Latest Odisha News

BREAKING NEWS

‘କର୍ଣ୍ଣାଟକ ନିର୍ବାଚନ’, ଝାଳ ବୁହାଇ ଲଢ଼ିଲେ ଝୁଲା ସରକାର ଗଢିବେ !

ଭୁବନେଶ୍ୱର: କର୍ଣ୍ଣାଟକରେ ମତଦାନ ପ୍ରକ୍ରିୟା ସରିବା ସହ ଏବେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ରାଜନୈତିକ ଦଳ ଗୁଡ଼ିକର ଭବିଷ୍ୟତ ମଧ୍ୟ ଏହି ଇଭିଏମର ଫଳାଫଳ ଉପରେ ନିର୍ଭର କରୁଛି। ଏଭଳି ସ୍ଥିତିରେ ବିଭିନ୍ନ ପ୍ରାକ ନିର୍ବାଚନ ସର୍ଭେରେ ଭିନ୍ନ ଭିନ୍ନ ଚିତ୍ର ଆସୁଛି।

କଂଗ୍ରେସ ଏଥର କ୍ଷମତାକୁ ଫେରିବାକୁ ବହୁ ଆଶା ରଖିଥିବା ବେଳେ ବିଜେପି କ୍ଷମତା ବଜାୟ ରଖିବା ପାଇଁ ସବୁ ଯୋଜନା ଆପଣାଇଥିବା ଦେଖାଯାଇଛି। ପ୍ରାର୍ଥୀ ଚୟନଠୁ ଆରମ୍ଭ କରି ବିଭିନ୍ନ ଏକ୍ସପେରିମେଂଟ ଏବଂ ରିସ୍କ ନେଇଛି ଦଳ।

ଏପରିକି ନିଜର ବହୁ ପୁରୁଖା ଓ ଲୋକପ୍ରୟ ନେତାଙ୍କୁ ହରାଇବାକୁ ମଧ୍ୟ କୁଣ୍ଠାବୋଧ କରିନାହିଁ। ସରକାର ବିରୋଧରେ ଥିବା ଆଣ୍ଟି ଇନକମ୍ବାନସି ଫ୍ୟାକ୍ଟରକୁ ପ୍ରତିହତ କରିବାକୁ ବିଜେପି ୫୦ ରୁ ଅଧିକ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିଛି।

ଏପରିକି ଏଭଳି ନିଷ୍ପତ୍ତି ପାଇଁ ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟାଣୁଆ ନେତା ଜଗଦୀଶ ସେଟ୍ଟାର, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବାଡିଙ୍କ ସମେତ ବହୁ ପୁରୁଖା ନେତା ଦଳ ଛାଡିଛନ୍ତି। ତା ସତ୍ତ୍ୱେ ମଧ୍ୟ ବିଜେପି ନୂଆ ଚେହେରାଙ୍କୁ ପ୍ରାର୍ଥୀ କରି ନୂଆ ଫର୍ମୁଲା ଆପଣାଇଥିବା ଦେଖାଯାଇଛି।

ଏଥିସହିତ ଦଳର ସବୁଠୁ ଲୋକପ୍ରିୟ ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦଳ ପ୍ରଚାରରେ ମୁଖ୍ୟ ଶକ୍ତି ଭାବେ ଉଭା କରାଇଛି। ମୋଦି ପ୍ରାୟ ୯ ଦିନ ଧରି କର୍ଣ୍ଣାଟକରେ ଜୋରଦାର ପ୍ରଚାର କରି କର୍ଣ୍ଣାଟକବାସୀଙ୍କ ମନ ଜିଣିବାକୁ ଉଦ୍ୟମ କରିଛନ୍ତି। ନିଜର ୧୮ ଟି ସଭା ଓ ୬ ଟି ବଡ଼ ରୋଡ଼ ଶୋ ମାଧ୍ୟମରେ କର୍ଣ୍ଣାଟକର ବହୁ ଅଂଚଳ କଭର କରି ବାତାବରଣ ପ୍ରସ୍ତୁତ କରିଛନ୍ତି ମୋଦି।

ଏପରିକି ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ସମେତ ବହୁ ହେଭିୱେଟ ନେତା ଲଗାତର କର୍ଣ୍ଣାଟକରେ ପ୍ରଚାର କରିଛନ୍ତି। ଯାହାକି ଦଳର ଶକ୍ତି ବଢାଇ ଥିବା କୁହାଯାଇଛି।

