ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । ମଙ୍ଗଳବାର ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ ଝାରସୁଗୁଡ଼ା ସ୍ଥିତ ଘରେ ପହଞ୍ଚିଛନ୍ତି । ବୟାନ ରେକର୍ଡ ପାଇଁ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିଥିବା ସୂଚନା ମିଳିଛି ।
ତେବେ ନୂଆ ତଦନ୍ତ ଅଧିକାରୀ ଏଏସପି ବିଜୟ ମଲ୍ଲିକ ଏବଂ ଡିଏସପି ଦୀପ୍ତିମୟୀ ମଲ୍ଲିକ ସ୍ୱର୍ଗତ ନବ ଦାସଙ୍କ ଝାରସୁଗୁଡ଼ାର ସହବାହାଲ ସ୍ଥିତ ଘରେ ପହଞ୍ଚି ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କ ବୟାନ ରେକର୍ଡ କରିଥିବା ସୂଚନା ମିଳିଛି ।
ପୂର୍ବରୁ ନବ ଦାସଙ୍କ ଝିଅ ଦୀପାଳି ଓ ବିଶାଳଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଡ଼କରା ହୋଇଥିଲା । ହେଲେ ଦୀପାଳି ଓ ବିଶାଳ କ୍ରାଇମବ୍ରାଞ୍ଚରେ ହାଜର ହୋଇନଥିଲେ । ଆଜି କ୍ରାଇମବ୍ରାଞ୍ଚର ଏକ ଟିମ୍ ତାଙ୍କ ବାସ ଭବନରେ ପହଁଚିଥିବା ସୂଚନା ମିଳିଛି ।
ସେପଟେ ଏହି ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଇ-ମେଲ ଜରିଆରେ ସମୟ ମାଗିଛନ୍ତି ସ୍ବର୍ଗତ ନବ ଦାସଙ୍କ ପତ୍ନୀ ମୀନତି ଦାସ । ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଁଥିବାରୁ ମୀନତି ଦାସ ଏହି ଚିଠିରେ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର ପାଇଁ ସମୟ ମାଗିଛନ୍ତି। ଉଭୟ ଇ-ମେଲ୍ ଓ ଡାକ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ପଠାଇ ସାକ୍ଷାତକାର ପାଇଁ ସମୟ ମାଗିଛନ୍ତି। ମାର୍ଚ୍ଚ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ କରାଯାଇଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ ଯେ, ନବ ଦାସଙ୍କୁ ୨୦୨୩ ଜାନୁଆରୀ ୨୯ରେ ହତ୍ୟା କରାଯାଇଥିଲା । ବ୍ରଜରାଜନଗରର ଗାନ୍ଧୀ ଛକଠାରେ ପୋଲିସ ଏଏସ୍ ଆଇ ଗୋପାଳ ଦାସ ୪ ରାଉଣ୍ଡ ଗୁଳି ଚାଳନାକରି ଏହି ହତ୍ୟାକାଣ୍ଡ ଘଟାଇଥିଲେ ।
Comments are closed.