Latest Odisha News

BREAKING NEWS

India warn UN: ବଦଳିବ ବିଶ୍ୱ ମାନଚିତ୍ର…ହେଲେ ଚଳିବନି ଜମ୍ମୁ-କଶ୍ମୀର ଓ ଲଦାଖର ଭୁଲ୍ ଚିତ୍ରଣ! UNରେ ଭାରତର କଡ଼ା ଆଭିମୁଖ୍ୟ

ନୂଆଦିଲ୍ଲୀ: ବିଶ୍ୱ ମାନଚିତ୍ରକୁ ଅଧିକ ସଠିକ୍ ଓ ବାସ୍ତବସମ୍ମତ କରିବା ପାଇଁ ଜାତିସଂଘ ଆଣିଥିବା ପ୍ରସ୍ତାବକୁ ଭାରତ ସମର୍ଥନ କରିଛି। କିନ୍ତୁ ଏହି ମାନଚିତ୍ରରେ ଭାରତର ସାର୍ବଭୌମ ଅଞ୍ଚଳ, ବିଶେଷକରି ଜମ୍ମୁ-କଶ୍ମୀର ଓ ଲଦାଖକୁ ଭୁଲ୍ କିମ୍ବା ବିଭ୍ରାନ୍ତିକର ଭାବେ ଦର୍ଶାଇଲେ ତାହା କୌଣସି ପରିସ୍ଥିତିରେ ଗ୍ରହଣୀୟ ହେବ ନାହିଁ ବୋଲି ସ୍ପଷ୍ଟ କରିଛି ଭାରତ।

ସେପ୍ଟେମ୍ବର ୪ରେ ଜାତିସଂଘ ସାଧାରଣ ସଭାରେ ““ମାନଚିତ୍ରକୁ ସଠିକ୍ କରିବା: ବିଶ୍ୱର ମାନଚିତ୍ରରେ ଭୌଗୋଳିକ ପ୍ରତିନିଧିତ୍ୱର ପୁନଃସନ୍ତୁଳନ ଏବଂ ବିଶ୍ୱର ବିଭିନ୍ନ ଅଞ୍ଚଳ, ବିଶେଷକରି ଆଫ୍ରିକାର ସମାନ ଓ ନ୍ୟାୟସଙ୍ଗତ ପ୍ରତିନିଧିତ୍ୱକୁ ପ୍ରୋତ୍ସାହନ” ଶୀର୍ଷକ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ବିଶ୍ୱ ମାନଚିତ୍ରରେ ବିଭିନ୍ନ ମହାଦେଶର ପ୍ରକୃତ ଆକାରକୁ ଅଧିକ ସଠିକ୍ ଭାବେ ଦର୍ଶାଇବା।

ଭାରତ ଏହି ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିଲା। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ, ଭାରତ ଏହି ପ୍ରସ୍ତାବକୁ ସମର୍ଥନ କରିବା ସହ ନିଜର ଭୋଟ୍ ବ୍ୟାଖ୍ୟା ମଧ୍ୟ ଦେଇଛି। ପ୍ରସ୍ତାବଟି କୌଣସି ନିର୍ଦ୍ଦିଷ୍ଟ ମାନଚିତ୍ର, ମାନଚିତ୍ର ପ୍ରକ୍ଷେପଣ କିମ୍ବା ଦେଶର ସୀମାର ନିର୍ଦ୍ଦିଷ୍ଟ ଚିତ୍ରଣକୁ ସମର୍ଥନ କରୁନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଜୟସୱାଲ କହିଛନ୍ତି, ଭାରତର ସାର୍ବଭୌମ ଅଞ୍ଚଳ, ଜମ୍ମୁ-କଶ୍ମୀର ଓ ଲଦାଖ ସମେତ, ଭାରତର ଅଧିକାରିକ ମାନଚିତ୍ର ଅନୁସାରେ ହିଁ ଦର୍ଶାଇବାକୁ ପଡ଼ିବ। ଏଥିରେ କୌଣସି ଭୁଲ୍ କିମ୍ବା ବିଭ୍ରାନ୍ତିକର ଚିତ୍ରଣକୁ ଭାରତ ଗ୍ରହଣ କରିବ ନାହିଁ। ଭାରତର ସାର୍ବଭୌମତ୍ୱ ଓ ଭୌଗୋଳିକ ଅଖଣ୍ଡତା ନେଇ ଦେଶର ଆଭିମୁଖ୍ୟ ସ୍ପଷ୍ଟ, ନିରନ୍ତର ଏବଂ ଅପରିବର୍ତ୍ତନୀୟ ବୋଲି ସେ କହିଛନ୍ତି।

ଜାତିସଂଘର ଏହି ପ୍ରସ୍ତାବ ଇକ୍ବାଲ ଅର୍ଥ ମ୍ୟାପ୍ ପ୍ରୋଜେକ୍ସନ୍ ଭଳି ମାନଚିତ୍ର ପ୍ରଣାଳୀକୁ ଉତ୍ସାହିତ କରୁଛି। ଏଥିରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାର ଅଧିକ ସଠିକ୍ ଭାବେ ଦେଖାଯାଏ। ତେବେ ଏହି ପ୍ରସ୍ତାବ ରାଜନୈତିକ ସୀମା, ବିବାଦୀୟ ଅଞ୍ଚଳ କିମ୍ବା ସ୍ଥାନର ନାମକୁ ନେଇ କୌଣସି ନିଷ୍ପତ୍ତି ନେଉନାହିଁ। ୧୯୩ ସଦସ୍ୟ ବିଶିଷ୍ଟ UNGAରେ ପ୍ରସ୍ତାବଟିକୁ ୧୬୪ଟି ଦେଶ ସମର୍ଥନ କରିଥିଲେ। ଏସ୍ତୋନିଆ, ଜର୍ଜିଆ, ଲିଥୁଆନିଆ, ମୋଲଡୋଭା, ସର୍ବିଆ ଓ ୟୁକ୍ରେନ୍ ଭୋଟ୍ ଦେବାରୁ ବିରତ ରହିଥିଲେ। କେବଳ ଆମେରିକା ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଥିଲା।

Comments are closed.