Latest Odisha News

BREAKING NEWS

ରାମମୟ କଂଗ୍ରେସ, କଣ କରିବ ବିଜେପି?

ଭୁବନେଶ୍ୱର: ହିନ୍ଦୁତ୍ୱ ପ୍ରସଙ୍ଗକୁ ନେଇ ଆଗକୁ ବଢୁଛି କି କଂଗ୍ରେସ ? ସାଧାରଣତଃ ବିଜେପିକୁ ହିନ୍ଦୁତ୍ୱ ସହ ଯୋଡ଼ାଯାଏ। କିନ୍ତୁ କର୍ଣ୍ଣାଟକ ନିର୍ବାଚନ ପରେ ଏ କଥାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

କର୍ଣ୍ଣାଟକରେ ବଜରଙ୍ଗ ଦଳ ବ୍ୟାନ କରାଯିବା ପ୍ରସଙ୍ଗକୁ କଂଗ୍ରେସ ଇସ୍ତାହାରରେ ସ୍ଥାନ ଦିଆଯିବା ପରେ ବିଜେପି ଏହାକୁ ବଜରଙ୍ଗବାଲିଙ୍କ ଅପମାନ ବୋଲି କହିବା ସହ ପ୍ରଚାରରେ ଏହାକୁ ଅସ୍ତ୍ର କରିଥିଲା।

ଏପରିକି କଂଗ୍ରେସକୁ ହିନ୍ଦୁ ବିରୋଧୀ କୁହାଯିବା ସହ ବଜରଙ୍ଗ ଦଳ କର୍ଣ୍ଣାଟକ ସମେତ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ କଂଗ୍ରେସ ବିରୋଧରେ ବିକ୍ଷୋଭ କରିଥିଲା। କର୍ଣ୍ଣାଟକ ପ୍ରଚାରରେ ପ୍ରଧାନମନ୍ତ୍ରୀ ମୋଦି ବଜରଙ୍ଗବାଲିଙ୍କ ନାଁ ନେଇ ବିଜେପିକୁ ଭୋଟ ଦେବାକୁ କହିଥିଲେ।

ବିଜେପିର ବରିଷ୍ଠ ନେତାମାନେ କଂଗ୍ରେସକୁ ବଜରଙ୍ଗବାଲି ବିରୋଧୀ କହିବା ସହ ଲୋକଙ୍କୁ କଂଗ୍ରେସକୁ ଭୋଟ ନ ଦେବାକୁ ଆହ୍ୱାନ ଦେଇଥିଲେ। କିନ୍ତୁ ଫଳ ଓଲଟା ହୋଇଥିଲା।

କଂଗ୍ରେସ ଐତିହାସିକ ବିଜୟ ଲାଭ କରିଥିଲା। ଏହି ବିଜୟ ପରେ କଂଗ୍ରେସ ଓଲଟା ହିନ୍ଦୁତ୍ୱ କାର୍ଡ ଖେଳିବା ଦେଖାଯାଇଛି। ଯେଉଁ ବଜରଙ୍ଗବାଲିଙ୍କୁ ନେଇ ବିଜେପି କଂଗ୍ରେସକୁ ପରାଜୟ ରାସ୍ତା ଦେଖାଇବାକୁ ଚାହୁଁଥିଲା ସେହି ବଜରଙ୍ଗବାଲି କଂଗ୍ରେସକୁ ଜିତାଇଦେଲେ ବୋଲି ଦଳ ପକ୍ଷରୁ ଲଗାତର କୁହାଯାଉଛି।

ଏପରିକି ବଜରଙ୍ଗବାଲିଙ୍କ ଗଦା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଧରିବା, କର୍ଣ୍ଣାଟକରେ କଂଗ୍ରେସ ନେତା ଓ କାର୍ଯ୍ୟକର୍ତା ବଜରଙ୍ଗବାଲି ବେଶରେ ସଜେଇ ହେବା ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ ବିଜେପିର ହିନ୍ଦୁତ୍ୱ ଏଜେଣ୍ଡାକୁ ସମ୍ମୁଖୀନ ହେବାକୁ କଂଗ୍ରେସ ବିଭିନ୍ନ ରାଜ୍ୟରେ ହିନ୍ଦୁତ୍ୱ ପ୍ରସଙ୍ଗକୁ ଜୋରଦାର କରୁଥିବା ଦେଖିବାକୁ ମିଳୁଛି।

ଏପରିକି ରାମ ମନ୍ଦିର ଓ ରାମଙ୍କ ପ୍ରସଙ୍ଗକୁ ନେଇ ମଧ୍ୟ ରାଜନୀତି ହେବା ଦେଖାଯାଇଛି। କର୍ଣ୍ଣାଟକ ନିର୍ବାଚନରେ ମଧ୍ୟ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଉଠାଇଥିଲେ। ତେଣୁ ଏ ସବୁକୁ ଆଖି ଆଗରେ ରଖି ହିନ୍ଦୁତ୍ୱ ପ୍ରସଙ୍ଗରେ ଆଉ ଦୁଇ ପାଦ ଆଗକୁ ବଢ଼ିଛି ଛତିଶଗଡ଼ରେ କଂଗ୍ରେସ ସରକାର।

