Latest Odisha News

BREAKING NEWS

ଆଉ ମାତ୍ର ୨୭ ବର୍ଷ ପରେ ଶୁଖିଯିବ ଭାରତର ଏଇସବୁ ବଡ ବଡ ନଦୀ

ନୂଆଦିଲ୍ଲୀ:ଖୁବଶୀଘ୍ର ଶୁଖିଯିବ ଦେଶର ବଡ ବଡ ନଦୀ  । ବିଶେଷ କରି ଭାରତ, ଚୀନ ଏବଂ ପାକିସ୍ତାନର ବଡବଡ ନଦୀରୁ ପାଣି ଶୁଖିଯିବ ।  ୧୭୦ରୁ ୨୪୦ କୋଟି ସହରୀ ଲୋକ ପାଣି ପାଇଁ ଛଟପଟ ହେବେ । ଦେଶର ବଡ ନଦୀ ଯଥା ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁର ଜଳସ୍ତର ଭୟଙ୍କର ଭାବେ ହ୍ରାସ ପାଇବ । ଆଉ ମାତ୍ର ୨୭ ବର୍ଷ ଅର୍ଥାତ ୨୦୫୦ ବର୍ଷ ବେଳକୁ ଏପରି ସ୍ଥିତି ଦେଖା ଦେବ ବୋଲି ଆକଳନ କରିଛି ଜାତିସଂଘ । ହିମାଳୟର ଗ୍ଲାସିୟର ଦ୍ରୁତ ଗତିରେ ତରଳୁଥିବାରୁ ଏପରି ସ୍ଥିତି ଦେଖା ଦେବାର ଆଶଙ୍କା ରହିଛି ବୋଲି ଜାତିସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ସଂଯୁକ୍ତ ରାଷ୍ଟ୍ରର ମହାସଚିବ ଏଣ୍ଟୋନିୟୋ ଗୁଟେରେସ ଚେତବାନୀ ଦେଇ କହିଛନ୍ତି, ହିମାଳୟର ପ୍ରମୁଖ ନଦୀ ସିନ୍ଧୁ, ଗଙ୍ଗା ଏବଂ ବ୍ରହ୍ମପୁତ୍ର ନଦୀର ଜଳସ୍ତର ଦ୍ରୁତ ଗତିରେ କମିଯିବାର ଆଶଙ୍କା ରହିଛି । ୨୦୫୦ ବେଳକୁ ପାଖାପଖି ୨୪୦ କୋଟି ସହରୀ ଲୋକଙ୍କୁ ପାଣି ମିଳିବା ବହୁତ କମ ହୋଇଯିବ । ଏଥିପାଇଁ ସେ ବଢୁଥିବା ତାପମାତ୍ରାକୁ ଦାୟୀ କରିଛନ୍ତି । ତାପମାତ୍ରା ବୃଦ୍ଧି ଯୋଗୁ ହିମାଳୟର ଗ୍ଲାସିୟର ତରଳିବାରେ ଲାଗିଛି ।

ଏଣ୍ଟୋନିୟୋ କହିଛନ୍ତି, ପୃ୍‌ଥିବୀରେ ଗ୍ଲାସିୟର ମଣିଷ ସମାଜ ଓ ଜୀବନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ବର୍ତ୍ତମାନ ବିଶ୍ୱୀ ୧୦% ଅଂଶ ଗ୍ଲାସିୟର  । ହେଲେ ଗ୍ଲୋବାଲ ୱାର୍ମିଂ ଯୋଗୁ ଏହା ଦ୍ରୁତ ଗତିରେ ତରଳୁଥିବା ଦେଖିବାକୁ ମିଳିଛି । ଆଣ୍ଟାର୍କଟିକାରେ ପ୍ରତି ବର୍ଷ ୧୫୦୦ କୋଟି ଟନ ବରଫ ତରଳି ଯାଉଛି । ଗ୍ରୀନଲାଣ୍ଡରେ ବର୍ଷକୁ ୨୭୦୦ କୋଟି ଟନ ବରଫ ପ୍ରତି ବର୍ଷ ନଷ୍ଟ ହେଉଛି । ସେତିକି ନୁହେଁ, ସବୁଠାରୁ ଅଧିକ ଗ୍ଲାସିୟର ହିମାଳୟରେ ରହିଛି ଯାହା ଏବେ ଦ୍ରୁତ ଗତିରେ ତରଳୁଥିବା ଦେଖିବାକୁ ମିଳିଛି ।

