ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ଆଶଙ୍କା ନେଇ ପୂର୍ବାନୁମାନ କରାଯାଇଛି ।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେଧିରେ ଅବପାତରେ ପରିଣତ ହେଉଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଡିପ ଡିପ୍ରେସନରେ ପରିଣତ ହେବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି । ଯାହା ପରବର୍ତ୍ତୀ ସମୟରେ ବାତ୍ୟାରେ ରୂପାନ୍ତରିତ ହେବାର ଆଶଙ୍କା ରହିଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଗୋପାଳପୁର ଠାରୁ ପାଖାପାଖି ୭୨୦ କିମି. ଦୁରରେ ଲଘୁଚାପ ଥିବା ବେଳେ ଓଡିଶା ଓ ଆନ୍ଧ୍ରପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି ।
ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ୧୧ ଓ ୧୨ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ସୃଷ୍ଟି ହୋଇଛି ।ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିପର୍ଯ୍ୟୟ ପରିଚାଳନା ଡ଼ିଭିଜନ ଜାତୀୟ ଜରୁରୀକାଳୀନ ମୁକାବିଲା କେନ୍ଦ୍ର ପକ୍ଷରୁ ଓଡ଼ିଶା ସମେତ ସଂପୃକ୍ତ ରାଜ୍ୟର ମୁଖ୍ୟ ସଚିବଙ୍କ ନିକଟକୁ ଜରୁରୀ ବାର୍ତ୍ତା ପ୍ରେରଣ କରିବା ସହିତ ଏହାର ମୁକାବିଲା ଲାଗି ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହାର ପ୍ରଭାବରେ ଓଡ଼ିଶାରେ ୯ ଓ ୧୦ ତାରିଖରେ କୋହଲା ପାଗ ସହ ସାମାନ୍ୟ ବର୍ଷା ଅନୁଭୁତ ହେବ ।ମାତ୍ର ୧୧ ଓ ୧୨ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର କର୍ତ୍ତୃପକ୍ଷ ସତର୍କ ସୂଚନା ଦେଇଛନ୍ତି ।
ଅକ୍ଟୋବର ୯ ତାରିଖରୁ ୧୩ ତାରିଖ ଯାଏ ସମୁଦ୍ର ଅଶାନ୍ତ ରହୁଥିବା ହେତୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ବୃଷ୍ଟିପାତ ସମୟରେ ନିରାପଦ ସ୍ଥାନମାନଙ୍କରେ ଆଶ୍ରୟ ନେବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଗଣମାଧ୍ୟମକୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି ରାଜ୍ୟ ସରକାର ଭାରତୀୟ ପାଣିପାଗ ସହିତ ଏନେଇ ଯୋଗାଯୋଗ ରଖିଛନ୍ତି ଏବଂ ପାଣିପାଗ ବିଭାଗ ପକ୍ଷରୁ ଝଡ ବାତ୍ୟାର ସତର୍କ ସୂଚନା ଦିଆଯାଇଛି । “ ଏହା ଝଡ ବାତ୍ୟାର ରୂପ ନେଲେ ଆମେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ସୂଚନା ଦେବୁ” ବୋଲି ସେ କହିଛନ୍ତି ।