ଭୁବନେଶ୍ୱର: ବିବାହ ମଣ୍ଡପରେ ମାତିଛନ୍ତି ଲୁଟେରା। ଭୁବନେଶ୍ୱରର ଏକ ହୋଟେଲରେ ବିବାହ ଉତ୍ସବ ଚାଲିଥିବା ବେଳେ ଅତିଥି ବେଶରେ ଆସି ଦୁର୍ବୃତ୍ତମାନେ ସୁନା ଅଳଙ୍କାର ସହ ବିପୁଳ ପରିମାଣର ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ମୈତ୍ରୀ ବିହାର ଅଞ୍ଚଳର ଏକ ହୋଟେଲର ବଙ୍କେଟ୍ ହଲରେ ଏହି ଘଟଣା ଘଟିଥିଲା। ଏଠାରେ ଜଣେ ଡାକ୍ତର ଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେଉଥିଲା।
ପରିବାର ବର୍ଗଙ୍କ ଅଭିଯୋଗ ଅନୁଯାୟୀ, ୨.୫ ଲକ୍ଷ ଟଙ୍କା ନଗଦ ଟଙ୍କା ସହିତ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଏବଂ ହୀରା ଅଳଙ୍କାର ଗାଏବ ହୋଇଛି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ବରଯାତ୍ରୀ ଆସିବା ସମୟରେ ବର ପକ୍ଷରୁ ଅତିଥି ପରିଚୟ ଦେଇ ଦୁଇଜଣ ଦୁର୍ବୃତ୍ତ ହୋଟେଲ ବାହାରେ ଗାଡ଼ି ରଖି ଭିତରକୁ ପ୍ରବେଶ କରିଥିଲେ।
କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଅତିଥି ଉପସ୍ଥିତ ଥିଲେ। ଭିଡ଼ର ଫାଇଦା ଉଠାଇ ଦୁର୍ବୁତ୍ତ ମାନେ ଚତୁରତାର ସହିତ ସମସ୍ତ ନଗଦ ଏବଂ ମୂଲ୍ୟବାନ ଜିନିଷପତ୍ର ରଖାଯାଇଥିବା ଉପହାର ବ୍ୟାଗଟିକୁ ଉଠାଇ ନେଇଥିଲେ। ଏହା ପରେ ଦୁଇଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
ତେବେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି।
Comments are closed.