Latest Odisha News

BREAKING NEWS

“ନୂଆ ପ୍ରଯୁକ୍ତି ବିଦ୍ୟା ଜୀବନକୁ ପ୍ରଭାବିତ କରିଥାଏ”: ନିର୍ଦ୍ଦେଶକ ହିମାଂଶୁ ଖଟୁଆ

ଢେଙ୍କାନାଳ: ନୂଆ ପ୍ରଯୁକ୍ତି ବିଦ୍ୟା ଜୀବନକୁ ପ୍ରଭାବିତ କରିଥାଏ । ଦିନକୁ ଦିନ ପ୍ରଯୁକ୍ତି ବିଦ୍ୟାରେ ନୂଆ ଉଦ୍ଭାବନ ଲୋକଙ୍କ ଜୀବନଶୈଳୀକୁ ମଧ୍ୟ ବଦଳାଇବାରେ ଲାଗିଛି ବୋଲି କହିଛନ୍ତି କିଟ୍‍ ସ୍କୁଲ୍‍ ଅଫ୍‍ ସିନେମାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ ।
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ଆରମ୍ଭ ହୋଇଛି ତିନିଦିନିଆ ଚଳଚ୍ଚିତ୍ରଭିତ୍ତିକ କାର୍ଯ୍ୟକ୍ରମ ‘ଫିଲ୍ମି ଚକ୍କର- ୩’ । ପ୍ରଥମ ଦିନରେ ‘ଓଟିଟି ଯୁଗରେ ଚଳଚ୍ଚିତ୍ର’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି ।

ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଶ୍ରୀ ଖଟୁଆ କହିଛନ୍ତି, ପୂର୍ବରୁ ଚଳଚ୍ଚିତ୍ର ନିର୍ମାଣ ଯେତିକି କଷ୍ଟ ଥିଲା ତା’ର ପ୍ରଦର୍ଶନ ତଥା ସାଇତି ରଖିବାର ପଦ୍ଧତି ମଧ୍ୟ ସେତିକି କଷ୍ଟ ଥିଲା । ଧୀରେଧୀରେ ଟେକ୍ନଲୋଜିର ଆଗମନ ସାଉଣ୍ଡ ରେକର୍ଡିଂଠାରୁ ଆରମ୍ଭ କରି ଚଳଚ୍ଚିତ୍ରକୁ ଡିଜିଟାଲାଇଜ୍‍ କରିବାରେ ବେଶ୍‍ ସହାୟକ ହେଲା । ଏବେ ଟେକ୍ନଲୋଜି ଯୋଗୁଁ ଲୋକଙ୍କ ଜୀବନଶୈଳୀ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି । ଏମିତି ଏକ ପରିପ୍ରେକ୍ଷୀରେ ଚଳଚ୍ଚିତ୍ର ଦେଖିବାର ଏକ ନୂଆ ମାଧ୍ୟମ ପାଲଟିଛି ଓଟିଟି । ଏହି ଓଟିଟି ବା ଓଭର୍‍ ଦି ଟପ୍‍ ଦିନକୁ ଦିନ ଯୁବପିଢ଼ିଙ୍କ ପସନ୍ଦ ହେବା ଲାଗିଛି । ଅର୍ଥାତ୍‍, ଆଜିକାଲି ଅନେକେ ମୋବାଇଲ୍‍ ଲାଇଭ୍‍ ଷ୍ଟ୍ରିମିଂ ମାଧ୍ୟମରେ ଚଳଚ୍ଚିତ୍ର ଦେଖିପାରୁଛନ୍ତି । ତେବେ ମୋବାଇଲ୍‍ରେ ଚଳଚ୍ଚିତ୍ର ଦେଖିବା ଓ ହଲ୍‍କୁ ଯାଇ ଚଳଚ୍ଚିତ୍ର ଦେଖିବାରେ ବହୁତ ଫରକ ରହିଛି । ଯେମିତି ଘରେ ପାଠ ପଢ଼ିବା ଓ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବା ଭିତରେ ତଫାତ ରହିଛି । ବଡ଼ ପରଦାରେ ଚଳଚ୍ଚିତ୍ର ନିଶ୍ଚୟ ଏକ ଭିନ୍ନ ଅନୁଭବ ଆଣିଦିଏ ବୋଲି ସେ ପ୍ରକାଶ କରିଛନ୍ତି ।

ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦେଇ ସୁଲେଖକ ତଥା ଆଇଆଇଏମ୍‍ସି ଅମରାବତିର ପୂର୍ବତନ ନିର୍ଦ୍ଦେଶକ ନଦିମ୍‍ ଖାଁ କହିଛନ୍ତି, ସମୟ ସହ ତାଳ ଦେଇ ଲୋକଙ୍କ ଚଳଚ୍ଚିତ୍ର ଦେଖିବାର ଆଗ୍ରହରେ ମଧ୍ୟ କିଛିଟା ପରିବର୍ତ୍ତନ ହୋଇଛି । ଆଗରୁ ଏମିତି କିଛି ଲୋକପ୍ରିୟ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ଚାରି ଦିନ ଆଗରୁ ଲୋକେ ଲାଇନ୍‍ ଦେଇ ଟିକେଟ୍‍ କାଟୁଥିବାର ଉଦାହରଣ ରହିଛି । ଲୋକେ କେବଳ ଚଳଚ୍ଚିତ୍ର ଦେଖନ୍ତିନି, ବରଂ ତାକୁ ନେଇ ନିୟମିତ ଚର୍ଚ୍ଚା କରନ୍ତି । ଚଳଚ୍ଚିତ୍ର ଲୋକଙ୍କୁ ଏକାଠି ଗୋଟିଏ ସ୍ଥାନରେ ବସି ଦେଖିବାର ସୁଯୋଗ ଦେବା ସହ ଏକତାର ସୂତ୍ରରେ ସମସ୍ତଙ୍କୁ ବାନ୍ଧି ରଖିପାରୁଥିଲା । ପରବର୍ତ୍ତୀ ସମୟରେ ଟେଲିଭିଜନ୍‍ରେ ଧାରାବାହିକ ପରିବେଷଣ ହେବା ପରେ ଏଥିରେ ଧୀରେଧୀରେ ପରିବର୍ତ୍ତନ ହେଲା । ଏହା ଓଟିଟିର ମଞ୍ଜି ବୁଣିବାରେ ସାହାଯ୍ୟ କରିଥିଲା ବୋଲି କହିଲେ ଭୁଲ ହେବନି । କାରଣ, ଧାରାବାହିକ ପରେ ଲୋକେ ଘରେ ମନୋରଞ୍ଜନ ଦେଖିବାର ଏକ ସୁଯୋଗ ପାଇଥିଲେ । ବର୍ତ୍ତମାନ ଟେକ୍ନଲୋଜିର ନୂଆ ଉଦ୍ଭାବନ ଲୋକଙ୍କ ଏହି ରୁଚିକୁ ଓଟିଟିରେ ବଦଳାଇଦେଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଆଜିର ଦିନରେ ଇକୋସ୍ଫିୟରର ଗଣତାନ୍ତ୍ରୀକରଣ ହୋଇଛି । ଅର୍ଥାତ୍‍, ଟେକ୍ନଲୋଜିର ଆଗମନ ତଥା ପରୀକ୍ଷାନିରୀକ୍ଷା ଉଭୟ ଅମୃତ ଓ ବିଷ ପ୍ରଦାନ ସଦୃଶ୍ୟ । ଆମେ ଯେଉଁଭଳି ଭାବେ ଏହାର ବ୍ୟବହାର କରିବା, ସେହି ଅନୁସାରେ ଫଳ ପାଇବା । ତେବେ ବର୍ତ୍ତମାନ ସମୟରେ ଓଟିଟି ଲୋକଙ୍କ ରୁଚିକୁ ଆଉ ପାଦେ ଆଗେଇନେଇଛି । ଓଟିଟିର ବିଭିନ୍ନ କାର୍ଯ୍ୟାବଳୀ ମଧ୍ୟରୁ ଭିଡିଓ ଷ୍ଟ୍ରୀମିଂ ଅନ୍ୟତମ । ଆମାଜନ ପ୍ରାଇମ୍‍ ହେଉ କି ନେଟ୍‍ଫ୍ଲିକ୍ସ, ଏସବୁ ମାଧ୍ୟମରେ ଏବେ ଲୋକେ ବିଶେଷତଃ ଯୁବପିଢ଼ି ଚଳଚ୍ଚିତ୍ର, ଧାରାବାହିକ ଆଦି ଦେଖିପାରୁଛନ୍ତି । ତେବେ ଓଟିଟି ଆସିବା ପରେ ଏହା ଚଳଚ୍ଚିତ୍ର ବା ଧାରାବାହିକର ବିଷୟବସ୍ତୁ ଉପରେ ପ୍ରଭାବ ପକାଉଛି କି, ବିତରଣ ବ୍ୟବସ୍ଥା ଉପରେ କି ପ୍ରଭାବ ପକାଉଛି, ଚଳଚ୍ଚିତ୍ର ଶିଳ୍ପ ତଥା ଏ ସମ୍ପର୍କିତ ବାଣିଜ୍ୟ ଉପରେ ଏହାର ପ୍ରଭାବ କ’ଣ ରହିଛି ଆଦି ଉପରେ ଆଲୋଚନାର ପ୍ରାସଙ୍ଗିକତା ରହିଛି ।

