ନୂଆଦିଲ୍ଲୀ: ‘ଭଲ ଝିଅ’ ମାନେ କ’ଣ? ଚୁପ୍ଚାପ୍ ରହିବା, ସବୁ କଥାରେ ଅନ୍ୟମାନଙ୍କୁ ଖୁସି ରଖିବା ଏବଂ ନିଜ ଇଚ୍ଛାକୁ ମାରିଦେବା? ସମାଜର ଏଭଳି ଧାରଣା ନେଇ ଏବେ ଉଠିଛି ଏକ ଗମ୍ଭୀର ପ୍ରଶ୍ନ, ‘ଗୁଡ୍ ଗର୍ଲ ସିଣ୍ଡ୍ରୋମ୍’ କ’ଣ ଦାମ୍ପତ୍ୟ ସମ୍ପର୍କକୁ ପ୍ରଭାବିତ କରୁଛି କି?
କ’ଣ ଏହି ‘ଗୁଡ୍ ଗର୍ଲ ସିଣ୍ଡ୍ରୋମ୍’?
ତେବେ ସମାଜରେ ଅନେକ ଝିଅଙ୍କୁ ପିଲାଦିନରୁ ନିଜ ଶରୀର, ଇଚ୍ଛା, ସୀମା ଓ ବ୍ୟକ୍ତିଗତ ସ୍ୱାଧୀନତା ବିଷୟରେ ଲଜ୍ଜା ଓ ସଂକୋଚ ସହିତ ଶିକ୍ଷା ଦିଆଯାଏ। ‘ଭଲ ଝିଅ’ ହେବା ଅର୍ଥ ନିଜ ଇଚ୍ଛାକୁ ଦମନ କରିବା, ଅଧିକ ପ୍ରଶ୍ନ ନକରିବା ଏବଂ ସମାଜ ଧାର୍ଯ୍ୟ କରିଥିବା ସୀମା ଭିତରେ ରହିବା, ଏଭଳି ଧାରଣା ଅନେକଙ୍କ ମନରେ ଛୋଟବେଳୁ ଭରି ଦିଆଯାଏ। ଆଉ କୌଣସି ସ୍କୁଲ ଛାତ୍ରୀ, କିଶୋରୀ କିମ୍ବା ଯୁବତୀଙ୍କୁ ଯେତେବେଳେ କୁହାଯାଏ, “ଭଲ ଝିଅ ଭଳି ବ୍ୟବହାର କର”, ସେତେବେଳେ ଆମ ମନରେ ଏକ ଶାନ୍ତ, ଆଜ୍ଞାକାରୀ ଓ ସମସ୍ତଙ୍କୁ ଖୁସି ରଖୁଥିବା ଝିଅର ଚିତ୍ର ଆସିଥାଏ। ଘର, ସ୍କୁଲ, ସାର୍ବଜନୀନ ସ୍ଥାନ ହେଉ କି କାର୍ଯ୍ୟକ୍ଷେତ୍ର, ସବୁଠି ଅନ୍ୟମାନଙ୍କ ଇଚ୍ଛାକୁ ନିଜ ଇଚ୍ଛାଠାରୁ ଆଗରେ ରଖିବାକୁ ତାଙ୍କୁ ଶିଖାଯାଏ। ଏହି ମାନସିକତାକୁ ହିଁ ସାଧାରଣତଃ ‘ଗୁଡ୍ ଗର୍ଲ ସିଣ୍ଡ୍ରୋମ୍’ ବୋଲି କୁହାଯାଏ। ଏଠାରେ ଜଣେ ଝିଅର ‘ଭଲ’ ହେବାକୁ ତାଙ୍କ ଆଚରଣ, ସମ୍ପର୍କ ଓ ବ୍ୟକ୍ତିଗତ ନିଷ୍ପତ୍ତି ସହ ଯୋଡ଼ି ଦେଖାଯାଏ।
ଏହି ଧାରଣା ଅନେକ ସମୟରେ ସିଧାସଳଖ ଭାବେ ନୁହେଁ, ବରଂ ଚେତାବନୀ, ତୁଳନା, ଅନ୍ୟ ଝିଅଙ୍କ ପୋଷାକ କିମ୍ବା ବନ୍ଧୁତ୍ୱକୁ ନେଇ ମନ୍ତବ୍ୟ ମାଧ୍ୟମରେ ପିଲାଙ୍କ ମନରେ ବସିଯାଏ। ଅନେକ ସମୟରେ ମା’ମାନେ ମଧ୍ୟ ଝିଅଙ୍କୁ ‘ସୁରକ୍ଷିତ’ ରଖିବା ଉଦ୍ଦେଶ୍ୟରେ ଏଭଳି ଶିକ୍ଷା ଦିଅନ୍ତି। ଉଦ୍ଦେଶ୍ୟ ଭଲ ଥିଲେ ମଧ୍ୟ ଏହାର ମାନସିକ ପ୍ରଭାବ ଅଲଗା ହୋଇପାରେ।