ଛତିଶଗଡ଼ରେ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ମାଧ୍ୟମରେ ରାମଙ୍କୁ ନେଇ ରାଜ୍ୟରେ ଏକ ବଡ଼ ବାତାବରଣ ତିଆରି କରିବାକୁ ଯୋଜନା ହୋଇଛି। ଦେଶ ବିଦେଶର ରାମାୟଣ ମଣ୍ଡଳୀଙ୍କୁ ନେଇ ରାଷ୍ଟ୍ରିୟ ରାମାୟଣ ପ୍ରତିଯୋଗିତା ଆୟୋଜିତ ହେବ।

ଜୁନ ଏକ ତାରିଖରୁ ତିନି ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ରେ ରାୟଗଡ଼ ଜିଲ୍ଲାରେ ରାଷ୍ଟ୍ରୀୟ ରାମାୟଣ ପ୍ରତିଯୋଗିତା ଆୟୋଜିତ ହେବ। ଇଣ୍ଡୋନେସିଆ, କାମ୍ବୋଡିଆ, ଭିଏତନାମ, ଥାଇଲାଣ୍ଡ ଆଦି ଦେଶର କଳାକାର ମାନେ ଏଥିରେ ସାମିଲ ହେବେ।

ପ୍ରତିଯୋଗିତାର ଥିମ ଅରଣ୍ୟକାଣ୍ଡ ରହିଥିବା ବେଳେ ଦେଶ ବିଦେଶର ୫୦୦ ରୁ ଅଧିକ ପ୍ରତିଯୋଗି ଏଥିରେ ସାମିଲ ହେବେ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପ୍ରଭୁ ଶ୍ରୀରାମଙ୍କ ବନବାସ ପ୍ରସଙ୍ଗ, କେଲୋ ମହାଆରତୀ,ଦୀପଦାନ ମହୋତ୍ସବ ସହ ସାମୁହିକ ହନୁମାନ ଚାଳିସା ପାଠ କରାଯିବ।

ଏପରିକି ପ୍ରତିଯୋଗିତାରେ ସାମିଲ ହୋଇଥିବା ବିଭିନ୍ନ ଦଳ ମଧ୍ୟରୁ ପ୍ରଥମ ଦ୍ଵିତୀୟ ତୃତୀୟ ହେଲେ ଯଥାକ୍ରମେ ୫ ଲକ୍ଷ ତିନି ଲକ୍ଷ ଓ ଦୁଇ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖାଯାଇଛି। ଭାରତ ସମେତ ସାରା ବିଶ୍ୱର ବିଭିନ୍ନ ଦେଶରେ ରାମ କଥାର ପ୍ରଚାର ପ୍ରସାର ପାଇଁ କଂଗ୍ରେସର ଏହା ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଯାହାକି ଦେଶର ରାଜନୈତିକ ସ୍ଥିତିକୁ ବେଶ ରୋଚକ କରିଛି।

ଖାଲି ସେତିକି ନୁହେଁ ଛତିଶଗଡ଼ରେ କଂଗ୍ରେସ ସରକାର ଦ୍ୱାରା କରାଯାଉଥିବା ଗୋଧନ ନ୍ୟାୟ ଯୋଜନାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଛତିଶଗଡ଼ରେ ରାମ ବନପଥ ଗମନର ବିକାଶ ପାଇଁ ବହୁ କାର୍ଯ୍ୟ ହୋଇଥିବା କିଛି ଦିନ ତଳେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଥିଲା। ଯାହାକି ଦେଶର କୌଣସି ସରକାର କରି ନାହାଁନ୍ତ ବୋଲି କୁହାଯାଇଥିଲା।

ସେହିପରି ମଧ୍ୟପ୍ରଦେଶରେ ପିସିସି ସଭାପତି କମଲନାଥ ମଧ୍ୟ ସରକାରକୁ ଆସିଲେ ରାମ ବନପଥ ଗମନର ବିକାଶ ପାଇଁ ଅର୍ଥ ବରାଦ କରିବାର ଘୋଷଣା କରିଛନ୍ତି। ତେଣୁ ଏ ସବୁକୁ ଦେଖିଲେ ହିନ୍ଦୁତ୍ୱ ପ୍ରସଙ୍ଗରେ ବିଜେପିକୁ କଂଗ୍ରେସ ଟପିଯିବ କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ତେଣୁ ଆଗକୁ ହେବାକୁ ଥିବା ବିଭିନ୍ନ ପ୍ରମୁଖ ରାଜ୍ୟ ଓ ଦେଶର ସାଧାରଣ ନିର୍ବାଚନ ରେ ବିଜେପିର ପ୍ରମୁଖ ଅସ୍ତ୍ରକୁ କଡା ଚ୍ୟାଲେଞ୍ଜ ଦେବା ପାଇଁ କଂଗ୍ରେସ ଆଗୁଆ ପ୍ରସ୍ତୁତିକୁ ଜୋରଦାର କରି ଲୋକଙ୍କ ମନ ଜିଣୁଥିବା ଆଲୋଚନା ହେଉଛି।

Leave A Reply

Your email address will not be published.