Latest Odisha News

ପୂଜ୍ୟା ମା’ ମନୋରମା

ପୂଜ୍ୟା ମା’ ମନୋରମାଙ୍କ ଅବର୍ତ୍ତମାନରେ ସ୍ମୁତି ଚାରଣ

ସବୁ ବିଶେଷଣ ଉର୍ଦ୍ଧ୍ବରେ ଯେ ସେ ମା’ । ମା’ ମଧୁର ଶବ୍ଦ, ଯାହାର ତୁଳନା ନାହିଁ । ସ୍ୱତଃ ମା’ ଉଚ୍ଚାରଣ ହୋଇଯାଏ ସେତେବେଳେ ଯେତେବେଳେ ସ୍ନେହ, ମମତାର ଡୋରିରେ ଜଣେ ମା’ ନିକଟରେ ଜଣେ ବାନ୍ଧି ହୋଇଯାଏ । ତାଙ୍କର ପ୍ରେରଣା, ଶ୍ରଦ୍ଧା, ଭଲପାଇବା ନିକଟରେ ମଣିଷ ଆପେ ଆପେ ହାରିଯାଏ । ମିଠା ମିଠା ସ୍ନେହ ବୋଳା କଥା, ଅଯାଚିତ ଆଶୀର୍ବାଦର ମୁଦ୍ରା ମୋ ମସ୍ତକରେ କେବଳ ନୁହେଁ ସବୁରି ମସ୍ତକରେ ରଖି ମୁଦ୍ରିତ ନୟନରେ ସେ ଗୁଣୁଗୁଣୁ ହୋଇ କଣ କହନ୍ତି କେବଳ ଅନୁଭବ କରି ହୁଏ । ଅନେକ ବାର ତାଙ୍କ ସହ ଭେଟ ହୋଇଛି ବିଭିନ୍ନ ସାହିତ୍ୟ ମଞ୍ଚରେ । ତାଙ୍କ ହାତରେ ସମ୍ବର୍ଦ୍ଧିତ ହେବା ବେଳେ କାନ ପାଖରେ ଧୀରେ କହନ୍ତି- ” ବାପରେ କଲମକୁ ଟାଣ କର, ଆଗକୁ ଆଗ ଆଗେଇ ଚାଲ ।” ସେ ହେଉଛନ୍ତି ଚିର ବନ୍ଦନୀୟା, ପୂଜନୀୟା, ମହିୟସୀ ମା’, କୈାଣସି ଉପାଧି, ଅଳଙ୍କାରିକ ଶବ୍ଦ ତାଙ୍କ ପାଇଁ ନିଷ୍ପ୍ରୋୟଜନ । ସରଳ ଭାବରେ କହିବାକୁ ଗଲେ ସେ ଜଣେ ବିଶିଷ୍ଟ ଲେଖିକା, ସ୍ତମ୍ଭକାର, ପ୍ରଗଳ୍ଭା ବକ୍ତା, ପ୍ରାଧ୍ୟାପିକା, ସମ୍ପାଦିକା ତଥା ସାମାଜିକ କର୍ମୀ ଭାବରେ ସୁନାମ ଅର୍ଜନ କରିଥିବା ସମସ୍ତଙ୍କର ଅତି ପ୍ରିୟ ଆଦରଣୀୟା ମା’ ମନୋରମା ମହାପାତ୍ର । ସେ ଏବେ ସତାଅଶୀ ବର୍ଷରେ ଆମ ଗହଣରେ ନାହାନ୍ତି । ଗତକାଲି ସନ୍ଧ୍ୟାରେ ଏ ସମ୍ବାଦ ପ୍ରଚାର ହେବାପରେ କେବଳ ମୁଁ ନୁହେଁ, ସକଳେ ହତମ୍ବିବ ହୋଇପଡିଛନ୍ତି । କହିବାକୁ ଗଲେ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ମଧୁର ବାକ୍ ଚାତୁରୀ ପୂର୍ଣ୍ଣ ଅଭିଭାଷଣର ଦମ୍ଭୋକ୍ତି ସାମାନ୍ୟ ତମ ମଳିନ ପଡ଼ିନାହିଁ । ଖୁବ୍ ନିକଟରେ ଏକ ଆଭାସୀ ଆଲୋଚନା ଚକ୍ରରେ ସେ ତାଙ୍କର ଯୋଗଦାନ ଓ ଅନର୍ଗଳ ବାକ୍ ବ୍ରହ୍ମ ମୟ ଶଦ୍ଦ ବିନ୍ୟାସରେ ଶ୍ରୋତାଙ୍କୁ ମନ୍ତ୍ର ମୁଗ୍ଧ କରିଥିବା ମନୋରମା ମହାପାତ୍ରଙ୍କ ସାମାନ୍ୟ ତମ ବେଦ, ବେଦାନ୍ତ, ଶାସ୍ତ୍ର ପ୍ରଣୋଦିତ ସଂସ୍କୃତ ଶ୍ଳୋକ, ବିଭିନ୍ନ କାବ୍ୟାଳଙ୍କର ଉପମା ପଦ ଉଚ୍ଚାରଣରେ ବିସ୍ମରଣ ଘଟିନଥିଲା । ଚଳଚଞ୍ଚଳ ଥିବା ମା’ ହଠାତ୍ ଚିରନିଦ୍ରାରେ ଶୋଇ ଗଲେ, ଏହାହିଁ ବିଡମ୍ବନା..!!

