Latest Odisha News

BREAKING NEWS

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ: ହର୍ଡଲ୍ସରେ ସ୍ୱର୍ଣ୍ଣ ଜିତିଲେ ଜ୍ୟୋତି

ବ୍ୟାଙ୍କକ: ଭାରତର ଉଦୀୟମାନ ଆଥଲେଟ ଜ୍ୟୋତି ୟାରାଜୀ ଏଠାରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ଆନ୍ଧ୍ରପ୍ରଦେଶର ଜ୍ୟୋତି ୧୦୦ ମିଟର ହର୍ଡଲ୍ସରେ ପ୍ରଥମ ଭାରତୀୟ ଭାବେ ଏହି ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିଛନ୍ତି । ସେ ୧୩.୦୯ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରି ଆଗରେ ରହିଥିଲେ । ଜାପାନର ଟେରେଡା ଅଶୁକା (୧୩.୧୩) ଓ ଆଓକି ମୌସୁମି (୧୩.୨୬) ଯଥାକ୍ରମେ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ବର୍ଷା ଯୋଗୁ ଆଥଲେଟମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସୂଚନାଯୋଗ୍ୟ, ଜ୍ୟୋତିଙ୍କ ଜାତୀୟ ରେକର୍ଡ ୧୨.୮୨ ସେକେଣ୍ଡ ରହିଛି ।

ସେହିପରି ପୁରୁଷ ଟ୍ରିପଲ ଜମ୍ପରେ ଅବଦୁଲ୍ଲା ଆବୁବେକର ଓ ୧୫୦୦ ମିଟରରେ ଅଜୟ କୁମାର ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମହିଳା ୪୦୦ ମିଟରରେ ଐଶ୍ଚର‌୍ୟ୍ୟା ମିଶ୍ର ଓ ଡେକାଥଲନରେ ତେଜସ୍ୱିନୀ ଶଙ୍କର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ବୁଧବାର ୧୦ ହଜାର ମିଟରରେ ଅଭିଷେକ ପଲ ଭାରତ ପାଇଁ ପ୍ରଥମ ବ୍ରୋଞ୍ଜ ପଦକ ଜିତିଥିଲେ ।

Leave A Reply

Your email address will not be published.