ନୂଆଦିଲ୍ଲୀ: ବିଶ୍ୱର ସର୍ବାଧିକ ଜନସଂଖ୍ୟା ଭାରତରେ। ଭାରତର ଜନସଂଖ୍ୟା ୨୦୨୫ରେ ୧୪୬ କୋଟିରେ ପହଞ୍ଚତ୍ବାକୁ ଯାଉଥିବା ଆକଳନ କରାଯାଇଛି। ମଙ୍ଗଳବାର ଦିନ ଜାତିସଂଘ ଜନସଂଖ୍ୟା ପାଣ୍ଠି (UNFPA) ଦ୍ୱାରା ପ୍ରକାଶିତ ସଦ୍ୟତମ ରିପୋର୍ଟରେ ଏହା ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ଦେଶର ମୋଟ ପ୍ରଜନନ ହାର ପ୍ରତିସ୍ଥାପନ ହାର (ଅର୍ଥାତ୍ ଜନସଂଖ୍ୟା ବଜାୟ ରଖିବା ପାଇଁ ଆବଶ୍ୟକ ପ୍ରଜନନ ସ୍ତର) ଠାରୁ କମ୍ ରହିଛି। ୟୁଏନ୍ଏଫ୍ପିଏର ଚଳିତ ବର୍ଷର ଷ୍ଟେଟ୍ ଅଫ୍ ଓ୍ବାଲର୍ଡ ପପୁଲେଶନ (ଏସ୍ଓଡବ୍ଲ୍ୟୁପି) ରିପୋର୍ଟ, ଦି ରିଅଲ ଫର୍ଟିଲିଟି କ୍ରାଇସିସ୍ର ତଥ୍ୟ ଅନୁଯାୟୀ, ବିଭିନ୍ନ ଦେଶରେ ପ୍ରଜନନ ହାର ଭୟଙ୍କର ଭାବେ ହ୍ରାସ ପାଉଛି, ଯାହା ପ୍ରଜନନ ଲକ୍ଷ୍ୟ ପୂରଣ ପାଇଁ ସମର୍ଥ ନୁହେଁ। ଅନେକ ଲକ୍ଷ ଲୋକ ସେମାନଙ୍କ ବାସ୍ତବ ପ୍ରଜନନ ଲକ୍ଷ୍ୟ ବୁଝିବାକୁ ଅସମର୍ଥ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଭାରତରେ ମୋଟ ପ୍ରଜନନ ହାର (TFR) ବର୍ତ୍ତମାନ ପ୍ରତି ମହିଳାଙ୍କ ପାଇଁ ୨.୦ ସନ୍ତାନ। ଏହାର ଅର୍ଥ ହେଉଛି ଯେ, ଭାରତରେ ଜଣେ ମହିଳାଙ୍କ ପ୍ରଜନନ ବର୍ଷ (ସାଧାରଣତଃ ୧୫-୪୯ ବର୍ଷ ବୟସ) ମଧ୍ୟରେ ହାରାହାରି ୨ଟି ସନ୍ତାନ ହେବାର ଆଶା କରାଯାଏ। ନମୁନା ପଞ୍ଜିକରଣ ପ୍ରଣାଳୀ (SRS)ର ୨୦୨୧ ରିପୋର୍ଟ ଅନୁଯାୟୀ, ଏହି ହାର ୨୦୨୦ ପରଠାରୁ ସ୍ଥିର ରହିଛି।
