ନୂଆଦିଲ୍ଲୀ: ବିଶ୍ବରେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଗୋଟେ ପଟେ ରୁଷ-ୟୁକ୍ରେନ, ଆଉ ଗୋଟେ ପଟେ ଇସ୍ରାଏଲ-ପାଲେଷ୍ଟାଇନ । ରୁଷ ୟୁକ୍ରେନ ଓ୍ବାର ନେଇ ଆମେରିକା ରାଷ୍ଟ୍ରପତିଙ୍କ ସମେତ ଅନେକ ରାଷ୍ଟ୍ର ଏହାର ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରଖିଥିବା ବେଳେ ଏବେ ଚିନ୍ତା ବଢାଇଲାଣି ଇସ୍ରାଏଲ-ହମାସ ଯୁଦ୍ଧ । ଆଜି ସକାଳୁ ସକାଳୁ ଗାଜା ଉପରେ ଆକ୍ରମଣ କରିଛି ଇସ୍ରାଏଲ । ଯାହା ୨୩୫ ଲୋକଙ୍କ ଜୀବନ ନେଇଥିବା ଦାବି ହୋଇଛି । ଯାହାକୁ ନେଇ ଏବେ ପୁଣି ସ୍ଥିତି ସଙ୍ଗୀନ କରିବା ନେଇ ଚେତାବନୀ ଦେିଛି ଆତଙ୍କବାଦୀ ଗୋଷ୍ଠୀ ହମାସ । ଯୁଦ୍ଧବିରତି ଲାଗିଥିବା ସତ୍ତ୍ବେ ଇସ୍ରାଲ ଏପରି କରି ଯୁଦ୍ଧବିରତି ନିୟମ ଉଲଘଂନ କରିଛି ବୋଲି ଅଭିଯୋଗ କରିଛି ।
ତେବେ ହମାସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗାଜା ସିଟି, ଡେଇର ଅଲ-ବାଲାହ, ଖାନ ୟୁନିସ ଏବଂ ରାଫା ସମେତ ବିଭିନ୍ନ ସ୍ଥାନ ଉପରେ ଆକ୍ରମଣ କରିଛି ଇସ୍ରାଏଲ । ଆଉ ଯୁଦ୍ଧବିରତି କାର୍ଯ୍ୟକାରୀ ହେବା ପରଠାରୁ ଏହି ଆକ୍ରମଣ ଇସ୍ରାଏଲର ସବୁଠାରୁ ତୀବ୍ର ବୋମାମାଡ଼ ହୋଇଛି । ପାଲେଷ୍ଟାଇନୀ ସ୍ବାସ୍ଥ୍ୟ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ, ମୃତକଙ୍କ ମଧ୍ୟରୁ ଅନେକ ଶିଶୁ ଥିଲେ, କାରଣ ଆକ୍ରମଣ ଆବାସିକ ଅଞ୍ଚଳରେ ହୋଇଥିଲା ଯେଉଁଠାରେ ହଜାର ହଜାର ଲୋକ ବାସ କରୁଥିଲେ । ଇସ୍ରାଏଲର ବିମାନ ଆକ୍ରମଣ ସେମାନଙ୍କର ଅସ୍ତ୍ରବିରତି ଚୁକ୍ତିନାମା ଉଲ୍ଲଂଘନ କରିଛି ଏବଂ ବନ୍ଧକଙ୍କ ଭାଗ୍ୟକୁ ବିପଦରେ ପକାଇଛି ବୋଲି ଚେତାବନୀ ଦେଇଥିବା ବେଳେ ଏହାର ଜବାବରେ, ଇସ୍ରାଏଲ କହିଛି, ଅସ୍ତ୍ରବିରତି ବୃଦ୍ଧି ପାଇଁ ଚାଲିଥିବା ଆଲୋଚନାରେ ଅଗ୍ରଗତି ଅଭାବରୁ ଏଭଳି ବିମାନ ଆକ୍ରମଣ କରିଛି ଇସ୍ରାଏଲ ।
ସେପଟେ କିନ୍ତି ଏହା ସ୍ପଷ୍ଟ ହୋଇନାହିଁ, ବାସ୍ତବରେ ପଣବନ୍ଦୀଙ୍କୁ ଫେରାଇଆଣିବା ପାଇଁ, ଏହା ଇସ୍ରାଏଲର ରଣନୀତି ଥିଲା, ନାଁ ଗତ ୧୭ ମାସ ଧରି ଚାଲିଥିବା ଯୁଦ୍ଧର ପୁନରାବୃତ୍ତିର ରଣହୁଙ୍କାର ଥିଲା । ଏହି ଆକ୍ରମଣଗୁଡ଼ିକ ହେବା ପରେ, ହ୍ୱାଇଟ୍ ହାଉସର ଜଣେ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ଇସ୍ରାଏଲ ଆକ୍ରମଣ କରିବା ପୂର୍ବରୁ ଟ୍ରମ୍ପ ପ୍ରଶାସନ ସହିତ ପରାମର୍ଶ କରିଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହମାସ ଏବଂ ଇରାନ-ସମର୍ଥିତ ହାଉତି ସମେତ ଅନ୍ୟ ଗୋଷ୍ଠୀଗୁଡ଼ିକୁ ଚେତାବନୀ ଦେଇଥିଲେ ଯେ, ସେମାନଙ୍କ ଆତଙ୍କବାଦ କାର୍ଯ୍ୟ ପାଇଁ ସେମାନଙ୍କୁ ମୂଲ୍ୟ ଦେବାକୁ ପଡିବ ।
