ଭୁବନେଶ୍ୱର: ଫେବୃଆରୀ ୯ରେ ବାରବାଟୀରେ ଇଣ୍ଡିଆ-ଇଂଲଣ୍ଡ ମଧ୍ୟରେ ହେବ ସୁପର ଫାଇଟ୍ । ଏହି ପ୍ରରିପେକ୍ଷୀରେ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଦୁଇ ଦେଶର ଖେଳାଳି । ସେଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଦୁଇ ଦେଶର ଖେଳାଳିଙ୍କୁ ଭୁବନେଶ୍ୱରର ମେ’ ଫେୟାର ହୋଟେଲକୁ ନିଆଯାଇଛି । ଖେଳାଳି ଓ ଟିମ ରହିବା ପାଇଁ ୯୬ଟି ରୁମ ବୁକ ହୋଇଛି ।
ଏହି ଅବସରରେ ଖେଳାଳୀଙ୍କ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ସେମାନଙ୍କ ପାଇଁ ପ୍ରାୟ ୩ ଶହ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯିବ । ଏଥିରେ ରହିଛି ୨୦-୨୫ ପ୍ରକାର ନୂଆ ଓଡ଼ିଆ ଖାଦ୍ୟ । ତେବେ ଏହି ଖାଦ୍ୟ ଭିତରେ ସ୍ବତନ୍ତ୍ର ରହିଛି ମାଣ୍ଡିଆ ପୋଡ଼ ପିଠା, ଗୁଡ଼ ଛେନାପୋଡ଼ । ଯାହା ଖାଣ୍ଟି ଘିଅରେ ପ୍ରସ୍ତୁତ ହେବ । ଯାହାର ସ୍ବାଦ ପ୍ରଥମ କରି ବିଦେଶୀ ଖେଳାଳି ମାନେ ଚାଖିବେ ।
ଏହି ଖାଦ୍ୟ କମ୍ ତେଲରେ ଓ ସୁଗାର ଫ୍ରି ଖାଦ୍ୟ ପ୍ରସ୍ତୁତ ହେବ । ଓଡ଼ିଆ ସହ, କଣ୍ଟିନେଣ୍ଟାଲ, ଚାଇନିଜ୍, ଇଟାଲିଆନ, ମେକ୍ସିକାନ୍, ଉତ୍ତର ଭାରତୀୟ ଆଦି ଖାଦ୍ୟ ପରସା ଯିବ । ମ୍ୟାଚ୍ ଥିବାରୁ ଖେଳାଳିମାନଙ୍କୁ ରେଡ୍ ମିଟ୍ ପରିବର୍ତ୍ତେ ହ୍ୱାଇଟ୍ ମିଟ୍ ପରସା ଯିବ ।
ଅନ୍ୟପଟେ ଆଜି ଭୁବନେଶ୍ୱରରେ ଉଭୟ ଦେଶର ଖେଳାଳି ପହଞ୍ଚିବା ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର କଡା କଡା ଭାବେ ଯାଞ୍ଚ କରାଯାଇଥିଲା । ବିଶେଷକରି ଖେଳାଳିଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ବ ଦିଆଯାଇଛି । ସେହିପରି ମ୍ୟାଚ ସମୟରେ ଷ୍ଟାଡିୟମ ଭିତରକୁ ପାଣି ବୋତଲ ମଧ୍ୟ ନେଇ ଦର୍ଶକ ଯାଇପାରିବେ ନାହିଁ ବୋଲି ପୋଲିସ କମିଶନର କହିଛନ୍ତି ।
Comments are closed.