ଏସିଆ ମହାଦେଶ ଦେଇ ବହି ଯାଉଥିବା ୧୦ଟି ନଦୀ ହିମାଳୟରୁ ବାହାରିଛି । ଏହି ନଦୀ ହାରାହାରି ୧୩୦ କୋଟି ଲୋକଙ୍କର ଜଳସମସ୍ୟା ଦୂର କରୁଛି । ଏହାର ପ୍ରଭାବ ଗଙ୍ଗା, ସିନ୍ଧୁ ଏବଂ ବ୍ରହ୍ମପୁତ୍ର ଉପରେ ପଡିବ । ସେତିକି ନୁହେଁ, ଯଦି ଗ୍ଲାସିଅର ଏପରି ଭାବେ ତରଳେ ତେବେ ଚୀନ ଏବଂ ପାକିସ୍ତାନରେ ବନ୍ୟା ଆଶଙ୍କା ମଧ୍ୟ ଦେଖା ଦେଇପାରେ ।

ଗଙ୍ଗା ଦେଶର ସବୁଠାରୁ ପ୍ରମୁଖ ଏବଂ ପବିତ୍ର ନଦୀ  । ଏହାର ଲମ୍ବା ୨୫୦୦ କିଲୋମିଟର । ପ୍ରାୟ ୪୦ କୋଟି ଲୋକ ଗଙ୍ଗା ନଦୀର ଜଳ ଉପରେ ନିର୍ଭର କରିଥାନ୍ତି । ଏହି ପାଣି ଗଙ୍ଗୋତ୍ରି ଗ୍ଲାସିୟରରୁ ମିଳିଥାଏ । ହେଲେ ଏହି ଗ୍ଲାସିୟର ମଧ୍ୟ ବିପଦରେ । ୩୦ କିମି ଲମ୍ବା ଏହି ଗ୍ଲାସିୟର ୮୭ ବର୍ଷ ମଧ୍ୟରେ ୨ କିଲୋମିଟର ଭାଗ ତରଳି ଗଲାଣି ।

ଭାରତର ହିମାଳୟ କ୍ଷେତ୍ରରେ ୯୫୭୫ ଗ୍ଲାସିୟର ରହିଛି । ଏଥିରୁ ୯୬୮ ଗ୍ଲାସିୟର କେବଳ ଉତ୍ତରାଖଣ୍ଡରେ ରହିଛି । ଗ୍ଲୋବାଲ ୱାର୍ମିଂ ଯୋଗୁ ଏହି ଗ୍ଲାସିୟର ତରଳିବାରେ ଲାଗିଛି । ଗଙ୍ଗୋତ୍ରୀ ଗ୍ଲାସି୍ୟରର ମୁହଁରେ ରହିଛି ଗୋମୁଖ । ଏହି ଗୋମୁଖରୁ ଗଙ୍ଗା ବାହାରିଛି । ଏକ ବୈଜ୍ଞାନିକ ଅଧ୍ୟୟନରୁ ଜଣାଯାଇଛି, ୧୯୩୫ରୁ ୨୦୨୨ ପର୍ଯ୍ୟନ୍ତ ଗଙ୍ଗୋତ୍ରି ଗ୍ଲାସିୟରର ସମ୍ମୁଖ ଭାଗ ୧୭୦୦ ମିଟର ତରଳି ଯାଇଛି  । ଶୀତଋତୁରେ ଏଠାରେ ବରଫପାତ ହୁଏ  । କିନ୍ତୁ ଏବେ ଏଠାରେ ଅପେକ୍ଷାକୃତ କମ ବରଫ ପଡୁଛି ।

ତେବେ ଗ୍ଲାସିୟାର ତରଳିଯିବାର ଅନେକ କାରଣ ହୋଇପାରେ । ଯେମିତି ଜଳବାୟୁ ପରିବର୍ତ୍ତନ, କମ ବରଫପାତ, ତାପମାତ୍ରା ବୃଦ୍ଧି, ଲଗାତାର ବର୍ଷା ଆଦି କାରଣ ଯୋଗୁ ଗ୍ଲାସିୟାର ତରଳୁଛି । ତେବେ ଗଙ୍ଗୋତ୍ରୀର ସମ୍ମୁଖ ପାଖ ବେଶୀ ବିପଦରେ ।

ବୈଜ୍ଞାନିକମାନେ କହିଛନ୍ତି, ୨୦୧୭ ଜୁଲାଇ ୧୭ ତାରିଖରୁ ଜୁଲାଇ ୨୦ ତାରିଖ ୩ ଦିନ ଯାଏ ଲଗାତାର ବର୍ଷା ହୋଇଥିଲା । ଫଳରେ ଗ୍ଲାସିୟର ମୁହଁ ଏବଂ ତାର ଆଖପାଖ ଅଞ୍ଚଳ ଦ୍ରୁତ ଗତିରେ ତରଳୁଛି । ଏହାଦ୍ୱାରା ତଳ ଭାଗରେ ଜଳର ସ୍ରୋତ ପ୍ରଖର ହେଉଛି ।

Leave A Reply

Your email address will not be published.