Latest Odisha News

BREAKING NEWS

କରୋନା ମୁକାବିଲା: ଦୂରଦୂରାନ୍ତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଛି ଡାକ ବିଭାଗ

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣ କାଳରେ ଭାରତୀୟ ଡାକ ବିଭାଗ ଏହାର ବିଶାଳ ସଂଗଠନ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ସହାୟତା ଯୋଗାଇ ଦେଉଛି ।

ଯୋଗାଯୋଗ, ଆଇନ, ନ୍ୟାୟ, ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ପ୍ରତ୍ୟେକ ରାଜ୍ୟର ମୁଖ୍ୟ ମହାଡାକପାଳ ଓ ମୁଖ୍ୟ ସାଧାରଣ ପ୍ରବନ୍ଧକମାନଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ସମଗ୍ର ଦେଶର ଲୋକମାନଙ୍କୁ ସାହାଯ୍ୟକରିବା ନେଇ ଆଲୋଚନା କରିଛନ୍ତି ।

କରୋନା ଯୋଦ୍ଧା ଭାବେ ଡାକ ବିଭାଗ ଦୂର ଦୁରାନ୍ତରେ ଥିବା ଲକ୍ଷ ଲକ୍ଷ ଜନସାଧାରଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାରେ ସକ୍ଷମ ହୋଇଛି ।

ଖାଦ୍ୟ ଓ ଶୁଖିଲା ସଉଦା ସାମଗ୍ରୀ ବଣ୍ଟନ
ଭିଡିଓ କନଫରେନ୍ସ ଜରିଆରେ ଶ୍ରୀ ରବି ଶଙ୍କର ପ୍ରସାଦ ଗରିବ ଓ ଅବହେଳିତ ବ୍ୟକ୍ତିମାନଙ୍କ ନିକଟରେ ଜରୁରି ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ଲାଗି ଗୁରୁତ୍ଵ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଡାକ ବିଭାଗର କର୍ମଚାରୀମାନେ ବିଭିନ୍ନ ସହରତଳି, ଦାଦନ ଶ୍ରମିକ ଓ ଦିନ ମଜୁରିଆଙ୍କୁ ଖାଦ୍ୟ, ଶୁଖିଲା ସଉଦାପତ୍ର ଓ ମାସ୍କ ଇତ୍ୟାଦି ବିତରଣ କରୁଛନ୍ତି । ଗତ କିଛିଦିନ ମଧ୍ୟରେ ସେମାନେ ୧ ଲକ୍ଷ ଖାଦ୍ୟ ଓ ସଉଦାପତ୍ର ପୁଡିଆ ବଣ୍ଟନ କରିଛନ୍ତି ।

କେବଳ ଉତ୍ତରପ୍ରଦେଶର ନଇଡା, ଗାଜିଆବାଦ, ଲକ୍ଷ୍ନୌ, ପ୍ରୟାଗରାଜ ଓ ଫଇଜାବାଦ ଅଞ୍ଚଳରେ ସେମାନେ ୫୦ ହଜାର ଖାଦ୍ୟ ଓ ଶୁଖିଲା ସଉଦାପତ୍ର ପୁଡିଆ ଦାଦନ ଓ ନିର୍ମାଣ ଶ୍ରମିକ ଏବଂ ଜରୁରି ଆବଶ୍ୟକ କରୁଥିବା ଲୋକଙ୍କୁ ବାଣ୍ଟିଛନ୍ତି । ସେହିଭଳି ବିହାରରେ ୧୬ ହଜାର ଖାଦ୍ୟ ପୁଡିଆ, ୧୧ ହଜାର ସାବୁନ, ଗ୍ଲୋବ୍ସ, ମାସ୍କ ଓ ସାନିଟାଇଜର ପ୍ୟାକେଟ ସ୍ଵେଚ୍ଛାକୃତ ଭାବେ ବାଣ୍ଟିଛନ୍ତି ।