ପ୍ରାଧ୍ୟାପିକା ମନୋରାମା ମହାପାତ୍ର ୧୯୩୪ ମସିହା ଜୁନ ୧୦ ରାଧାନାଥପୁର ଶାସନ, ଆଠଗଡ଼ ଜନ୍ମଗ୍ରହଣ କରିଥିଲେ । ସେ ହେଉଛନ୍ତି ଓଡ଼ିଶାର ଖ୍ୟାତି ସମ୍ପନ୍ନ ପ୍ରତିଷ୍ଠିତ, ବାଗ୍ମୀ, ସମାଜ ସମ୍ପାଦିକ, ପଦ୍ମଭୂଷଣ  ରାଧାନାଥ ରଥ ଓ ଧର୍ମାପ୍ରାଣା ସାବିତ୍ରୀ ଦେବୀଙ୍କର ଚତୁର୍ଥ ଅଳିଅଳ କନ୍ୟା । ପିତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ମାତାଙ୍କ ପ୍ରେରଣାରେ ବିଦ୍ୟାଳୟରେ ଅଧ୍ୟୟନରତ ଥିବା ବେଳେ ଉତ୍ତମ ମାଷ୍ଟରାଣୀ ହେବାର ସ୍ବପ୍ନ ଦେଖିଥିବା ମନୋରମା ଶେଷରେ ସ୍ନାତକୋତ୍ତରରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତି ଶାସ୍ତ୍ରରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ଅଧ୍ୟାପନାକୁ ଆବୋରି ନେଉଥିଲେ । ଦୀର୍ଘ ବର୍ଷ ଧରି ଅଧ୍ୟାପନା ସମୟରେ ଆପଣାର ପ୍ରିୟ ଛାତ୍ର-ଛାତ୍ରୀମାନଙ୍କ ଗହଣରେ ବିତାଉଥିବା ମନୋରମା ଖାଲି ଜଣେ ଉତ୍ତମ ପ୍ରାଧ୍ୟାପିକା ଭାବରେ ନୁହେଁ ବିଭିନ୍ନ ଦିଗରେ ମହାବିଦ୍ୟାଳୟ କାର୍ଯ୍ୟରେ କାର୍ଯ୍ୟ କରି ଦକ୍ଷତାର ପ୍ରଣାମ ଦେଇଛନ୍ତି । ସେ କେବଳ ଶିକ୍ଷା କ୍ଷେତ୍ରରେ ନୁହଁନ୍ତି, କି ଓଡ଼ିଶାରେ ନୁହଁନ୍ତି ଦେଶ ବିଦେଶରେ ଖ୍ୟାତି ଅର୍ଜନ କରି ପୂଣ୍ୟ ଭୂମି ଓଡ଼ିଶା ମାଟିର ଟେକ ରଖିଛନ୍ତି । ଜଣେ ଯଶଶ୍ରୀ କବୟିତ୍ରୀ, ଲେଖିକା, ବରିଷ୍ଠ ସ୍ତମ୍ଭକାର ଭାବରେ ତାଙ୍କର ବ୍ୟକ୍ତିତ୍ଵ ଅବତାରଣା କରିବା ସହଜ ନୁହେଁ । ବିଭିନ୍ନ ଦିଗରେ ପାରଙ୍ଗମ ଓ ପାରଦର୍ଶିତା ଅର୍ଜନ କରିଥିବା ପ୍ରାଧ୍ୟାପିକା ମନୋରମା ୧୯୮୫ରେ ଶିକ୍ଷା ବିଭାଗରୁ ଅବସର ନେବା ପରେ ନିରଳସ ସାହିତ୍ୟ ସେବା ଓ ସମାଜ ସେବାରେ ନିଜକୁ ନିୟୋଜିତ କରି ଆସୁଛନ୍ତି ।