ଅନେକ ପରିବାରରେ ଝିଅମାନଙ୍କୁ ଘର ଝାଡ଼ୁ ଦେବା, ପୋଛା ଲଗାଇବା, ରୋଷେଇ କରିବା ଓ ପରିବାରର ପୁରୁଷ ସଦସ୍ୟଙ୍କୁ ଖାଦ୍ୟ ପରଷିବା ଭଳି କାମକୁ ‘ଭଲ ଝିଅ’ର ଦାୟିତ୍ୱ ଭାବେ ଦେଖାଯାଏ। କେତେକ ପାରମ୍ପରିକ ପରିବାରରେ ପୁରୁଷମାନେ ପ୍ରଥମେ ଖାଇବା ଏବଂ ପରେ ମହିଳାମାନେ ଖାଇବା ଭଳି ପ୍ରଥା ମଧ୍ୟ ରହିଛି। ଏଭଳି ପୁରୁଣା ଓ ଅସମାନ ପ୍ରଥାକୁ କେତେବେଳେ ‘ଘର ସମ୍ଭାଳୁଥିବା ଭଲ ଝିଅ’ର ଲକ୍ଷଣ ବୋଲି ବୁଝାଯାଏ।
ତେବେ ଏନେଇ ୨୦୨୪ ମସିହାର ୟୁନିଭର୍ସିଟି ଅଫ୍ ମିଚିଗାନ୍ର ଏକ ଅଧ୍ୟୟନରେ ପିଲାଦିନରେ ଯୌନତାକୁ ନେଇ ନକାରାତ୍ମକ ଶିକ୍ଷା ଓ ପରବର୍ତ୍ତୀ ଜୀବନରେ ‘ସେକ୍ସୁଆଲ୍ ଗିଲ୍ଟ’ ମଧ୍ୟରେ ସମ୍ପର୍କ ଥିବା କଥା ଆଲୋଚନା କରାଯାଇଛି।
୩୧ ବର୍ଷୀୟ ପୂର୍ବତନ ସାମ୍ବାଦିକ ଅନୁଶ୍ରୀ ସରକାର ନିଜ ଅନୁଭବ ବାଣ୍ଟି କହିଛନ୍ତି ଯେ, ‘ଭଲ ପତ୍ନୀ’ ହେବା ପାଇଁ ସେ ସ୍ୱାମୀଙ୍କ ଅନେକ ଆଶା ପୂରଣ କରିବାକୁ ଚେଷ୍ଟା କରିଥିଲେ। ରୋଷେଇ, ଘର ସଫା କରିବା ଓ ସବୁକିଛିରେ ନିଜକୁ ଖାପ ଖୁଆଇବା ସତ୍ତ୍ୱେ ତାଙ୍କୁ ଲାଗୁଥିଲା ଯେ ଏହା କେବେ ବି ଯଥେଷ୍ଟ ହେଉନଥିଲା। ନିଜ ପାଇଁ ସ୍ୱର ଉଠାଇବା ପରେ ତାଙ୍କ ମାଆ ମଧ୍ୟ ତାଙ୍କ ସହ ସମ୍ପର୍କ କାଟି ଦେଇଥିଲେ ଏବଂ ବିବାହ ପ୍ରତି ତାଙ୍କ ପ୍ରତିବଦ୍ଧତାକୁ ପ୍ରଶ୍ନ କରିଥିଲେ।
ମନୋଚିକିତ୍ସକ ତଥା ଲାଇଫ୍ ସଫରସ ଓ୍ବେଲନେସ ଫାଉଣ୍ଡେସନର ପ୍ରତିଷ୍ଠାତା ସ୍ନିଗ୍ଧା ମିଶ୍ରଙ୍କ ମତରେ, ଏହି ମାନସିକତା ପଛରେ ପେଟ୍ରିୟାଟିକ୍ ପାଳନପୋଷଣ ଏବଂ ଏପରି ସାମାଜିକ ବ୍ୟବସ୍ଥା ରହିପାରେ, ଯେଉଁଠି ଝିଅମାନଙ୍କ ସ୍ୱାଧୀନ ଚିନ୍ତା, ନିଜକୁ ବୁଝିବା ଓ ନିଜ ମତ ରଖିବାକୁ ନିରୁତ୍ସାହିତ କରାଯାଏ। ଏହାର ପରିଣାମରେ ଆତ୍ମସମ୍ମାନ ଓ ଆତ୍ମବିଶ୍ୱାସ କମିପାରେ। ଅନ୍ୟମାନଙ୍କ ଯତ୍ନ ନେବା ଓ ସବୁବେଳେ ନିଜକୁ ପଛରେ ରଖିବାର ଚକ୍ରରେ ଜଣେ ବ୍ୟକ୍ତି ନିଜ ଜୀବନର ନିଷ୍ପତ୍ତି ପାଇଁ ବାହ୍ୟ ସ୍ୱୀକୃତି ଉପରେ ଅଧିକ ନିର୍ଭରଶୀଳ ହୋଇପାରନ୍ତି।
