Latest Odisha News

BREAKING NEWS

ଜୁନିୟର ଏସିଆ କପ ହକି : ମାଲେସିଆକୁ ୧୧-୧ ଗୋଲରେ ହରାଇଲା ଭାରତ

ମୋଚି (ଚୀନ୍): ଚୀନ୍‌ର ମୋଚିଠାରେ ଆୟୋଜିତ  ଜୁନିୟର ଏସିଆ କପ ୨୦୨୬ରେ ଭାରତୀୟ ଜୁନିୟର ମହିଳା ହକି ଦଳ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛି । ରବିବାର ଖେଳାଯାଇଥିବା ଏଲାଇଟ୍ ପୁଲ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ମାଲେସିଆକୁ ୧୧-୧ ଗୋଲ୍‌ର ବୃହତ ବ୍ୟବଧାନରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଗତ ମ୍ୟାଚ୍‌ରେ ଦକ୍ଷିଣ କୋରିଆକୁ ୪-୧ରେ ହରାଇଥିବା ଚାମ୍ପିଅନ୍ ଭାରତୀୟ ଦଳ ଏହି ମ୍ୟାଚ୍‌ରେ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲା । ଦଳ ପକ୍ଷରୁ ସମୁଦାୟ ୭ ଜଣ ଖେଳାଳି ଗୋଲ ସ୍କୋର କରିଥିଲେ । ଏଥିମଧ୍ୟରୁ ୪ଟି ଫିଲ୍ଡ ଗୋଲ୍, ୫ଟି ପେନାଲ୍ଟି କୋର୍ନର ଏବଂ ୨ଟି ପେନାଲ୍ଟି ଷ୍ଟ୍ରୋକ୍ ରହିଥିଲା ।

ପୂଜା ସାହୁ (୧ମ, ୪୨ତମ), ପୂର୍ଣ୍ଣିମା ଯାଦବ( ୪ର୍ଥ , ୧୭ତମ ), ବିନିମା ଧାନ୍ (୮ମ), କୃଷ୍ଣା ଶର୍ମା (୧୪ତମ ), ସୁଖବୀର କୌର (୨୧ତମ), ଗୀତା ଯାଦବ (୨୮ତମ , ୫୩ତମ), ସନିକା ଚନ୍ଦ୍ରକାନ୍ତ ମାନେ( ୪୩ତମ, ୫୮ତମ) ଭାରତ ପକ୍ଷରୁ ଗୋଲ ସ୍କୋର କରିଥିଲେ  । ମାଲେସିଆ ପକ୍ଷରୁ ମ୍ୟାଚ୍‌ର ୩୮ତମ ମିନିଟ୍‌ରେ ନୁର ମହମ୍ମଦ ଏକମାତ୍ର ସାନ୍ତ୍ୱନାମୂଳକ ଗୋଲ୍ ସ୍କୋର କରିଥିଲେ । ହାଫ୍-ଟାଇମ୍ ସୁଦ୍ଧା ଭାରତ ୭-୦ ଗୋଲ୍‌ରେ ଆଗୁଆ ରହି ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିଲା । ଏହି ବିଜୟ ସହ ଭାରତୀୟ ଦଳ ୨ଟି ମ୍ୟାଚ୍‌ରୁ ୬ ପଏଣ୍ଟ ପାଇ ପଏଣ୍ଟ ଟେବୁଲ୍‌ର ଶୀର୍ଷ ସ୍ଥାନ ଦଖଲ କରିଛି । ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ଚୀନ୍ ଏବଂ ଜାପାନ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ସୋମବାର ବିଶ୍ରାମ ଦିବସ ପରେ, ଭାରତୀୟ ଦଳ ସେପ୍ଟେମ୍ବର ୮ ତାରିଖରେ ନିଜର ତୃତୀୟ ମ୍ୟାଚ୍‌ରେ ଜାପାନକୁ ଭେଟିବ ।

Leave A Reply

Your email address will not be published.