ଉଦାହରଣ ସ୍ୱରୂପ ତେଲଙ୍ଗାନାର ହାଇଦ୍ରାବାଦ ମହାନଗରରେ ଲକଡାଉନ ସମୟରେ ଡାକ କର୍ମଚାରୀମାନେ ସରକାରୀ ଭ୍ୟାନରେ ୧୭୫୦ ପରିବାରକୁ ଖାଦ୍ୟ ଓ ଅନ୍ୟାନ୍ୟ ସଉଦାପତ୍ର ବାଣ୍ଟିଛନ୍ତି । ସେହିପରି ନାଗପୁରରେ ପ୍ରାୟ ୧୫୦୦ ଦାଦନ ଶ୍ରମିକଙ୍କୁ ଖାଦ୍ୟ ଓ ଶୁଖିଲା ସଉଦାପତ୍ର ପ୍ରଦାନ କରିଛନ୍ତି । ପଞ୍ଜାବ ଡାକ ମଣ୍ଡଳ ପକ୍ଷରୁ ଭ୍ରାମ୍ୟମାଣ ଗାଡିରେ ନିର୍ମାଣ ଶ୍ରମିକ, ବୁଲାବେପାରୀ, ରିକ୍ସା ଚାଳକ ଓ ପିଜିଆଇ ଚଣ୍ଡିଗଡରେ ଥିବା ରୋଗୀମାନଙ୍କ ସହାୟକ ଓ ଚଣ୍ଡିଗଡର ବିଭିନ୍ନ ଅଞ୍ଚଳରେ ଫସି ରହିଥିବା ଶ୍ରମିକମାନଙ୍କୁ ଖାଦ୍ୟ ପଦାର୍ଥ ବାଣ୍ଟିଛନ୍ତି । ଚଣ୍ଡିଗଡର ଖାଦ୍ୟ ଓ ଯୋଗାଣ ବିଭାଗ ସହଯୋଗରେ ଡାକ କର୍ମଚାରୀମାନେ ମେଲ ଭ୍ୟାନ ଜରିଆରେ ବିଭିନ୍ନ ସ୍ଥାନରେ ଦୁଇ ଓଳି ଖାଦ୍ୟ ପୁଡିଆ ବଣ୍ଟନ କରିଛନ୍ତି । ୨୦୦୦ ରୁ ୩୫୦୦ ପର୍ଯ୍ୟନ୍ତ ଲୋକଙ୍କୁ ଖାଦ୍ୟ ବାଣ୍ଟିବା ସମୟରେ ସେମାନେ ସାମାଜିତ ଦୂରତା ରକ୍ଷା କରି ଏହି କାର୍ଯ୍ୟକ୍ରମ ତୁଲାଇଛନ୍ତି ।

ମୁମ୍ବାଇରେ ଡାକ କର୍ମଚାରୀମାନେ ଦାଦନ ଶ୍ରମିକ ଓ ସହରତଳି ଲୋକମାନଙ୍କୁ ଖାଇବା ଦେବା ସହ ସବୁଠୁ ଅଧିକ କରୋନା ପ୍ରଭାବିତ ଧରାଭୀ ଅଞ୍ଚଳରେ ମାସ୍କ ଓ ସାନିଟାଇଜର ବାଣ୍ଟିଛନ୍ତି ।

ଔଷଧପତ୍ର ଯୋଗାଣ ବ୍ୟବସ୍ଥା:

ଲକଡାଉନ କାଳରେ ସାଧାରଣ ଔଷଧପତ୍ର ମିଳୁଥିବା ବେଳେ କର୍କଟ, ବୃକକ ଉପଚାର ଓ ଅନ୍ୟାନ୍ୟ ଗୁରୁତର ରୋଗଗୁଡିକ ପାଇଁ ବିଭିନ୍ନ ସ୍ଥାନରୁ ଔଷଧ ମଗାଇବାକୁ ପଡିଥାଏ । ଏ ସଂକ୍ରାନ୍ତରେ ଦୂରସଞ୍ଚାର ମନ୍ତ୍ରୀଙ୍କୁ ଅନେକ ଲୋକ ପ୍ରସ୍ତାବ ଦେବା ସହ ଟ୍ଵିଟର ଜରିଆରେ ଜଣାଇଥିଲେ । ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଡାକ ବିଭାଗକୁ ତ୍ଵରିତ ଡାକସେବା ଜରିଆରେ ଜୀବନ ରକ୍ଷାକାରୀ ଔଷଧ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ।

ଦୂଆର ମୁହଁରେ ଆର୍ଥିକ ସେବା:
ଆଧାରଯୁକ୍ତ ଅର୍ଥ ଉଠାଣ ବ୍ୟବସ୍ଥା ଜରିଆରେ ଡାକ ବିଭାଗ ଘରେ ଘରେ ନଗଦ ଅର୍ଥ ପ୍ରଦାନ ସୁବିଧା କରିଛି । ଏହାଫଳରେ ମନରେଗା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ବାବଦ ଅର୍ଥକୁ ହିତାଧିକାରୀମାନଙ୍କୁ ପ୍ରତ୍ୟକ୍ଷ ଅର୍ଥ ପଇଠ ବ୍ୟବସ୍ଥା ଜରିଆରେ ପ୍ରଦାନ କରାଯାଉଛି ।

Leave A Reply

Your email address will not be published.