କେବଳ ଯୁବତୀ ନୁହେଁ, ବିଭିନ୍ନ ବୟସର ମହିଳା ମଧ୍ୟ ସମାଜର ଆଶା ପୂରଣ କରିବାକୁ ଯାଇ ନିଜ ସ୍ୱରକୁ ଚାପି ଦିଅନ୍ତି। ଗୋଟିଏ ପଟେ ସମାଜର ସ୍ୱୀକୃତି, ଅନ୍ୟପଟେ ନିଜ ଇଚ୍ଛା ଓ ସ୍ୱାଧୀନତା, ଏହି ଦ୍ୱନ୍ଦ୍ୱ ଅନେକଙ୍କୁ ଦୀର୍ଘ ସମୟ ଧରି ଅସୁବିଧାରେ ରଖିଥାଏ।
ହେଲେ ଏବେ ମହିଳା ଶିକ୍ଷିତା ହେବା ସହ, ତାଙ୍କ ସହ ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏହି ସ୍କାମକୁ ବୁଝିବାରେ ସକ୍ଷମ ହେଉଛନ୍ତି ବୋଲି କୁହାଯାଉଛି । ଆଉ ଯେତେବେଳେ ସେ ସ୍ବର ଉତ୍ତୋଳନ କରନ୍ତି, ଭଲ ଝିଅ ଟ୍ୟାଗଟା ହଟିବା ସହ ସଂପର୍କରେ ଫାଟ ସୃଷ୍ଟି ହେବା ଆରମ୍ଭ ହୁଏ ।
ପିଆର୍ ଫର୍ମର ୪୦ ବର୍ଷୀୟ ମ୍ୟାନେଜର ନିବେଦିତା ଶିକଦାର ଦୀର୍ଘ ୧୧ ବର୍ଷ ଧରି ମାନସିକ ଚାପ, ଅପମାନଜନକ ବ୍ୟବହାର ଓ ନିଦ୍ରା ସମସ୍ୟା ଭଳି ଅନୁଭବ ମଧ୍ୟରେ ରହିଥିଲେ। ଶେଷରେ ସେ ନିଜ ପାଇଁ ନିଷ୍ପତ୍ତି ନେଇ ସ୍ୱାଧୀନ ଭାବେ ଜୀବନ ବଞ୍ଚିବାକୁ ବାଛିଥିଲେ। ଲିଙ୍ଗଭିତ୍ତିକ ଆଶା ସହ ଭିନ୍ନକ୍ଷମତା ଯୋଡ଼ିଲେ ଚାପ ଆହୁରି ବଢ଼ିପାରେ। ଅଟିଜମ୍ ସହ ଜୀବନ ବିତାଉଥିବା ମନୋଚିକିତ୍ସକ ଓ ଡିସାବିଲିଟି ରାଇଟ୍ସ ଆକ୍ଟିଭିଷ୍ଟ ଆସ୍ଥା ଚୌଧୁରୀ ଏହାର ଉଦାହରଣ ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମଧ୍ୟ ନିର୍ଦ୍ଦିଷ୍ଟ ଲିଙ୍ଗଭିତ୍ତିକ ଭୂମିକାରେ ଖାପ ଖୁଆଇବାକୁ ବାଧ୍ୟ କରାଯାଇପାରେ। ତାଙ୍କୁ ଏପରି କଥା ଶୁଣିବାକୁ ପଡ଼ିଥିଲା ଯେ, ସେ ରୁଟି ବନାଇ ପାରୁନଥିବାରୁ ତାଙ୍କୁ କେହି ବିବାହ କରିବେ ନାହିଁ। କିଛି ଜିନିଷର ସ୍ପର୍ଶ ଓ ପୋଷାକ ସମ୍ପର୍କିତ ଅସୁବିଧା ସତ୍ତ୍ୱେ ତାଙ୍କୁ ନିର୍ଦ୍ଦିଷ୍ଟ ଭାବେ ରହିବାକୁ ବାଧ୍ୟ କରାଯାଇଥିବାରୁ ତାଙ୍କ ଉପରେ ଗଭୀର ମାନସିକ ଚାପ ପଡ଼ିଥିଲା। ଆଜି ଆସ୍ଥା ଭିନ୍ନକ୍ଷମ ଓ ନ୍ୟୁରୋଡାଇଭର୍ଜେଣ୍ଟ ବ୍ୟକ୍ତିଙ୍କ ସମେତ ବିଭିନ୍ନ ଲିଙ୍ଗର ଲୋକଙ୍କୁ ସାମାଜିକ ଚାପ ଓ ଅନାବଶ୍ୟକ ଧାରଣାରୁ ବାହାରିବାରେ ସହାୟତା କରୁଛନ୍ତି।