ପରବର୍ତ୍ତୀ ବୈଷୟିକ ଅଧିବେଶନରେ ବକ୍ତାଭାବେ ଯୋଗଦେଇ କୋଲ୍‍କାତା ଜାଭିୟର କଲେଜ୍‍ର ପ୍ରଫେସର ତଥା ଚଳଚ୍ଚିତ୍ର ନିର୍ମାତା ଉତ୍ସବ ଚାଟାର୍ଜୀ କହିଛନ୍ତି, ଚଳଚ୍ଚିତ୍ରର ଏକ ସ୍ୱତନ୍ତ୍ର ଭାଷା ରହିଛି । ସେ କେତୋଟି ଓଟିଟି କାର୍ଯ୍ୟକ୍ରମର ଉଦାହରଣ ଦେଇ କହିଛନ୍ତି, ବର୍ତ୍ତମାନର ସମ୍ପୂର୍ଣ୍ଣ ବାସ୍ତବତାକୁ ଚଳଚ୍ଚିତ୍ର ମାଧ୍ୟମରେ ଦେଖାଇବାକୁ ଓଟିଟି ଖୁବ୍‍ ଚେଷ୍ଟା କରୁଛି । ଅର୍ଥାତ୍‍, କୌଣସି ଚରିତ୍ରର ସମ୍ପୂର୍ଣ୍ଣ ସତ୍ୟ ଚିତ୍ରଣ କରିବାଠାରୁ ଆରମ୍ଭ କରି ସଂଳାପ ପର୍ଯ୍ୟନ୍ତ, ସବୁଥିରେ ଶତ ପ୍ରତିଶତ ବାସ୍ତବତା ଦେଖାଇବାକୁ ଚାହୁଁଛି । ସେହିପରି ଅନ୍ୟତମ ସମ୍ମାନିତ ବକ୍ତାଭାବେ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ଲେଖକ ଡ. ପିୟୁଷ ରାୟ କହିଛନ୍ତି, ଓଟିଟି ଆସିବା ପରେ ଚରିତ୍ର କଳାକାର ମୁଖ୍ୟ ଆକର୍ଷଣ ପାଲଟିଛନ୍ତି । ସେହିପରି ବଲିଉଡ୍‍ରେ ଅଣଦେଖା କରାଯାଇଥିବା କିଛି ଅଭିନେତା ଓ ଅଭିନେତ୍ରୀଙ୍କୁ ଏହା ମାଧ୍ୟମରେ ସୁଯୋଗ ମିଳିପାରୁଛି ଏବଂ ଏମାନେ ନିଜ ଅଭିନୟର ଯାଦୁ ମାଧ୍ୟମରେ ସମସ୍ତଙ୍କୁ ବାନ୍ଧି ରଖିପାରୁଛନ୍ତି । ଏହାକୁ ମୋଟାମୋଟିଭାବେ ସୁଯୋଗର ଗଣତାନ୍ତ୍ରୀକରଣ ବୋଲି କହିଲେ ଭୁଲ ହେବନି । ଓଟିଟି ଯୋଗୁଁ ଅନେକେ ଚଳଚ୍ଚିତ୍ର ବା ଧାରାବାହିକ କାର୍ଯ୍ୟକ୍ରମ ନିର୍ମାଣ କରିବାର ସୁଯୋଗ ମଧ୍ୟ ପାଇପାରୁଛନ୍ତି । ମହିଳା ଲେଖକ, ନିର୍ଦ୍ଦେଶକ ମଧ୍ୟ ପୂର୍ବାପେକ୍ଷା ଅଧିକ ସୁଯୋଗ ପାଇଛନ୍ତି ବୋଲି ସେ କିଛି ତଥ୍ୟର ସହ ଉପସ୍ଥାପନ କରିଛନ୍ତି ।

ଅନ୍ୟତମ ସମ୍ମାନିତ ବକ୍ତାଭାବେ ଯୋଗଦେଇ ସମ୍ବଲପୁର ମହିଳା ମହାବିଦ୍ୟାଳୟ ହିନ୍ଦୀ ବିଭାଗୀୟ ମୁଖ୍ୟ ଡ. ଜୟନ୍ତ କର ଶର୍ମା କହିଛନ୍ତି, ଇଣ୍ଟରନେଟ୍‍ ବ୍ୟବହାର ସହଜ ଓ ଶସ୍ତା ହେବା ପରେ ଏହି ଓଟିଟିର ଚାହିଦା ବଢୁଛି । ତେବେ ଲୋକଙ୍କ ରୁଚିକୁ ଆଖି ଆଗରେ ରଖି ବିଭିନ୍ନ ଷ୍ଟ୍ରିମିଂ ସଂସ୍ଥା କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଦରକାର । ବିଭିନ୍ନ ଆଞ୍ଚଳିକ ଭାଷାରେ ମୂଳ ବିଷୟବସ୍ତୁ ବା ଅରିଜିନାଲ୍‍ କଣ୍ଟେଣ୍ଟ୍‍ ଅଧିକରୁ ଅଧିକ ପ୍ରସ୍ତୁତ କଲେ ଓଟିଟି କମ୍ପାନୀ ତିଷ୍ଠି ରହିପାରିବ ବୋଲି ସେ କହିଛନ୍ତି ।

ଏଥିସହିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଡ. ଆଶିଷ ଦ୍ୱିବେଦୀ, ଆଇଆଇଏମ୍‍ସିର ସହାୟକ ପ୍ରଫେସର ସମ୍ବିତ ପାଲ୍‍, ଡ. ଜ୍ୟୋତି ପ୍ରକାଶ ମହାପାତ୍ର, ୨୦୧୯-୨୦ ଶିକ୍ଷାବର୍ଷର ଛାତ୍ରୀ ଆକାଂକ୍ଷା ଟଣ୍ଡନ ନିଜର ସନ୍ଦର୍ଭ ଉପସ୍ଥାପନ କରି ବିଷୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି । ଆସନ୍ତାକାଲି ଚଳଚ୍ଚିତ୍ର ଆପ୍ରିସିଏସନ୍‍ କର୍ମଶାଳା ଅନୁଷ୍ଠିତ ହେବ । ଦୁଇଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାରେ ଚଳଚ୍ଚିତ୍ର ରିପୋର୍ଟିଂ, ସମୀକ୍ଷା ଆଦି ଉପରେ ଆଲୋଚନା କରାଯିବ ।

ପୁସ୍ତକ ‘ଲୋକସମ୍ପର୍କ ଓ କର୍ପୋରେଟ୍‍ ଯୋଗାଯୋଗ’ ଉନ୍ମୋଚିତ

ଏହି ଅବସରରେ ଆଇଆଇଏମ୍‍ସି ପକ୍ଷରୁ ପ୍ରକାଶିତ ମନୋଗ୍ରାଫ୍‍ ‘ଲୋକସମ୍ପର୍କ ଓ କର୍ପୋରେଟ୍‍ ଯୋଗାଯୋଗ’ ଉନ୍ମୋଚିତ ହୋଇଛି । ଲୋକସମ୍ପର୍କ ଉପରେ ଏହା ପ୍ରଥମ ଓଡ଼ିଆ ପୁସ୍ତିକା । ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ଓ ଆକାଡେମିକ୍‍ ଆସିଷ୍ଟାଣ୍ଟ ସୌମ୍ୟ ରଞ୍ଜନ ବିହାରା ଏ ପୁସ୍ତକଟିକୁ ଲେଖିଛନ୍ତି । ଏଥିରେ ଲୋକସମ୍ପର୍କର ଇତିହାସଠାରୁ ଆରମ୍ଭ କରି ବିଭିନ୍ନ ଥିଓରୀ, ମଡେଲ୍‍, କୌଶଳ, ବ୍ୟାବହାରିକ ଦିଗ ତଥା ଲୋକସମ୍ପର୍କର ନୈତିକ ଦିଗ, ଶିକ୍ଷା, କ୍ୟାରିଅର୍‍ ଆଦି ଉପରେ ଆଲୋଚନା କରାଯାଇଛି । ଏହାସହ କର୍ପୋରେଟ୍‍ ଯୋଗାଯୋଗର ବିଭିନ୍ନ ବିଭବ ଏଥିରେ ସ୍ଥାନ ପାଇଛି ।
ସେହିଭଳି ଦ୍ୱିତୀୟ ଅଧିବେଶନରେ ମୃଣାଳଙ୍କ ପୁସ୍ତକ ସଙ୍କଳନ ‘ଜଗତେ ଥିବା ଯେତେଦିନ’ ଉନ୍ମୋଚିତ ହୋଇଛି । ଏଥିରେ ସାମ୍ପ୍ରତିକ ସମୟର ବିଭିନ୍ନ କଥାବସ୍ତୁ ସ୍ଥାନ ପାଇଛି । ଗତବର୍ଷ ନିୟମିତଭାବେ ପ୍ରକାଶିତ ସ୍ତମ୍ଭକୁ ନେଇ ଏହି ପୁସ୍ତକର ସଙ୍କଳନ ହୋଇଛି । ଦୁଇଟିଯାକ ପୁସ୍ତକର ପ୍ରଚ୍ଛଦ ପ୍ରସ୍ତୁତ କରିଛନ୍ତି ଆଇଆଇଏମ୍‍ସିର ଟେକ୍ନିକାଲ୍‍ କୋର୍ଡିନେଟର ଜିତେନ୍ଦ୍ର ପତି ।

Leave A Reply

Your email address will not be published.