ସର୍ବୋପରି ତାଙ୍କ ବିଶାଳ ସାହିତ୍ୟକ କୃତି-କୃତିତ୍ୱକୁ ଅବଲୋକନ କଲେ ହତଚକିତ ହେବାକୁ ପଡ଼େ । ଜଣେ ଅର୍ଥଶାସ୍ତ୍ର ପ୍ରାଧ୍ୟାପିକା ଭାବରେ କାର୍ଯ୍ୟ ନିର୍ବାହ କରିଥିବା ମନୋରମା କେତେ ସହଜ ସରଳ ସାବଲୀଳ ଢଙ୍ଗରେ ଦୈନିକ ସମାଜର ରବିବାର କ୍ରୋଡପତ୍ର ସମ୍ପାଦକୀୟ ପୃଷ୍ଠାରେ ଓଡ଼ିଶାର ସାମାଜିକ, ରାଜନୈତିକ, ଅର୍ଥନୀତି, ସାହିତ୍ୟ, ସଂସ୍କୃତି, ପରଂପରାକୁ ଅତ୍ୟନ୍ତ ଚମତ୍କାର, ପ୍ରଚଣ୍ଡ ଧି-ଶକ୍ତି ବଳରେ ଆଲୋଚନା କରୁଥିଲେ ‌। ଦୂର ଦୃଷ୍ଟି ରଖି ‘ ଝିଟିପିଟି କହେ’ ସ୍ତମ୍ଭକୁ ବ୍ୟଙ୍ଗାତ୍ମକ ଶୈଳୀରେ ପ୍ରକାଶ କରି ସାମାଜିକ ବାତାବରଣ ସୁଧାରି ନେବାକୁ ପ୍ରୟାସ କରୁଥିଲେ କେବଳ ନୁହେଁ ସମସ୍ୟାର ଦୂରୀକରଣ କରୁଥିବା ବିସ୍ମୟ ଲାଗେ । ଡକ୍ଟର ରାଧାନାଥଙ୍କ ପରେ ଦୈନିକ ‘ସମାଜ’ର ସମ୍ପାଦିକା ଭାବେ ସମ୍ପାଦକୀୟ ପୃଷ୍ଠା ମଣ୍ଡନ କରୁଥିଲେ । ଏତତ୍ ବ୍ୟତୀତ ତାଙ୍କର ସାହିତ୍ୟିକ ସୃଜନଶୀଳତା ଆକଳନ କଲେ ସ୍ପଷ୍ଟ ହୁଏ ଶିଶୁ ସାହିତ୍ୟଠାରୁ ଆରମ୍ଭ କରି ବୋୖଦ୍ଧିକ ସାହିତ୍ୟ ପର୍ଯ୍ୟନ୍ତ ତାଙ୍କ ବଳିଷ୍ଠ ଲେଖନୀ ଅତି ଅଳ୍ପ ବୟସରୁ ସାହିତ୍ୟର ବିଭିନ୍ନ ଦିଗ ପ୍ରତି ସର୍ଜନା କର୍ମରେ ଲିପ୍ତ ରହିଆସିଛି । ସର୍ଜନାର ପ୍ରାରମ୍ଭ କବିତାରୁ ଘଟିଥିଲା । ପରେ ପରେ କ୍ଷୁଦ୍ରଗଳ୍ପ, ଶିଶୁ ସାହିତ୍ୟ, ଏକାଙ୍କିକା, ଅନୁବାଦ, ସାମ୍ବାଦିକତା ଆଦି ଦିଗରେ କର୍ମରତ ରହି ସ୍ୱକୀୟ ପ୍ରତିଭାର ପରିଚୟ ଆଣିବାରେ ସଫଳ ହୋଇଛନ୍ତି । ସାହିତ୍ୟ ମାଧ୍ୟମରେ ସାଧାରଣ ମଣିଷର ସମସ୍ୟା ଉପସ୍ଥାପନ କରିବା ଥିଲା ତାଙ୍କର ପ୍ରାଥମିକ କାମ୍ୟ । ମଣିଷ ଦୁଃଖ ଯନ୍ତ୍ରଣାରୁ କିଭଳି ମୁକ୍ତିଲାଭ କରିବ, ଅହର୍ନିଶି ଉଦ୍ୟମ କରି ଥିବା କବିଙ୍କ କବିତାରେ ପ୍ରତିଫଳିତ ହୋଇଛି । ସେସବୁ କବିତା ମଧ୍ୟରୁ ‘ସ୍ମୁତି ଚନ୍ଦନ’, ‘ ଦୂର ରାଇଜର କଥା’, ‘ ଝଡପରେ ସୂର୍ଯ୍ୟୋଦୟ’, ‘ ସମୟ ପୁରୁଷ’ ଆଦି ଅବିସ୍ମରଣୀୟ । ସତରେ ସାହିତ୍ୟରେ ସାଧାରଣ ମଣିଷର ସମସ୍ୟା, ଯନ୍ତ୍ରଣା, ବିପ୍ଳବାତ୍ମକ ସ୍ୱର ଝଙ୍କାର ମୁଖ୍ୟତଃ ଜଣେ ପ୍ରତିଶ୍ରୁତିବଦ୍ଧ ମାନବ ବାଦୀ, ସଂସ୍କାର ଧର୍ମୀ ସମ୍ବେଦନଶୀଳ  କବୟିତ୍ରୀ ସେ । ମଣିଷ ସମାଜର ସକଳ ଦୁଃଖ, ଯନ୍ତ୍ରଣା, ପୀଡ଼ିତ ମଣିଷର କଥା କହିବାରେ ତାଙ୍କ ଲେଖନୀ ଝଡର ଇଗଲ ସମ ରକ୍ତ ପିପାସୁ ମଣିଷକୁ ଆକ୍ତାମାକ୍ତା କରେ । ସମାଜକୁ କୁସଂସ୍କାର ମୁକ୍ତ କରି ସଂହତି ଓ ସମତା ଆଣିବା ଦିଗରେ ତାଙ୍କର ପ୍ରୟାସ ଅପରିବର୍ତ୍ତିତ । ସମାଜରେ ବୈଷମ୍ୟ ଓ ଅନ୍ଧ ବିଶ୍ବାସ ପ୍ରତିହତ କରିବା ଦିଗରେ ଜଣେ ବିପ୍ଳବୀ କବି ଭାବରେ ତାଙ୍କ ବ୍ୟକ୍ତିତ୍ଵ ଓ କୃତିତ୍ୱ ଅତୁଳନୀୟ । ସକଳଘାତ, ପ୍ରତିଘାତ, ପ୍ରତିକୂଳ ପରିସ୍ଥିତିକୁ ଦମ୍ଭୋକ୍ତି ସହ ସାମ୍ନା କରି ସମାଜର କଲ୍ୟାଣ ନିମନ୍ତେ ଭିନ୍ନ ଏକ ‘ଉତ୍କଳର ମଦର ଟେରେସା’ ପାଲଟି ଯାଇଥିବା ମନୋରମା ବାସ୍ତବରେ ‘ମନୋରମା’ ଅର୍ଥାତ୍ ଚିତ୍ତାକର୍ଷକ, ମନମୋହିନୀ, ଆଦରଣୀୟା ଓ ବନ୍ଦନୀୟା ମା’.. ହୋଇପାରନ୍ତି ।

ଜଣେ ମା’ ତା ସନ୍ତାନର ସକଳ ଦୁଃଖ ବୁଝିପାରେ । ସାମ୍ପ୍ରତିକ ସମାଜରେ ନାରୀର ସ୍ଥିତି ଓ ସୁରକ୍ଷା କେତେ ଦୟନୀୟ, ବ୍ୟଥିତ ହୃଦୟରେ ସେ ପ୍ରକାଶ କରି କୁହନ୍ତି- “ମୋର ବିଶ୍ବାସ ଯେ ଆଧୁନିକ ଯୁଗରେ ଝିଅ ମାନଙ୍କୁ ଯେତିକି ସୁବିଧା ସୁଯୋଗ ଦିଆଯାଉଛି, ନିରାପତ୍ତା ମଧ୍ୟ ସେତିକି ଦେବା ଉଚିତ୍ ।” ବିଶେଷ ଭାବରେ ଆଧୁନିକତାକୁ କଟାକ୍ଷ କରିଛନ୍ତି । ଆଧୁନିକତା ଯୁଗ ଭିତରେ ନାହିଁ କି ସମୟ ଭିତରେ ନାହିଁ । ଏହା ଏକ ଦାମ୍ଭିକତା । ଆଧୁନିକ ଝିଅମାନେ ଅତୀତକୁ ଚାହୁଁ ନାହାନ୍ତି । ଅତୀତକୁ ଛାଡ଼ି ବର୍ତ୍ତମାନ ସ୍ଥିତି ଓ ଭବିଷ୍ୟତ ଦେଖିବା ସଂପୂର୍ଣ୍ଣ ଅସମ୍ଭବ । ବରଂ ପ୍ରାଚୀନ ସଂସ୍କୃତି ପ୍ରତି ଦୃଷ୍ଟି ଦେଇ ସଂସ୍କୃତିରୁ ଜ୍ଞାନ ଅର୍ଜନ କରି ମାର୍ଜିତ ହେବା ଆବଶ୍ୟକ । ନିଜର ପିତାମାତା, ଶାଶୁ ଶଶୁର, ଭାଇ ଭଉଣୀ, ସ୍ୱାମୀ ନନନ୍ଦ ସହ ଉତ୍ତମ ସମ୍ପର୍କ ଯୋଡି ପାରିଲେ ସଫଳତାର ଶୀର୍ଷରେ ପହଁଚିବା ସମ୍ଭବ ହେବ । ତାଙ୍କ ଦୃଷ୍ଟିରେ ନାରୀ କେବେ ପରାଶ୍ରିତା ନୁହେଁ । ସେ ସ୍ୱୟଂସିଦ୍ଧା । ତାର ଆତ୍ମ ସମ୍ମାନ ଅଧିକ । କୁସଂସ୍କାରକୁ ଦୂରେଇ ନିଜକୁ ନ୍ୟାୟୋଚିତା, ନିର୍ଭିକତା ଓ ଉନ୍ନତାମନାର ପରିଚୟ ଦେଇଛି । କର୍ମଠ, ଆତ୍ମନିର୍ଭରଶୀଳା ଓ ସାହସୀ ପାଲଟି ଏ ଶତାବ୍ଦୀର ଶ୍ରେଷ୍ଠତ୍ୱକୁ ପ୍ରତିପାଦିତ କରିପାରିଛି । ତା’ ସତ୍ତ୍ୱେ ବି ସୂକ୍ଷ୍ମ ଦୃଷ୍ଟିରେ ବିଚାର କଲେ ନାରୀ ଲାଜ ଛାଡ଼ିବା ନିତ୍ୟାନ୍ତ ଲଜ୍ଜାଜନକ ବୋଲି ଦର୍ଶାଇଛନ୍ତି । ସେହି ଭଳି ପୁରୁଷ ବୁଦ୍ଧିମାନ ସେ ଭର୍ତ୍ତା କର୍ତ୍ତା ଓ ନାରୀର ଶକ୍ତି ମଧୁର ଓ ଆନନ୍ଦମୟ, ଉଭୟଙ୍କ ବ୍ୟବସ୍ଥା ଓ ନିର୍ଦ୍ଧାରଣରେ ଗୋଟିଏ ସୁସ୍ଥ ସୁନ୍ଦର ସମାଜ ଗଠନ ହୋଇପାରିବାରେ ସେ ଗଭୀର ଆଶାବାଦୀ ।

ତାଙ୍କର ଉଭୟ ଗଦ୍ୟ ଓ କବିତାର ଗଭୀର ବିଚାର ଧାରା ସେହି ସମୟର ସମାଜକୁ ପ୍ରତିଫଳିତ କରିଥିଲା, କିନ୍ତୁ ସର୍ବଦା ପରିବର୍ତ୍ତନ ପାଇଁ ଏକ ସ୍ୱଚ୍ଛ ଆହ୍ୱାନ ଦେଉଥିଲା । ଜଣେ ବିପ୍ଳବୀ କବି ଭାବରେ ବିଭିନ୍ନତା ମଧ୍ୟରେ ଭାରତରେ ଏକତା ପ୍ରତିଷ୍ଠା କରିବାରେ ସ୍ୱପ୍ନ-ପ୍ରୟାସୀ କବି । ଜାତୀୟ ସଂହତି ରକ୍ଷା ନିମନ୍ତେ ତାଙ୍କର ଆନ୍ତରିକତା ‘ଭାରତ ମା’ କବିତାରେ ପ୍ରତିଫଳିତ – ” ଛିଡାଇ ଦିଅନା ଭାରତ ମା’କୁ ଯୋଡିଦିଅ ଯୋଡିଦିଅ/ ସ୍ନେହ ସୂତାରେ ସେବା ମମତାରେ, ସବୁ ଭାଷା ଗୁନ୍ଥି ଦିଅ । ବହୁ ଭାଷା ଭାଷୀ ଭାରତ ଆମର, ଜୀବନଠୁ ବଳି ପ୍ରିୟ/ ଭାଙ୍ଗିବା ନାହିଁ ସଜାଡ଼ିବୁ ଆମେ, ଭାରତ ମା’ର ଦେହ । × ×× ” ଖଣ୍ତ ଖଣ୍ତ କରି ଭାରତ ମା’କୁ ବାଣ୍ଟିବୁ ନାହିଁ କୁହ/ ହିନ୍ଦୁ, ଇସଲାମ, ଶିଖ୍, ଖ୍ରୀଷ୍ଟିଆନ ସଭିଏଁ ଏକାଠି ହୁଅ । ××× “ମାରିବ ନାହିଁ କି ମାଗିବ ନାହିଁରେ ଏଇ ଆମ ଦୁଇ ହାତ/ ଭାରତର ଟେକ ରଖିବାକୁ ଆମେ କରିବୁଟି ପ୍ରାଣପ୍ରାତ ।”

