ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି)ରେ ପୁରାତନ ଛାତ୍ର ସଂଘର ବୈଠକ ଅନୁଷ୍ଠିତ ହୋଇଛି । ଆଇଆଇଏମ୍ସି ପୁରାତନ ଛାତ୍ର ସଂଘ (ଆଇଆଇଏମ୍ସିଏଏ) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ ଶିକ୍ଷାବର୍ଷର ୪ ଶିକ୍ଷାର୍ଥୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି । ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମର ଛାତ୍ରୀ ସୋନାଲି ଓଝାଙ୍କୁ ‘ସଂଯୁକ୍ତା-ସୌଦାମିନୀ ସ୍ମାରକୀ ଆଇଆଇଏମ୍ସିଏଏ ବୃତ୍ତି’, ଆରତି ବେହେରାଙ୍କୁ ‘ଆଇଆଇଏମ୍ସିଏଏ ଛାତ୍ରୀବୃ୍ତ୍ତି’, ଇଂରାଜୀ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରୀ ପ୍ରାଚୀ ରାଠୀଙ୍କୁ ‘ଏସ୍ଟିଏସ୍ ଥିରୁମାଲାଇନାଥନ୍ ପୋନ୍ନାମ୍ମାଲ୍ ସ୍ମାରକୀ ଆଇଆଇଏମ୍ସିଏଏ ବୃତ୍ତି’ ଏବଂ ଛାତ୍ର ଅଭିଷେକ ଶର୍ମାଙ୍କୁ ‘ମହା ପେରିୟାଓ ସ୍ୱାମୀ ଚନ୍ଦ୍ରଶେଖରେନ୍ଦ୍ର ସରସ୍ୱତୀ ସ୍ମାରକୀ ଆଇଆଇଏମ୍ସିଏଏ ବୃତ୍ତି’ ଦିଆଯାଇଛି । ବୃତ୍ତି ବାବଦକୁ ସମସ୍ତଙ୍କୁ ମାନପତ୍ର ସହ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି ।
ଏହି ଅବସରରେ ଉନ୍ନୟନମୂଳକ ସାମ୍ବାଦିକତାରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଇଆଇଏମ୍ସି ଢେଙ୍କାନାଳର ୨୦୧୩-୧୪ ବର୍ଷର ଛାତ୍ର ତଥା ସାମ୍ବାଦିକ କିଶନ୍ ବରାଇଙ୍କୁ ସ୍ୱତନ୍ତ୍ର ଜୁରୀ ପୁରସ୍କାର ପ୍ରଦାନ କରାଯାଇଛି । ଏହାସହ ୨୦୧୯-୨୦ ଶିକ୍ଷାବର୍ଷର ଛାତ୍ରୀ ପ୍ରାଚୀ ରାଠୀଙ୍କୁ ପ୍ରଫେସର କେ.ଏମ୍. ଶ୍ରୀବାସ୍ତବ ସ୍ମାରକୀ ପୁରସ୍କାର, ଅନୁରାଧା ବାରିକଙ୍କୁ ପ୍ରଫେସର ଚିନ୍ତାମଣି ମହାପାତ୍ର ସ୍ମାରକୀ ପୁରସ୍କାର ଓ ଅଙ୍କିତା ସାମଲଙ୍କୁ ପ୍ରଫେସର ବି.ବି. ମହାନ୍ତି ସ୍ମାରକୀ ପୁରସ୍କାର ଦିଆଯାଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆଇଆଇଏମ୍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଉତ୍ତୀର୍ଣ୍ଣ ହେବା ପରେ ଶିକ୍ଷାନୁଷ୍ଠାନ ସହ ଶିକ୍ଷାର୍ଥୀମାନେ ଯୋଡ଼ି ରହିବା ଦରକାର । ଏହାଦ୍ୱାରା କେବଳ ଏକ ଉତ୍ତମ ସମ୍ପର୍କ ଗଢ଼ିହେବନି ବରଂ ଶିକ୍ଷାର୍ଥୀମାନେ ସାମ୍ବାଦିକତାର ବିଭିନ୍ନ ବ୍ୟାବହାରିକ ଦିଗ ସମ୍ପର୍କରେ ଧାରଣା ନେଇପାରିବେ । ଏଥିସହିତ ସଂଗଠନ ପକ୍ଷରୁ ଯେଉଁ ଛାତ୍ରବୃତ୍ତି ଦିଆଯାଉଛି, ତାହା ଏକ ଭଲ ପଦକ୍ଷେପ ବୋଲି ସେ ପ୍ରକାଶ କରିଛନ୍ତି ।
ସେହିପରି ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଜ୍ନେସ୍ ଷ୍ଟାଣ୍ଡାର୍ଡର ବରିଷ୍ଠ ସାମ୍ବାଦିକ ଏସ୍. ସୁନ୍ଦର୍ଶନ କହିଛନ୍ତି, ସାମ୍ବାଦିକତା କ୍ଷେତ୍ରରେ ସାଧାରଣ ବିଚାରଶକ୍ତି ସବୁଠୁଁ ଗୁରୁତ୍ୱପୂର୍ଣ୍ଣ । ବିଶେଷତଃ ବର୍ତ୍ତମାନର ଡିଜିଟାଲ୍ ମିଡିଆର ବହୁଳ ପ୍ରଚଳନ ଫଳରେ ପ୍ରତ୍ୟେକ ସାମ୍ବାଦିକଙ୍କର ଭାଷା ଉପରେ ଦଖଲ ରହିବା ନିହାତି ଜରୁରୀ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଅନ୍ୟତମ ସମ୍ମାନିତ ଅତିଥି ପୁରାତନ ଛାତ୍ର ସଂଘର ଆୟୋଜକ ସମ୍ପାଦକ ବର୍ମା ଯୋଗଦେଇଥିବାବେଳେ ସ୍ୱାଗତ ଭାଷଣ ପ୍ରଦାନ କରିଛନ୍ତି ସଂଗଠନର ଓଡ଼ିଶା ଚାପ୍ଟରର ସଭାପତି ସଞ୍ଜୟ ସାହୁ । ଧନ୍ୟବାଦ ଦେଇଛନ୍ତି ସହକାରୀ ପ୍ରଫେସର ସମ୍ବିତ ପାଲ । ପରେ ଛାତ୍ରଛାତ୍ରୀମାନେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ସମସ୍ତଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ ।