Latest Odisha News

ଭଟିଣ୍ଡା ଗୁଳିମାଡ ଘଟଣା: ହତ୍ୟାକାରୀ ଯବାନକୁ ଧରିଲା ପୁଲିସ, ତଦନ୍ତ ବାଟବଣା କରିବାକୁ ମିଛ କହିଥିଲା

ଭଟିଣ୍ଡା; ଏପ୍ରିଲ ୧୨ ତାରିଖରେ ହୋଇଥିବା ଭଟିଣ୍ଡା ମିଲିଟାରୀ ଷ୍ଟେସନ୍‌ର ଗୁଳିମାଡ଼ ଘଟଣାରେ ୪ ଯବାନ ସହିଦ ହୋଇଥିଲେ। ଆଜି ଘଟଣାର ପର୍ଦ୍ଦାଫାସ ହୋଇଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହିଁ ଜଣେ ଯବାନ। ଆଜି(ଏପ୍ରିଲ ୧୭) ସକାଳେ ଭଟିଣ୍ଡା ପୁଲିସ ଅଭିଯୁକ୍ତ ଯବାନ ମୋହନ ଦେସାଇକୁ ଗିରଫ କରିଛି। ଗିରଫ ପରେ ମୋହନ ପୁଲିସ ପାଖରେ ଦୋଷ ସ୍ୱୀକାର କରିବା ସହିତ କେମିତି ହତ୍ୟା କରିଥିଲା ଏସବୁର ଖୁଲାସ କରିଛି।

ଘଟଣା ସମ୍ପର୍କରେ ଆଜି ସାମ୍ବାଦିକ ସମ୍ମିଳନୀ କରି ଉଭୟ ସେନା ଓ ଭଟିଣ୍ଡା ପୁଲିସ ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୃତ ଯବାନମାନେ ମୋହନ ଦେସାଇକୁ ଅପମାନିତ କରିଥିଲେ। ସେହି ରାଗରୁ ସେ ହତ୍ୟା କରିଛି।

କିନ୍ତୁ ଦେସାଇ ପ୍ରଥମେ ତଦନ୍ତକୁ ବାଟବଣା କରିବା ପାଇଁ ମିଛ କାହାଣୀ କହିଥିଲା ବୋଲି ପୁଲିସ କହିଛି। କୁରାଢ଼ି ଧରି କେହି ହତ୍ୟା କରିଥିବା ସମ୍ପୂର୍ଣ୍ଣ ମିଛ ବୋଲି ସେନା କହିଛି। ଅଭିଯୁକ୍ତର ସ୍ୱୀକାରୋକ୍ତି ଅନୁସାରେ, ଗନମ୍ୟାନ୍ ମୋହନ ଦେସାଇ ୨୦୨୩ ଏପ୍ରିଲ ୯ ତାରିଖ ଦିନ ସକାଳେ ଫାଇଲ୍ଡ ମେଗାଜିନ ସହ ଇନ୍‌ସାସ୍‌ ରାଇଫଲ ଚୋରି କରି ନେଇ ଲୁଚେଇ ରଖିଥିଲା।

ଏପ୍ରିଲ ୧୨ ତାରିଖ ଦିନ ସେ ଡ୍ୟୁଟିର ମୁତୟନ ହୋଇଥିଲା। ରାତି ପ୍ରାୟ ୪.୩୦ ମିନିଟ ସମୟରେ ଲୁଚାଇଥିବା ହତିଆର ଖୋଲି ପ୍ରଥମ ମହଲାରେ ଶୋଇଥିବା ସମସ୍ତ ଯବାନଙ୍କୁ ଗୁଳି କରି ହତ୍ୟା କରିଥିଲା। ଏହାପରେ ପନ୍ଧୁକକୁ ନାଳରେ ଫିଙ୍ଗି ଦେଇଥିଲା। ପରେ ବନ୍ଧୁକ ସହ ୪ଟି ଗୁଳି ମଧ୍ୟ ନାଳରୁ ଜବତ କରାଯାଇଛି। ସୂଚନା ଥାଉକି ହତ୍ୟା ଅଭିଯୁକ୍ତ ମୋହନ ଘର ଆନ୍ଧ୍ରପ୍ରଦେଶରେ। ସେ ୨୦୧୯ରେ ସେନାରେ ଭର୍ତ୍ତି ହୋଇଥିଲେ।

ଭଟିଣ୍ଡା ଗୁଳିମାଡ଼ ମାମଲା-

ଗତ ବୁଧବାର(ଏପ୍ରିଲ ୧୨) ତାରିଖରେ ପଞ୍ଜାବ ଭଟିଣ୍ଡା ମିଲିଟାରି ଷ୍ଟେସନ୍‌ରେ ୪ ଯବାନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଘଟଣାରେ ପୁଲିସ ଦୁଇଜଣ ଅଜ୍ଞାତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ଦୁଇଜଣ କୁର୍ତ୍ତା ପାଇଜାମା ପିନ୍ଧିବ ସହ ମୁହଁରେ ମାସ୍କ ପିନ୍ଧିଥିଲେ। ହାତରେ ବନ୍ଧୁକ ସହ କୁରାଢ଼ି ଧରିଥିଲେ ବୋଲି ସେତେବେଳେ ପୁଲିସ ପାଖରେ କୁହାଯାଇଥିଲା। ଅଫିସ ମେସ୍‌ ଫଛରେ ୪ ଯବାନ ଶୋଇଥିବା ବେଳେ ତାଙ୍କୁ ମାଡ଼ କରାଯାଇଥିଲା। ହେଲେ ଘଟଣାରେ ପ୍ରଥମରୁ ପୁଲିସ ଆତଙ୍କବାଦୀଙ୍କ ସମ୍ପୃକ୍ତି ଖଣ୍ଡନ କରିଥିଲା।

Leave A Reply

Your email address will not be published.