ନୂଆଦିଲ୍ଲୀ: ଗ୍ଲାସଗୋରେ ଚାଲିଥିବା କମନୱେଲଥ୍ ଗେମ୍ସରେ ଭାରତୀୟ ବକ୍ସରମାନେ ଚମତ୍କାର ପ୍ରଦର୍ଶନ କରି ୯ଟି ମେଡାଲ ନିଶ୍ଚିତ କରିଛନ୍ତି । ବୁଧବାର ପୁରୁଷ ବର୍ଗରେ ନରେନ୍ଦ୍ର ବେରୱାଲ ୯୦ , ଅଙ୍କୁଶ ପଂଘାଲ ୮୦ ଏବଂ ସଚିନ ସିୱାଚ ୭୦ କିଗ୍ରାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପଟେ ମହିଳା ବର୍ଗରେ ଅରୁନ୍ଧତୀ ଚୌଧୁରୀ ୭୦ ଏବଂ ସାକ୍ଷୀ ଚୌଧୁରୀ ୫୧କିଗ୍ରାର ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି। ନରେନ୍ଦ୍ର ବେରୱାଲ ସମୋଆର ମାଇକେଲ ସେକୋଙ୍କୁ ୩-୨ ରେ ହରାଇ ସେମିଫାଇନାଲରେ ପହଞ୍ଚିବାରେ ୯ମ ଭାରତୀୟ ବକ୍ସର ହୋଇଛନ୍ତି । ଅଙ୍କୁଶ ପଂଘାଲ ସେସେଲ୍ସର ଜେ ମିକକ୍ଙ୍କୁ, ସଚିନ ସିୱାଚ ବୋତସୱାନାର ଟ୍ରେଜର ମୋରେମିଙ୍କୁ , ଅରୁନ୍ଧତୀ ଚୌଧୁରୀ ନ୍ୟୁଜିଲ୍ୟାଣ୍ଡର ମୋର୍ଗାନ ଏଡରସନଙ୍କୁ ୩-୧ ରେ ପରାସ୍ତ କରିଛନ୍ତି । ସାକ୍ଷୀ ଚୌଧୁରୀ ମହିଳା ୫୧ କିଗ୍ରାର ନର୍ଦର୍ନ ଆୟରଲ୍ୟାଣ୍ଡର କ୍ୟାଥଲିନ ଫ୍ରେୟରଙ୍କୁ ୫-୦ ରେ ହରାଇ ସେମିରେ ପ୍ରବେଶ କରିଛନ୍ତି ।
ଏହା ପୂର୍ବରୁ ଲଭଲିନା ବୋରଗୋହେନ, ପ୍ରୀତି ପାୱାର, ପ୍ରିୟା ଘଙ୍ଗାସ ଏବଂ ଜଦୁମଣି ସିଂ ସେମିଫାଇନାଲରେ ପହଞ୍ଚି ମେଡାଲ ପକ୍କା କରିସାରିଛନ୍ତି । ଭାରତର ଷ୍ଟାର୍ ଶଟ୍ପୁଟ୍ ଖେଳାଳି ତଜିନ୍ଦରପାଲ ସିଂହ ତୂର ଏବଂ ସମରଦୀପ ସିଂହ ଗିଲ୍ ଫାଇନାଲ୍ ପାଇଁ କ୍ୱାଲିଫାଇ କରିଛନ୍ତି । ତୂର ନିଜର ଦ୍ୱିତୀୟ ପ୍ରୟାସରେ ୨୦.୧୪ ମିଟର ଥ୍ରୋ କରି ସିଧାସଳଖ ଫାଇନାଲ୍ ଟିକେଟ୍ ହାସଲ କରିଛନ୍ତି । ସମରଦୀପ ସିଂହ ଗିଲ୍ ପ୍ରଥମ ପ୍ରୟାସରେ ୧୯.୯୫ ମିଟର ଥ୍ରୋ କରି ମୋଟ୍ ୫ମ ସ୍ଥାନରେ ରହି ଫାଇନାଲ୍କୁ ଯାଇଛନ୍ତି । ଏହି ଫାଇନାଲ ମ୍ୟାଚ୍ ଗୁରୁବାର ଖେଳାଯିବ । ଭାରତ ୨ଟି ସ୍ୱର୍ଣ୍ଣ ସହ ମୋଟ ୧୨ଟି ମେଡାଲ ଜିତି ପଏଣ୍ଟସ ଟେବୁଲର ୯ମ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ: ୩୫ଟି ସ୍ୱର୍ଣ୍ଣ ପଦକ ସହ ପ୍ରଥମ ସ୍ଥାନରେ ରହିଛି ।

Comments are closed.