Latest Odisha News

ଝାରସୁଗୁଡ଼ା ଉପନିର୍ବାଚନ, ଅପରାହ୍ଣ ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ଲାଗି ମତଦାନ ଶେଷ ହୋଇଛି । ଅପରାହ୍ଣ ୫ଟା ସୁଦ୍ଧା ଝାରସୁଗୁଡ଼ାରେ ୬୮.୧୨ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ଉପନିର୍ବାଚନ ଲାଗି ମତଦାନ ଶାନ୍ତି ଶୃଙ୍ଖଳାର ସହ ହୋଇଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ତେବେ ଭୋଟ୍ ଦାନ ସମୟ ସରିବା ପରେ ମତଦାତା ଧାଡ଼ିରେ ଥିବାରୁ ଭୋଟ୍ ପ୍ରତିଶତ ବଢ଼ିପାରେ । ତେବେ ଆସନ୍ତାକାଲି ଜଣାପଡ଼ିବ କେତେ ପ୍ରତିଶତ ମତଦାନ ହୋଇଛି ।

୨୦୧୯ ସାଧାରଣ ନିର୍ବାଚନରେ ଝାରସୁଗୁଡ଼ାରେ ୭୮.୯୨ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା । ଆଜି ୫ଟା ସୁଦ୍ଧା ୧.୫୧ ଲକ୍ଷ ଭୋଟ୍ ମତଦାନ କରିଥିବା ବେଳେ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ୭୭ ହଜାର ୨୦ ଜଣ ମହିଳା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହୋଇଛି ।

ଝାରସୁଗୁଡ଼ା ଉପନିର୍ବାଚନରେ ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେଉଛି । ନବ ଦାସଙ୍କ ମୃତ୍ୟୁ ପରେ ଝିଅ ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେ ନିର୍ବାଚନ ଲଢ଼ିଥିଲେ । ୨୫୩ ବୁଥରେ ମତଦାନ ହୋଇଥିବା ବେଳେ ଆସନ୍ତା ୧୩ ତାରିଖରେ ଭୋଟ୍ ଗଣତି କରାଯିବ ।

Leave A Reply

Your email address will not be published.