Latest Odisha News

BREAKING NEWS

ଜଟାଧାର ମୁହାଣ ଖନନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ. ଉପକୃତ ହେବେ ମତ୍ସ୍ୟଜୀବୀ

ଜଗତସିଂହପୁର :  ଜଳପଥ କ୍ଷେତ୍ର ସୁଗମ କରିବାକୁ ଆରମ୍ଭ ହୋଇଛି ପ୍ରୟାସ  । ପୋତି ହୋଇଯାଇଥିବା ଜଟାଧାର ମୁହାଣକୁ ଖନନ କରିବାକୁ କାର୍ଯ୍ୟ ଆରମ୍ଭ ପାଇଁ ଚାଲିଛି ପ୍ରସ୍ତୁତି  । ଖନନ ଦ୍ୱାରା ଲାଭବାନ୍‌ ହେବେ ମତ୍ସ୍ୟଜୀବୀ । ଜଗତସିଂହପୁର ଜିଲ୍ଲାର ଜଳ ନିଷ୍କାସନ ର ପ୍ରମୁଖ ପଥ ପାଲଟିଥିଲା ଜଟାଧାର ମୁହାଣ  । ୧୯୯୯ ମହାବାତ୍ୟା ପରଠାରୁ ଅନେକ ସମୟରେ ମୁହାଣ ପୋତିହେବା ସହିତ ପୁନଃ ମୁହାଣ ଖୋଳି ହୋଇ ଜଳ ନିଷ୍କାସନ ହେଉଥିଲା  ।

ତେବେ ୨୦୧୫ ମସିହା ପରଠାରୁ ଜଟାଧାର ମୁହାଣ ସମ୍ପୂର୍ଣ୍ଣ ଭାବରେ ପୋତି ହୋଇ ଯାଇଥିଲା  ।ଏ ନେଇ ତତ୍କାଳୀନ ବିଧାୟକ ଦାମୋଦର ରାଉତଙ୍କ ସହିତ ବିଧାୟକ ତଥା ପୂର୍ବତନ ଜଳସେଚନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ପ୍ରଚେଷ୍ଟା ଦ୍ୱାରା ଜଟାଧାର ମୁହାଣ ଖନନ ହୋଇପାରିଛି  । ଏ ନେଇ ପରିବେଶ ଓ ଜଙ୍ଗଲ  ମନ୍ତ୍ରଣାଳୟ ସହିତ ବିଭିନ୍ନ ବିଭାଗରେ ଆଲୋଚନା ପରେ ଆଇ ଆଇଟି ଖଡଗପୁର ଏବଂ ଆଇ ଆଇଟି ମାଡ୍ରାସର ବିଶେଷଜ୍ଞ ମାନେ ଜଟାଧାର ମୁହାଣ ଗସ୍ତ କରି ଏହାର ରିପୋର୍ଟ ପ୍ରଦାନ ପରେ ଭାରତ ସରକାରଙ୍କ ତରଫରୁ ଜଟାଧାର ମୁହାଣ ଖନନ ପାଇଁ ଅନୁମତି ମିଳିଛି  । କିନ୍ତୁ ଏହି କାର୍ଯ୍ୟକୁ ବିରୋଧ କରିଛନ୍ତି ସ୍ଥାନୀୟ ବନବିଭାଗ  ।

ତେବେ ଜଟାଧାର ମୁହାଣ ନିକଟରେ ବନ ବିଭାଗ ତରଫରୁ ନୂତନ ଜଙ୍ଗଲ ସୃଷ୍ଟି କରାଯାଇଥିବାରୁ ମୁହାଣ ଖନନ ଦ୍ୱାରା ଜଙ୍ଗଲ ପ୍ରଭାବିତ ହେବାର ଆଶଙ୍କା କରାଯାଉଥିବା କାରଣରୁ ବନ ବିଭାଗ ବିରୋଧ କରିଥିବା ଜଣାପଡ଼ିଛି  । ଏହି ମୁହାଣର ଦୁଇ ପାର୍ଶ୍ଵରେ ପଥର ବନ୍ଧ କରାଯାଇ ମୁହାଣ ଖୋଲିବାକୁ ସ୍ଥାନୀୟ ବାସିନ୍ଦା କହିଛନ୍ତି  । ଏହାଦ୍ୱାରା ଜଙ୍ଗଲ ସୁରକ୍ଷା ରହିବା ସଙ୍ଗେ ସଙ୍ଗେ ସ୍ଥାନୀୟ ମତ୍ସ୍ୟଜିବି ମାନଙ୍କ ସହିତ ଜିଲ୍ଲାବାସୀ ଉପକୃତ ହୋଇପାରିବେ ବୋଲି ନୋଳିଆ ସାହିର କିଛି ବରିଷ୍ଠ ଲୋକ ମତ ପ୍ରକାଶ କରିଛନ୍ତି  । ତେବେ ଖୁବ୍‌ ଶୀଘ୍ର ସରକାରୀ ସ୍ତରରେ ବନ ବିଭାଗ ସହିତ ଆଲୋଚନା ପରେ ଦୁଇ ପାର୍ଶ୍ଵରେ ପଥର ବନ୍ଧ କରି ମୁହାଣ ଖନନ କରିବାକୁ ସ୍ଥାନୀୟ ଅଞ୍ଚଳବାସି ଦାବି କରିଛନ୍ତି  ।

Leave A Reply

Your email address will not be published.