ଜାତି-ପ୍ରାଣ, ଦେଶ-ପ୍ରାଣ କବୟିତ୍ରୀ ମନୋରମା ଉଚ୍ଚ ନୀଚ, ଭେଦ ଭାବ, ଜାତି , ଧର୍ମ, ବର୍ଣ୍ଣର ବହୁ ଉର୍ଦ୍ଧ୍ବରେ । ସଂକଳ୍ପ ଗାନ୍ଧୀବାଦ ଦର୍ଶନ/ ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ । ତାଙ୍କର ସୃଷ୍ଟି କର୍ମରେ- ‘ବଣରାଇଜର କଥା’, ‘ବୈଦେହୀ ବିସର୍ଜିତା’, ‘ଏକଲା ନଇର ଗୀତ, , ‘ଜହ୍ନରାତିର ମୁହଁ’ , ‘କେତୋଟି ମନଛୁଆଁ ଗପ’, ‘ସାତ ସମୁଦ୍ର ତେର ନଇ’ , ‘ଟିକି ବଗିଚାର ଟିକି ଚଢ଼େଇ’ , ‘ଆଇଙ୍କ ମୁଣିରୁ ବିଜ୍ଞାନ ଗପ, ‘ବନ୍ଦ ଘରର କବାଟ , ‘ଆମେ ସବୁ ନୀରବ ଦର୍ଶକ, ‘ଝଡ଼ପରେ ସୂର୍ଯ୍ୟୋଦୟ’ , ‘ମାନସୀ ମୋ’ ବନହଂସୀ’ , ‘ପାହାନ୍ତି ତାରାର ଲୁହ’ , ‘ରୂପମ୍ ରୂପମ୍ ପ୍ରତିରୂପମ୍’, ‘ସଂହତିର ସଂହିତା’ , ‘ସମୟ ପୁରୁଷ’, ‘ସ୍ମୃତି ଚନ୍ଦନ’, ‘ସତ୍ୟ ହିଁ ସମ୍ପଦ, ‘ଅଛିଣ୍ଡା ମାସ ଛିଣ୍ଡାଦଉଡି, ‘ଦୂର ରାଇଜର କଥା’ ପ୍ରଭୃତି ପ୍ରକାଶନ ଓ ଶୀର୍ଷକରୁ ତାଙ୍କ ସୃଷ୍ଟି ଆଭିମୁଖ୍ୟ ସ୍ପଷ୍ଟ ହୋଇଯାଏ । ଏପରିକି ତାଙ୍କ ରଚିତ ‘ସମୟ ପୁରୁଷ’ , ‘ସ୍ମୁତି ଚନ୍ଦନ’, ‘ମଧୁବ୍ରାତା ଋତାୟତେ’, ‘ନନ୍ଦ ଘରକେ କିବାତ୍ (ହିନ୍ଦୀ) ପାଠକ ହୃଦୟକୁ ସ୍ପର୍ଶ କରିଛି । ତାଙ୍କର ବହୁ ଉପଦେୟ ଲେଖା ଇଂରାଜୀ, ହିନ୍ଦୀ, ସଂସ୍କୃତ ତଥା ବିଭିନ୍ନ ଭାରତୀୟ ଭାଷାରେ ପ୍ରକାଶ ପାଇ ସର୍ବଭାରତୀୟ ସ୍ତରରେ ଜଣେ ସୁଲେଖିକା ଭାବରେ ସ୍ୱୀକୃତି ଦେଇଛି ।

