Latest Odisha News

BREAKING NEWS

ଭାଷା ଭାଗବତ : ଅନନ୍ୟତା ରକ୍ଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

ସ୍ନେହ, ଶ୍ରଦ୍ଧା ଓ ଭକ୍ତି, ପ୍ରୀତି
ପ୍ରଦର୍ଶନ କରିବା ରୀତି
ନ ଥିଲା କେବେ କେଉଁ କାଳେ
ଏବେ କିପାଇଁ ଏତେ ଚଳେ

ଓଷା, ବ୍ରତ ଓ ପୂଜା, ପର୍ବ
ଯାତ୍ରା, ମେଳା ଓ ମହୋତ୍ସବ
ସହିତ ମିଶି ଆଡ଼ଂବର
ଭାବକୁ କଲେ ନାରଖାର

ଭିଡ଼ର ଅନୁଗାମୀ ହୋଇ
ନିଜକୁ ସୁଅରେ ଭସାଇ
ଯେ ଯାଏ ବାରଂବାର ବୁଡ଼ି
ବ୍ୟକ୍ତିତ୍ୱ ପାରେନାହିଁ ଗଢ଼ି

ଭ୍ରଷ୍ଟକୁ କରିଲେ ସଂତୁଷ୍ଟ
ନିଜକୁ ନିଜ ଦେଇ କଷ୍ଟ
ନିଜେ ହିଁ ହେଉଁ ବ୍ୟବହୃତ
ହୁଏନି କାହାର ବି ହିତ

ଏଠୁ ନେଇ ଓ ସେଠି ଥୋଇ
ପରିବର୍ତନ ଘଟେନାହିଁ
ବଦଳାଇଲେ ମନୋଭାବ
ସଂକଳ୍ପ ହୁଅଇ ବାସ୍ତବ

ଏକୁଟିଆ ହେବାକୁ ଡରି
ସ୍ବପ୍ନକୁ ପାରେ ଯିଏ ମାରି
ତାହାର ଜୈବିକ ଜୀବନ
ହୁଏନି କେବେ ଶାଂତିପୂର୍ଣ

ଶାଂତି ନ ଥିଲେ ବଢ଼େ ଭ୍ରାଂତି
ଅଳ୍ପକେ ଗ୍ରାସେ ବେଶି କ୍ଳାଂତି
ମଣିଷ ହୁଏନି କର୍ମଠ
ସର୍ବଦା କରୁଥାଏ ମଠ

ନିଜେ ସାଧନାରତ ରହି
କାହାକୁ କିଛି ବି ନ କହି
ଗଢ଼ିଚାଲିଲେ ନିଜ କୃତି
ସଂସାର ଦେଇଥାଏ ତୃପ୍ତି

ନିଜର ଅନନ୍ୟତା ରକ୍ଷା
ନିମଂତେ ନେଉଁ ଏବେ ଦୀକ୍ଷା
ନିଜେ ନିଜର ଗୁରୁ, ଶିଷ୍ୟ
ଚାହିଁଲେ ବନିବା ଅବଶ୍ୟ

Leave A Reply

Your email address will not be published.