Latest Odisha News

ହାଇପ୍ରୋଫାଇଲ ଠକ ହଂସିତା ଓ ଅନିଲକୁ ଝାରପଡ଼ା ଜେଲରେ ଜେରା କରୁଛି ଆୟକର ବିଭାଗ

ଭୁବନେଶ୍ୱର: ହାଇପ୍ରୋଫାଇଲ ଠକ ଯୋଡ଼ି ହଂସିତା ଅଭିଲିପ୍ସା ଓ ତାଙ୍କ ସାଥୀ ଅନିଲ କୁମାର ମହାନ୍ତି ଏବେ ଝାରପଡା ଜେଲରେ ଦିନ କାଟୁଛନ୍ତି । ସୋମବାର ଆୟକର ବିଭାଗର ଦୁଇଟି ଟିମ୍‌ ଝାରପଡ଼ା ଜେଲରେ ପହଞ୍ଚି ଉଭୟଙ୍କୁ ପଚରାଉଚରା ଆରମ୍ଭ କରିଛି । ଏହି ପଚରାଉଚରା ପରେ ହାଇପ୍ରୋଫାଇଲ ଠକ ଯୋଡ଼ିଙ୍କ କଳା ସାମ୍ରାଜ୍ୟର ଆଉ ଅନେକ ଗୁମର ପଦାକୁ ଆସିବ ବୋଲି ଜଣାପଡିଛି ।

ହଂସିତା ଅଭିଲିପ୍ସା ଓ ଅନିଲକୁ ଜେରା କରିବାପାଇଁ ତଦନ୍ତକାରୀ ଟିମ୍‌ କୁ ୬ ଘଣ୍ଟା ସମୟର ଅନୁମତି ମିଳିଛି । ସକାଳ ୧୦ଟାରୁ ଏହି ପଚରାଉଚରା ଆରମ୍ଭ ହୋଇଥିବାବେଳେ, ଅପରାହ୍ନ ୪ଟା ପର୍ଯ୍ୟନ୍ତ ଆୟକର ବିଭାଗର ଟିମ୍ ପର୍ଯ୍ୟାୟ କ୍ରମେ ଏହି ଠକ ଯୋଡ଼ିଙ୍କୁ ଜେରା କରିବେ ।

ପ୍ରଥମେ ଅଲଗା ଅଲଗା, ପରେ ସେମାନଙ୍କୁ ମୁହାଁମୁହିଁ ଜେରା କରାଯିବ ବୋଲି ସୂଚନା ମିଳିଛି । କଳାଧନ, ବେନାମୀ ସମ୍ପତ୍ତି, ସିଏସ୍‌ଆର୍ ଫଣ୍ଡ କେଳେଙ୍କାରୀ ଓ ହାଇପ୍ରୋଫାଇଲ ରାଜନେତାଙ୍କ ଲିଙ୍କ୍ ବାବଦରେ ଆୟକର ଅଧିକାରୀ ମାନେ ପଉରାଉଚରା କରିବେ । ଏଥି ପାଇଁ ଆୟକର ବିଭାଗ ପକ୍ଷରୁ ୧୦ରୁ ୧୨ଜଣିଆ ଟିମ୍ ପ୍ରସ୍ତୁତ କରାଯାଇଛି ।

ସୂଚନାଯୋଗ୍ୟ, ପୂର୍ବରୁ ଆୟକର ବିଭାଗ ୧୬ଟି ସ୍ଥାନରେ ଚଢାଉ କରି ଅନେକ ତଥ୍ୟ ହାସଲ କରିଛି । ଏପରିକି ୫୮ କୋଟିର ବେନାମୀ ସମ୍ପତ୍ତିର ପ୍ରମାଣ ଆଇଟି ହାତରେ ଲାଗିଛି । ଏଥିରେ ୧୭କୋଟି ଟଙ୍କା ଏକାଧିକ ବିଲଡରଙ୍କ ପାଖରେ ରହିଥିବାର ପ୍ରମାଣ ମିଳିଛି ।

Comments are closed.