ପ୍ରଚୁର ସୃଷ୍ଟି ସମୂହ, ଅନୁବାଦ, ବିଭିନ୍ନ ଭାଷାରେ ତାଙ୍କ କୃତିକୁ ସ୍ୱୀକୃତି ଓ ଅନୁଦିତ ହେବା ଫଳରେ ସେ ବହୁ ସମ୍ମାନର ଅଧିକାରୀ ହୋଇଛନ୍ତି । ବିଶେଷ ଭାବରେ ମହିଳା ସଶକ୍ତିକରଣ ଏବଂ ସାମାଜିକ ପରିବର୍ତ୍ତନ ଉପରେ କ୍ଷୁଦ୍ରଗଳ୍ପ ପାଇଁ ସେ ୧୯୫୭ ମସିହାରେ ପ୍ରଥମ ପୁରସ୍କାର ଲାଭ କରିଥିଲେ । ସେଭଳି ପ୍ରଥମ ପ୍ରତିଷ୍ଠିତ ସାହିତ୍ୟିକା ପୁରସ୍କାର ୧୯୬୭ ମସିହାରେ ଝଙ୍କାର ପୁରସ୍କାର, ୧୯୮୮ ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ସେହି ବର୍ଷ ସୋଭିଏତ୍ ନେହେରୁ ପୁରସ୍କାର, ୧୯୯୦ ରେ କ୍ରିଟିକ୍ ସର୍କଲ୍ ଅଫ୍ ଇଣ୍ଡିଆ ପୁରସ୍କାର, ୧୯୯୧ ରେ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗର ସମ୍ମାନ, ୧୯୯୪ ରେ ରୂପମ୍ବର ପୁରସ୍କାର, ୧୯୯୪ ରେ ଉତ୍କଳ ସାହିତ୍ୟ ସମାଜ ପୁରସ୍କାର, ଗଙ୍ଗାଧର ମେହେର ସମ୍ମାନ, ସାହିତ୍ୟ ପୁରସ୍କାର, ସାରଳା ପୁରସ୍କାର, ଗୋକର୍ଣ୍ଣିକା ସମ୍ମାନ, କାଦମ୍ବିନୀ ପୁରସ୍କାର ଆଦି ଅନେକ ସମ୍ମାନରେ ସମ୍ମାନିତ । ଏପରିକି ତାଙ୍କର ଶିକ୍ଷା ଦାନର ଶୈଳୀ, ଦକ୍ଷତା, ପାରଦର୍ଶିତା ନିମନ୍ତେ ‘ରେଭେନ୍ସା ଗୈାରବ’ ରେ ସମ୍ମାନିତ ହୋଇଥିବା ବେଳେ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ନିମନ୍ତେ ରମା ଦେବୀ ବିଶ୍ୱବିଦ୍ୟାଳୟ ତାଙ୍କୁ ୨୦୧୯ରେ ସମ୍ମାନଜନକ ଡି.ଲିଟରେ ସମ୍ମାନ ପ୍ରଦାନ କରିଛି ।

ଜଣେ ସଂସ୍କୃତି, ଧର୍ମପରାୟଣ, ଜଗନ୍ନାଥ ପ୍ରାଣା ଜଗନ୍ନାଥ ସଂସ୍କୃତିର ସମୀକ୍ଷକ ଓ ରଥଯାତ୍ରା ସମୟରେ ସୁଲଳିତ କଣ୍ଠରେ ଧାରାବିବରଣୀ ପ୍ରଦାନ କରି ବହୁ ବାର ସମ୍ମାନିତ ହୋଇଛନ୍ତି । ସାହିତ୍ୟ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଉତ୍କଳ ସାହିତ୍ୟ ସମାଜର ସଚିବ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବରେ କାର୍ଯ୍ୟ ତୁଲାଇଥିଲେ । ସେ ରମାଦେବୀ ଟ୍ରଷ୍ଟ, କସ୍ତୁରବା