେ କହିଛନ୍ତି, ଯଦି ପୁଣି ଥରେ କଂଗ୍ରେସ କ୍ଷମତାକୁ ଆସେ, ତାହେଲେ ସେ ମୁଖ୍ୟମନ୍ତ୍ରୀ ହେବେ ନାହିଁ । କେବଳ ଦଳ ପାଇଁ କାମ କରିବେ । ଯେଉଁମାନେ ଭଲ କାମ କରିବେ ସେମାନଙ୍କୁ ଗୁରୁତ୍ବ ଦିଆଯିବ । ଆଉ ଯେଉଁମାନେ ବିଭିନ୍ନ କାରଣ ପାଇଁ କଂଗ୍ରେସ ଛାଡିଛନ୍ତି, ବିନା ସର୍ତ୍ତରେ ସେମାନଙ୍କୁ ଗ୍ରହଣ କରାଯିବ ।
ଏଥିସହିତ ଆସନ୍ତା ୧୮ରେ ସେ ଭୁବନେଶ୍ବର ଫେରିବେ ବୋଲି କହିଛନ୍ତି ଭକ୍ତ । ଭୁବନେଶ୍ବର ଫେରିଲା ପରେ ପ୍ରଥମେ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ଭେଟିବେ । ଏହାପରେ ଭୁବନେଶ୍ବରରୁ ପୁରୀ ପଦଯାତ୍ରା କରି ଶ୍ରୀଜିଉଙ୍କୁ ଦର୍ଶନ କରିବେ ବୋଲି କହିଛନ୍ତି କଂଗ୍ରେସର ନୂଆ ପିସିସି ସଭାପତି ଭକ୍ତ ଦାସ ।
Comments are closed.