ନୂଆଦିଲ୍ଲୀ: ପ୍ରାୟଗରାଜରେ ମହାକୁମ୍ଭ ପୂର୍ବରୁ ସୃଷ୍ଟି ହୋଇଛି ଧାର୍ମିକ ପରିବେଶ। ମହାକୁମ୍ଭକୁ ନେଇ ବେଶ ଖୁସି ଅଛନ୍ତି ସାଧୁ ସନ୍ଥ। ହେଲେ ଏହି ସବୁ ମଧ୍ୟରେ ନାଗା ସାଧୁଙ୍କ ପରମ୍ପରା ଚର୍ଚ୍ଚାର ବିଷୟ ହୋଇଛି । କେମିତି ହୁଅନ୍ତି ନାଗା ସାଧୁ ? ନାଗା ସାଧୁ ହେବା ପାଇଁ କ’ଣ ରହିଛି ପ୍ରକ୍ରିୟା, ଆସନ୍ତୁ ଜାଣିବା..
ଜଣେ ସାଧୁଙ୍କ କହିବା ଅନୁସାରେ ନାଗା ସାଧୁ ହେବାର ପ୍ରକ୍ରିୟା ଅତ୍ୟନ୍ତ ଗୁପ୍ତ ଏବଂ କଠିନ। ରାତି ସମୟରେ ସାଧୁମାନଙ୍କୁ ଏହି ଦୀକ୍ଷା ଦିଆଯାଇଥାଏ। ଏହି ଦୀକ୍ଷା ଅର୍ଦ୍ଧ ରାତ୍ରରୁ ଆରମ୍ଭ ହୋଇ ଲଗାତର ୪୮ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ। ଏହି ଦୀକ୍ଷା ସମୟରେ ବାହାର ଦୁନିଆ ସହିତ କୌଣସି ସମ୍ପର୍କ ରଖାଯାଇ ନଥାଏ। ମନକୁ ସଂଯମ ଓ କାମବାସନା ଠାରୁ ଦୂରେଇ ରହିବାକୁ ସାଧୁମାନେ ନାଗା ଭାବରେ ଦୀକ୍ଷା ଗ୍ରହଣ କରିଥାନ୍ତି। ଦୀକ୍ଷା ଗ୍ରହଣ ସମୟରେ ସାଧୁମାନଙ୍କୁ ଆୟୁର୍ବେଦିକ ଔଷଧ ଦିଆଯାଇଥାଏ। ଏହି ଔଷଧ ଦ୍ଵାରା ସେମାନଙ୍କ ମନ ଓ ଶରୀରରେ ନିୟନ୍ତ୍ରଣ ରକ୍ଷା ହୋଇଥାଏ। ପୂର୍ବରୁ ଏହି ଦୀକ୍ଷା ସମୟରେ ଶାରୀରିକ କଷ୍ଟ ମଧ୍ୟ ଦିଆଯାଉଥିଲା। ଏହି କାରଣରୁ କେତେକ ସାଧୁଙ୍କ ମୃତ୍ୟୁ ହେବାରୁ ଆୟୁର୍ବେଦିକ ପ୍ରକ୍ରିୟାରେ ଦୀକ୍ଷା ଦିଆଯାଉଥିବା ସାଧୁ ଜଣଙ୍କ କହିଛନ୍ତି।
ନାଗା ସାଧୁଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ପରମ୍ପରା ଓ ତପସ୍ୟା ଆଧାରିତ। ସେମାନେ କପଡ଼ା ବଦଳରେ ଶରୀରରେ ଭସ୍ମ ଲେପନ କରିଥାନ୍ତି, ଯାହା ତାଙ୍କ ପରମ୍ପରା ଆଧାରିତ। ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତି ପାଇବା ପାଇଁ ସାଧୁମାନେ ନାଗା ଭାବରେ ଦୀକ୍ଷା ଗ୍ରହଣ କରିଥାନ୍ତି। ମହାକୁମ୍ଭରେ ନାଗା ସାଧୁଙ୍କ ଉପସ୍ଥିତି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ସେମାନଙ୍କ ତପସ୍ୟା, ଭସ୍ମ ବା ପାଉଁଶ ବୋଳା ଶରୀର ଓ ରହସ୍ୟମୟ ଜୀବନଶୈଳୀ ସେମାନଙ୍କ ସମ୍ପର୍କରେ ଅନେକ କିଛି ଜାଣିବାକୁ ବାଧ୍ୟ କରିଥାଏ।
ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ
Comments are closed.