ଟ୍ରଷ୍ଟ, ଓଡ଼ିଶା ନାରୀ ସେବା ସଂଗଠନର ପ୍ରତିଷ୍ଠାତା ସଦସ୍ୟ ଥିଲେ। ସେ ରେଡ୍ କ୍ରସ୍ ସୋସାଇଟିର ସଦସ୍ୟ, ସ୍କାଉଟ୍ସ ଏବଂ ଗାଇଡ୍ ସୋସାଇଟି ସଦସ୍ୟ ଭାବରେ ଓ ଲୋକ ସେବା ମଣ୍ଡଳ ଏବଂ ଅନ୍ୟାନ୍ୟ ସଂଗଠନରେ କାର୍ଯ୍ୟ କରିଛନ୍ତି । କେବଳ ଓଡ଼ିଶାରେ ନୁହେଁ ଚଣ୍ଡିଗଡ଼, ଭୋପାଳ, କଲିକତା ଏବଂ ବିଦେଶରେ ଅବସ୍ଥିତ କେତେକ ସଂଗଠନରେ ସୂଚାରୁରୂପେ କାର୍ଯ୍ୟ ତୁଲାଇଛନ୍ତି । ସେ ଅନେକ ଯୁବପିଢ଼ି ମହିଳା, ଶିଶୁ ଓ ସାମାଜିକ କର୍ମୀଙ୍କୁ ପ୍ରେରଣା ଦେବାରେ କାର୍ପଣ୍ୟ କରିନାହାନ୍ତି । ସାମ୍ବାଦିକ ଭାବରେ ତତ୍କାଳିନ ପ୍ରଧାନମନ୍ତ୍ରୀଙ୍କ ସହିତ ୟୁ.ଏସ.ଏ, ମରିସସ୍, ଥାଇଲାଣ୍ଡ ଓ ବାଂଲାଦେଶ ଆଦି ଗ୍ରସ୍ତ କରି ବହୁ ଅଭିଜ୍ଞତା ହାସଲ କରିଛନ୍ତି ।

ପ୍ରକୃତରେ ତାଙ୍କର ଅପାର ଜ୍ଞାନ, ବ୍ୟାପକ ଅଭିଜ୍ଞତାର ପରିସର ଓ ଅଦ୍ଭୁତ ଅବିଶ୍ୱାସନୀୟ ସ୍ମୃତି ଶକ୍ତି ତାଙ୍କୁ ଏକ ଚୁମ୍ବକରେ ପରିଣତି କରିଦେଇଛି, ଯାହା ତାଙ୍କ ଆଡକୁ ସମସ୍ତେ ଆକର୍ଷିତ ହୋଇଛନ୍ତି । ଏକବିଂଶ ଶତାବ୍ଦୀର ଜଣେ ଶ୍ରେଷ୍ଠ ମହିୟସୀ ଅତୁଳନୀୟା ମା’ ମନୋରମାଙ୍କ ସତାଅଶୀ ବର୍ଷ ବୟସରେ ଈଶ୍ଵରଙ୍କ ପାଖକୁ ଚାଲିଗଲେ, ସ୍ୱର୍ଗରେ ଥାଇ ପଥହରା ସମାଜକୁ ଦିଗଦର୍ଶନ ଦେଉଥାନ୍ତୁ । ତାଙ୍କର ରଚିତ ‘ଜୀବନ ଦର୍ଶନ’ କବିତା ତାଙ୍କ ଉଦ୍ଦେଶ୍ୟରେ –

“ତୁମ ଦର୍ଶନରେ ଏବଂ ମନନରେ/ ଅଭିଭୂତ- ମୁଁ ପୁଣି ଆବିଷ୍ଠ/ ଚିହ୍ନିଲି ମୋ ଇଷ୍ଟ । ଆଉ ନାହିଁ ବଞ୍ଚନାର ଦାହ/ ଭଲ ଲାଗେ ବିଚିତ୍ର ଏ ଜୀବନ ପ୍ରବାହ/ ଜୀବନର ପୋଥି, ପୃଷ୍ଠା ସବୁ ନିର୍ଦ୍ଦିଷ୍ଟ ଚିତ୍ତରେ ପଢ଼ିସାରି/ ମୁଁ କରୁଛି ଜୀବନ ଦିଅଁଙ୍କୁ ବିନମ୍ର ଆଳତି ।”

ଓଡିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
ଦୂରଭାଷ : ୯୦୪୦୧୫୧୪୭୫

Comments are closed.