ଜାତିସଂଘ ରିପୋର୍ଟ ଅନୁଯାୟୀ ଭାରତରେ ମହିଳାଙ୍କ ମୋଟ ପ୍ରଜନନ ହାର ୧.୯କୁ ହ୍ରାସ ପାଇଛି। ଜନସଂଖ୍ୟା ସ୍ତରକୁ ବଜାୟ ରଖିବାକୁ ହେଲେ ପ୍ରଜନନ ହାର ୨.୧ ଆବଶ୍ୟକ ଥିବାବେଳେ ବର୍ତ୍ତମାନ ତାହା ହ୍ରାସ ପାଇ ୧.୯ରେ ପହଞ୍ଚିଛି। ଜନ୍ମ ହାର ହ୍ରାସ ସତ୍ତ୍ୱେ ଭାରତରେ ଯୁବ ଜନସଂଖ୍ୟା ବେଶ୍ ଭଲ ରହିଛି। ୦ରୁ ୧୪ ବର୍ଷ ବୟସ ବର୍ଗର ପିଲାଙ୍କ ହାର ୨୪% ହୋଇଥିବାବେଳେ ୧୦ରୁ ୧୯ ବର୍ଷ ବର୍ଗର ପିଲାଙ୍କ ହାର ୧୭% ଏବଂ ୧୦ରୁ ୨୪ ବର୍ଷ ପିଲାଙ୍କ ହାର ୨୬% ରହିଛି। କାର୍ଯ୍ୟକ୍ଷମ ବୟସ (୧୫ରୁ ୬୪ ବର୍ଷ)ର ଲୋକଙ୍କ ହାର ୬୮ ପ୍ରତିଶତ ରହିଥିବା ରିପୋର୍ଟରୁ ଜଣାପଡ଼ିଛି। ୬୫ ବର୍ଷ ଓ ତଦୁର୍ଦ୍ଧ୍ଵ ବୟସର ଲୋକଙ୍କ ସଂଖ୍ୟା ୭ ପ୍ରତିଶତକୁ ହ୍ରାସ ପାଇଛି।
ଆୟୁଷ ବଢ଼ିବା ସହ ଆଗାମୀ ଦିନରେ ବୟସ୍କ ଜନସଂଖ୍ୟା ବଢ଼ିବା ଆଶା କରାଯାଉଛି। ବର୍ତ୍ତମାନ ସମୟରେ ପ୍ରତ୍ୟାଶିତ ଆୟୁଷ ପୁରୁଷଙ୍କ ପାଇଁ ୭୧ ବର୍ଷ ଓ ମହିଳାଙ୍କ ପାଇଁ ୭୪ ବର୍ଷ ରହିଛି। ଜାତିସଂଘ ଆକଳନ ଅନୁଯାୟୀ ଭାରତର ବର୍ତ୍ତମାନର ଜନସଂଖ୍ୟା ୧୪୬.୩୯ କୋଟି ହୋଇଥିବାବେଳେ ଏହା ହ୍ରାସ ପାଇବା ଆରମ୍ଭ ହେବା ପୂର୍ବରୁ ଆଗାମୀ ୪୦ ବର୍ଷ ମଧ୍ୟରେ ୧୭୦ କୋଟିରେ ପହଞ୍ଚିବ ବୋଲି ରିପୋର୍ଟରେ ଆଶା ବ୍ୟକ୍ତ କରାଯାଇଛି।
ଭାରତ ସମେତ ୧୪ ଦେଶର ୧୪ ହଜାର ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଆୟ ସୀମିତ ହୋଇଥିବାରୁ ପରିବାର ବଢ଼ାଇବାକୁ ଚାହୁଁ ନ ଥିବା ଭାରତର ୩୮ ପ୍ରତିଶତ ମତ ଦେଇଥିଲେ। ସେହିପରି ଚାକିରିରେ ସୁରକ୍ଷା ନ ଥିବା କାରଣରୁ ୨୧%, ଘର ସମସ୍ୟା ପାଇଁ ୨୨% ଏବଂ ବିଶ୍ୱସ୍ତ ଶିଶୁଯତ୍ନ ଅଭାବ ପାଇଁ ୧୮ ପ୍ରତିଶତ ପିଲା ଜନ୍ମ କରିବାକୁ ଚାହୁଁ ନ ଥିବା ରିପୋର୍ଟରେ କୁହାଯାଇଛି। ଏହା ବ୍ୟତୀତ ଅସୁସ୍ଥତା, ବନ୍ଧ୍ୟାତ୍ୱ, ଗର୍ଭାବସ୍ଥା ସମୟର ଯତ୍ନର ଅଭାବ ଆଦି ଅନ୍ୟ କାରଣ ମଧ୍ୟ ରହିଛି।
Comments are closed.