ସେପଟେ ଯୁଦ୍ଧବିରତି ନେଇ ପଣବନ୍ଦୀଙ୍କୁ ମୁକ୍ତ କରିବାର ଚୁକ୍ତି ହୋଇଥିବା ବେଳେ ଗାଜାରେ ଏପର୍ଯ୍ୟନ୍ତ ବନ୍ଦୀ ଥିବା ଅବଶିଷ୍ଟ ୫୯ ବନ୍ଧକଙ୍କୁ ଛୁଟାଇବା ପାଇଁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ସପ୍ତାହ ଧରି ଚାଲିଥିବା ଆଲୋଚନା ପରେ ଏହି ଆକ୍ରମଣ ହୋଇଛି । ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ,ଆମେରିକା ସମର୍ଥନରେ ମିଶର ଏବଂ କାତାର ନେତୃତ୍ୱରେ ମଧ୍ୟସ୍ଥତା ପ୍ରୟାସ ସତ୍ତ୍ୱେ ହମାସ ଇସ୍ରାଏଲର ବନ୍ଧକମାନଙ୍କୁ ମୁକ୍ତ କରିବାକୁ ବାରମ୍ବାର ମନା କରୁଥିବା ନେଇ ଅଭିଯୋଗ କରିଛି ଇସ୍ରାଏଲ । ଯାହାକୁ ନେଇ ସେ ଏପରି ପଦକ୍ଷେପ ଗ୍ରହଣ କରିଛି । ଯାହାର ପ୍ରତିକ୍ରିୟାରେ ହମାସର ଜଣେ ଅଧିକାରୀ ଇସ୍ରାଏଲକୁ ଏକପାଖିଆ ଭାବରେ ଯୁଦ୍ଧବିରତିକୁ ଓଲଟାଇ ଦେଇଥିବା ଅଭିଯୋଗ କରିଛନ୍ତି ଏବଂ ଚେତାବନୀ ଦେଇଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇପାରେ ।
ତେବେ ଇସ୍ରାଏଲୀ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଅକ୍ଟୋବର ୭, ୨୦୨୩ ରେ ଆରମ୍ଭ ହୋଇଥିବା ୧୫ ମାସ ଧରି ଚାଲିଥିଲା । ଏହାପରେ ଯୁଦ୍ଧରେ ପଡିଥିଲା ଚୁକ୍ତିପୂର୍ଣ୍ଣ ବିରତି । ଯେଉଁଥିରେ ହମାସ ନେତୃତ୍ୱାଧୀନ ବନ୍ଧୁକଧାରୀମାନେ ଇସ୍ରାଏଲୀ ସୀମାନ୍ତ ସହରଗୁଡ଼ିକରେ ଆକ୍ରମଣ କରି ପ୍ରାୟ ୧୨୦୦ ଲୋକଙ୍କୁ ହତ୍ୟା କରିଥିଲେ ଏବଂ ୨୫୧ ଜଣଙ୍କୁ ଅପହରଣ କରିଥିଲେ। ଏହାର ଜବାବରେ, ଇସ୍ରାଏଲ ଏକ ନିରନ୍ତର ସାମରିକ ଅଭିଯାନ ଆରମ୍ଭ କରିଥିଲା, ଯାହା ଗାଜା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ୪୮,୦୦୦ ରୁ ଅଧିକ ପାଲେଷ୍ଟାଇନୀଙ୍କୁ ହତ୍ୟା କରିଛି, ଏଥିସହିତ ଏନକ୍ଲେଭର ଅଧିକାଂଶ ଭିତ୍ତିଭୂମିକୁ ନଷ୍ଟ କରିଦେଇଛି ଏବଂ ଏହାର ପ୍ରାୟ ୨୩ ଲକ୍ଷ ଜନସଂଖ୍ୟାକୁ ବିସ୍ଥାପିତ କରିବାକୁ ବାଧ୍ୟ କରିଦେଇଛି ଇସ୍ରାଏଲ । ଆଉ ଯୁଦ୍ଧ ବିରତି ଲାଗିବା ପରେ ପ୍ରଥମ ପର୍ଯ୍ୟାୟରେ ହମାସ ୩ ମହିଳା ବନ୍ଧକଙ୍କୁ ମୁକୁଳାଇ ଥିଲା । ଏହାପରେ ପୁଣି ଦ୍ବିତୀୟ ପର୍ଯ୍ୟାୟ ମନ୍ଦଈଙ୍କୁ ମୁକୁଳାଇବା ପାଇଁ ହମାସ ଡେରି କରିବାରୁ ଇସ୍ରାଏଲ ସେନା ଏହାକୁ ନେଇ ଆକ୍ରମଣାତ୍ମକ ହୋଇପଡିଛି ।
Comments are closed.