ଆଉ ଏକ ପ୍ରମୁଖ ପ୍ରସଙ୍ଗ ବଜରଙ୍ଗ ଦଳ ପ୍ରସଙ୍ଗକୁ ଅସ୍ତ୍ର କରି ଦଳ କର୍ଣ୍ଣାଟକରେ ହିନ୍ଦୁ ଭୋଟକୁ ନିଜ ଆଡକୁ ନେବାକୁ ବଡ଼ ଉଦ୍ୟମ କରିଥିବା କୁହାଯାଉଛି। କଂଗ୍ରେସ ପକ୍ଷରୁ ଇସ୍ତାହାରରେ ଦିଆଯାଇଥିବା ବଜରଙ୍ଗ ଦଳ ପ୍ରସଙ୍ଗକୁ ଅସ୍ତ୍ର କରି ରାଜ୍ୟବ୍ୟାପୀ ଏକ ବଡ଼ ବାତାବରଣ ତିଆରି କରିଛି ଦଳ।

ଦଳ ତୃଣମୂଳ ସ୍ତରରେ ନିଜ ସଙ୍ଗଠନକୁ ପୂର୍ବାପେକ୍ଷା ଦୃଢ଼ କରିବା ସହ ଯେଉଁ ନିର୍ବାଚନ ମଣ୍ଡଳୀରେ ଦଳର ପ୍ରାର୍ଥୀମାନେ ଅଳ୍ପ ଭୋଟରେ ହାରିଥିଲେ ସେ ନିର୍ବାଚନ ମଣ୍ଡଳୀରେ ଦଳ ନିଜର ଦୁର୍ବଳତାକୁ ପରଖି ସେଠି ଜିତିବାର ଯୋଜନା କରିଛି।

କର୍ଣ୍ଣାଟକରେ ଲିଙ୍ଗାୟତ ମାନେ ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ସେମାନଙ୍କୁ ଦଳ ପକ୍ଷରେ ଅଧିକ ଆଣିବାକୁ ଯୋଜନା ହୋଇଛି। ଏପରିକି ଭୋକାଲିଗା ଓ ଦଳିତ ସମ୍ପ୍ରଦାୟକୁ ମଧ୍ୟ ଫୋକସ କରିଛି ଦଳ। ଏପରିକି ମୋଦି ଙ୍କ ଡବଲ ଇଞ୍ଜିନ ନାରା ମଧ୍ୟ ପ୍ରଭାବୀ ହେବ ବୋଲି ବିଜେପି ଆଶା ରଖିଛି।

କେନ୍ଦ୍ରରେ ବିଜେପି ସରକାର ଥିବାରୁ ରାଜ୍ୟରେ ମଧ୍ୟ ବିଜେପିକୁ ସରକାରକୁ ଆଣିଲେ ବିକାଶ ହେବ ବୋଲି ମୋଦି ଓ ବିଜେପି ନେତାମାନେ ବାରମ୍ବାର ପ୍ରଚାରରେ କହିଛନ୍ତି। ଏହାଦ୍ୱାରା ଲୋକଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ହୋଇଥିବା କୁହାଯାଇଛି। ତେଣୁ ଏ ସବୁ ଯୋଜନାକୁ ପ୍ରମୁଖ ଅସ୍ତ୍ର କରି ବିଜେପି କ୍ଷମତା କୁ ଫେରୁବାକୁ ଉଦ୍ୟମ କରିଛି।

କିନ୍ତୁ କର୍ଣ୍ଣାଟକରେ ବିଜେପି ସରକାରର ଦୁର୍ନୀତିକୁ କଂଗ୍ରେସ ମୁଖ୍ୟ ଅସ୍ତ୍ର କରିବା ଓ ପ୍ରମୁଖ ନେତାଙ୍କ ଦଳ ଛାଡିବା ବିଜେପି ପାଇଁ କ୍ଷତିକାରକ ବୋଲି କୁହାଯାଉଛି।

ତେଣୁ ଏ ଭିତରେ ମତଦାନ ହୋଇଥିବାରୁ ଲୋକେ ବିଜେପିକୁ ପୁଣିଥରେ କ୍ଷମତାକୁ ଫେରାଇବେ ନା କଂଗ୍ରେସକୁ ବହୁମତ ମିଳିବ ନା ଝୁଲା ସରକାର ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.