ବାଗଦାଦ: ଇରାକର ସଂସଦ ମଙ୍ଗଳବାର ଦିନ ବାଲ୍ୟବିବାହ ଭଳି ଏକ ବୀବାଦୀୟ ସଂଶୋଧିତ ବିଲକୁ ମଞ୍ଜୁରି ଦେଇଛନ୍ତି। ତେବେ ବହୁ ଦଶନ୍ଧି ଧରି ଚାଲିଥିବା ଏହି ଆଇନରେ ସଂଶୋଧନ ପରେ ବର୍ତ୍ତମାନ ୯ ବର୍ଷ ବୟସର ଝିଅମାନଙ୍କୁ ବିବାହ ମଞ୍ଜୁରି ମିଳିଛି।
ଇରାକୀ ସଂସଦର ୱେବସାଇଟ୍ ଅନୁଯାୟୀ, ଏହା ‘ବ୍ୟକ୍ତିଗତ ସ୍ଥିତି ଆଇନ ସଂଶୋଧନ ପ୍ରସ୍ତାବ’ ଏବଂ ‘ସାଧାରଣ କ୍ଷମା ଆଇନର ଦ୍ୱିତୀୟ ସଂଶୋଧନ’ ଆଧାରିତ ଅଟେ।
ତେବେ ମହିଳା ଅଧିକାର ସଦସ୍ୟ ମାନେ ମଞ୍ଜୁର ହୋଇଥିବା ଏହି ଆଇନକୁ ଭୟଙ୍କର ବୋଲି ବର୍ଣ୍ଣନା କରିଛନ୍ତି। କାରଣ ଏହାଦ୍ବାରା ଶିଶୁଙ୍କ ପ୍ରତି ଦୁଷ୍କର୍ମ ବୈଧ ହୋଇଯିବ।
ଇରାକରେ ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାଙ୍କ ବିବାହର ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ଥିଲା। ଗାର୍ଜିୟନ ରିପୋର୍ଟ ଅନୁସାରେ ଇରାକରେ ସଂଖ୍ୟାଗରିଷ୍ଠତା ଥିବା ସିଆ ମୁସଲମାନ ଝିଅମାନଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ ୯ ବର୍ଷ ଓ ସୁନ୍ନି ମୁସଲମାନ ମାନଙ୍କ ପାଇଁ ଏହା ୧୫ ବର୍ଷ ହେବ।
ତେବେ ଇରାକରେ ବାଲ୍ୟବିବାହର ସମସ୍ୟା ଦୀର୍ଘ ଦିନରୁ ଚାଲିଆସିଛି। ୨୦୨୩ ମସିହାରେ ହୋଇଥିବା ମିଳିତ ଜାତିସଂଘର ଏକ ସର୍ଭେରୁ ଜଣାପଡିଛି ଯେ ଇରାକରେ ୨୮ ପ୍ରତିଶତ ଝିଅଙ୍କ ବିବାହ ୧୮ ବର୍ଷ ବୟସ ପୂର୍ବରୁ କରିଦିଆଯାଇଥାଏ। ତେବେ ଦାରିଦ୍ର୍ୟତାରୁ ରକ୍ଷା ପାଇବା ପାଇଁ ଇରାକରେ ବାଲ୍ୟବିବାହ କରାଯାଇଥାଏ ବୋଲି ରିପୋର୍ଟରୁ ଜଣାପଡିଥିଲା।
Comments are closed.