Latest Odisha News

BREAKING NEWS

ଭାରତର ୧ ପ୍ରତିଶତ ଧନୀଙ୍କ ପାଖରେ ଦେଶର ୪୦ ପ୍ରତିଶତରୁ ଅଧିକ ସମ୍ପତ୍ତି

ନୂଆଦିଲ୍ଲୀ: ଭାରତରେ ବଢ଼ୁଛି ଧନୀଙ୍କ ସଂଖ୍ୟା । ଅକ୍ସଫାମର ରିପୋର୍ଟ ଅନୁସାରେ, ଦେଶରେ ୨୦୨୦ ମସିହାରେ ୧୦୨ ଜଣ ବିଲିଅନାରୀ ଥିଲେ । ୨୦୨୨ରେ ବିଲିଅନାରୀ ଅର୍ଥାତ୍ ଅରବପତିଙ୍କ ସଂଖ୍ୟା ୧୬୬କୁ ବୃଦ୍ଧି ପାଇଛି ।

ସୋମବାର ଅକ୍ସଫାମ ଇଣ୍ଟରନାସନାଲ ପକ୍ଷରୁ ୱାର୍ଲ୍ଡ ଇକୋନୋମିକ ଫୋରମ୍ ଆନୁଆଲ୍ ମିଟିଂରେ ପ୍ରକାଶ ପାଇଛି ଇନଇକ୍ୱାଲିଟି ରିପୋର୍ଟ । ଯେଉଁଥିରେ କୁହାଯାଇଛି, ଭାରତର ୧ ପ୍ରତିଶତ ଧନୀଙ୍କ ପାଖରେ ଥିବା ସମ୍ପତ୍ତିର ମୂଲ୍ୟ ଦେଶର ମୋଟ ସମ୍ପତ୍ତିର ୪୦ ପ୍ରତିଶତରୁ ଅଧିକ ।

ଯେତେବେଳେ କି ଦେଶର ଅଧା ଲୋକଙ୍କ ପାଖରେ ଦେଶର ମୋଟ ସମ୍ପତ୍ତିର ମାତ୍ର ୩ ପ୍ରତିଶତ ଧନ ରହିଛି । ଅକ୍ସଫାମ ରିପୋର୍ଟରେ ଆହୁରି କହିଛି, ଦେଶର ସର୍ବଶ୍ରେଷ୍ଠ ୧୦ ଜଣ ଧନୀଙ୍କ ଉପରେ ୫ ପ୍ରତିଶତ ଟିକସରେ ପାଠ ଛାଡ଼ିଥିବା ଛୁଆଙ୍କୁ ସ୍କୁଲକୁ ଫେରାଇ ଆଣି ହେବ ।

ଏହା ଛଡ଼ା ଗୌତମ ଆଦାନୀଙ୍କ ଭଳି ଅରବପତି ୨୦୧୭-୨୦୨୧ ମଧ୍ୟରେ ୧.୭୯ ଲକ୍ଷ କୋଟି ଆୟକର ରିଟର୍ଣ୍ଣରୁ ପାଇଛନ୍ତି । ଏଥିରେ ବର୍ଷେ ଲାଗି ଦେଶର ୫ ବିଲିୟନ୍ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ଦରମା ଦେଇ ହେବ ।

ଅକ୍ସଫାମ ଆହୁରି କହିଛି, ଭାରତର ଅରବପତି ସେମାନଙ୍କ ମୋଟ ସମ୍ପତ୍ତିର ମାତ୍ର ୨ ପ୍ରତିଶତ ଟିକସ ଦେଲେ ଆସନ୍ତା ୩ ବର୍ଷ ଲାଗି ଦେଶରେ ପୋଷଣ କାର୍ଯ୍ୟକ୍ରମ ଚାଲି ପାରିବ । ଯେଉଁଥି ପାଇଁ ୪୦, ୪୨୩ କୋଟି ଟଙ୍କା ଆବଶ୍ୟକ ।

ତା’ ଛଡ଼ା ଦେଶରେ କର୍ମକ୍ଷେତ୍ରରେ ଲିଙ୍ଗଗତ ପ୍ରଭେଦ ଏବେବି ରହିଛି । ଅକ୍ସଫାମର ରିପୋର୍ଟ ଅନୁସାରେ, ମହିଳା କର୍ମଚାରୀଙ୍କୁ ସମାନ କାମ ପାଇଁ ୬୩ ପଇସା ମିଳୁଥିବା ବେଳେ ପୁରୁଷ ୧ ଟଙ୍କା ପାଉଛନ୍ତି । ୨୦୨୨ ନଭେମ୍ବର ପର ଠାରୁ ଦେଶର ଅରବପତିଙ୍କ ସମ୍ପତ୍ତି ୧୨୧ ପ୍ରତିଶତ ଅର୍ଥାତ୍ ଦିନକରେ ୩, ୬୦୮ କୋଟି ବଢ଼ିଥିବା କହିଛି ଅକ୍ସଫାମ ।

ଏବେବି ଦେଶରେ ଦଳିତ, ଆଦିବାସୀ, ମୁସଲିମ୍, ମହିଳା ଓ ଅଣସଂଗଠିତ କ୍ଷେତ୍ରର କର୍ମଚାରୀ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି । ଗରିବ ଅଧିକ କର ଦେଉଥିବା ବେଳେ ଆବଶ୍ୟକ ସାମଗ୍ରୀ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ରିପୋର୍ଟରୁ ଜଣା ପଡ଼ିଛି ।

Leave A Reply

Your email address will not be published.