ତେବେ ପ୍ରଶ୍ନ ହେଉଛି, ସମସ୍ତ ମହିଳାଙ୍କ ପାଇଁ ଏହି ଭଲ ଝିଅ ସ୍କାମରୁ ବାହାରିବାର ରାସ୍ତା କ’ଣ? ବିଶେଷଜ୍ଞଙ୍କ ମତରେ, ‘ଗୁଡ୍ ଗର୍ଲ’ ହେବାର ଚାପରୁ ବାହାରିବାର ଏକ ମୁଖ୍ୟ ପଦକ୍ଷେପ ହେଉଛି, ନିଜ ପାଇଁ ସୀମା ନିର୍ଦ୍ଧାରଣ କରିବା ଏବଂ ଆବଶ୍ୟକ ସମୟରେ ‘ନା’ କହିବା ଶିଖିବା। ନିଜକୁ ସମ୍ମାନ କରିବା, ନିଜ ମତକୁ ଗୁରୁତ୍ୱ ଦେବା ଓ ଅନ୍ୟମାନଙ୍କ ସ୍ୱୀକୃତି ଅପେକ୍ଷା ନିଜ ମାନସିକ ସୁସ୍ଥତାକୁ ପ୍ରାଥମିକତା ଦେବା ଏହି ପରିବର୍ତ୍ତନର ଅଂଶ।
ଏମ୍ ପାଓ୍ବାର, ମୁମ୍ବାଇର ସିନିୟର ଏକ୍ଜିକ୍ୟୁଟିଭ୍ ଆମିନା ଶରିଫ୍ କହିଛନ୍ତି, CBT (Cognitive Behavioural Therapy) ଭଳି ଥେରାପି ମାଧ୍ୟମରେ ନିଜ ବିଷୟରେ ଥିବା ଅତ୍ୟଧିକ ଉଚ୍ଚ ଆଶା ଓ ନକାରାତ୍ମକ ଚିନ୍ତାକୁ ଚିହ୍ନଟ କରି ତାହାକୁ ଚ୍ୟାଲେଞ୍ଜ କରିବାରେ ସହାୟତା ମିଳିପାରେ। ଏହା ସହ ନିଜ ପ୍ରତି ଦୟାଳୁ ହେବା, ସୁସ୍ଥ ଭାବେ ସମସ୍ୟା ସମ୍ଭାଳିବା ଏବଂ ଲୋକେ କ’ଣ କହିବେ ବୋଲି ଥିବା ଭୟକୁ ନେଇ କାମ କରିବା ମଧ୍ୟ ଜରୁରୀ।
ଅଧ୍ୟୟନରେ ଏହା ବି ମନ୍ତବ୍ୟ ଆସିଛି ଯେ, ଖାଲି ଚୁପ୍ ରହିବା ଏବଂ ନିଜ ଇଚ୍ଛାକୁ ମାରିବା କାହିଁକି…ସମାଜର ଆଶା ପୂରଣ କରିବା ଠାରୁ ନିଜକୁ ବୁଝିବା, ନିଜ ସୀମାକୁ ସମ୍ମାନ କରିବା ଓ ନିଜ ଜୀବନର ନିଷ୍ପତ୍ତି ନିଜେ ନେବା, ବି ଏକ ‘ଭଲ ଝିଅ’ର ନୂଆ ପରିଭାଷା ହୋଇପାରେ।
ଯେଉଁ ମାନସିକତାକୁ ଆମେ ‘ସୁରକ୍ଷା’ ପାଇଁ ପିଢ଼ି ପରେ ପିଢ଼ି ଆଗକୁ ବଢ଼ାଇ ଆସୁଛେ, ସେହି ମାନସିକତା ଯେପରି ଜଣେ ବ୍ୟକ୍ତିକୁ ନିଜ ଭାବନା ବୁଝିବା ଓ ପ୍ରକାଶ କରିବାରୁ ରୋକି ନଦିଏ, ସେ ଦିଗରେ ଭାବିବାର ସମୟ ଆସିଛି ବୋଲି ଏହି ଅଧ୍ୟୟନ ଜୋର ଦେଇଛି ।

