ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଗାୟକ କୈଳାସ ଖେରଙ୍କୁ ବମ୍ବେ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ଭଗବାନ ଶିବଙ୍କ ଉପରେ ‘ବାବମ୍ ବମ୍’ ଗୀତ ଗାଇ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଗାୟକଙ୍କ ବିରୋଧରେ ଏକ ଫୌଜଦାରୀ ଅଭିଯୋଗ ଦାୟର କରାଯାଇଥିଲା । ଏହି ଗୀତଟି କୈଳାସ ଖେରଙ୍କ ‘କୈଳାସ ଝୁମୋ ରେ’ ଆଲବମରୁ ଆସିଛି ।
ଏହି ଆବେଦନକୁ ଖାରଜ କରିବା ସମୟରେ ହାଇକୋର୍ଟ ଏକ କଡ଼ା ମନ୍ତବ୍ୟ ଦେଇଛନ୍ତି । ବିଚାରପତି ଭାରତୀ ଡାଙ୍ଗରେ ଏବଂ ଶ୍ୟାମ ଚଣ୍ଡକଙ୍କ ଖଣ୍ଡପୀଠ, ଲେଖକ ଏଜି ନୁରାନିଙ୍କ କଥାକୁ ଉଦ୍ଧୃତ କରି କହିଛନ୍ତି ଯେ ଅସହିଷ୍ଣୁତା ଏବଂ ରକ୍ଷଣଶୀଳତା ସହିତ ମତଭେଦ ଭାରତୀୟ ସମାଜ ପାଇଁ ଅଭିଶାପ ହୋଇଛି ।
କୈଳାସ ଖେରଙ୍କ ଏହି ଗୀତ ବିରୋଧରେ ନରିନ୍ଦର ମକ୍କଡ଼ ନାମକ ଜଣେ ବ୍ୟକ୍ତି ଲୁଧିଆନାର ଏକ ସ୍ଥାନୀୟ ଅଦାଲତରେ ମାମଲା ଦାୟର କରିଥିଲେ । ଅଭିଯୋଗ କରାଯାଇଥିଲା ଯେ ଏହାର ସଙ୍ଗୀତ ଭିଡିଓରେ ଏକ ଚୁମ୍ବନ ଦୃଶ୍ୟ ଥିଲା ଏବଂ ପତାକା ପୋଡ଼ିବା ଦେଖାଯାଇଥିଲା । ଧାର୍ମିକ ଭାବନାକୁ ଅପମାନ ଦେବା ପାଇଁ ଭାରତୀୟ ଦଣ୍ଡ ସଂହିତା (IPC)ର ଧାରା 295A ଏବଂ 298 ଅନୁଯାୟୀ ଗାୟକଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା ।
ଏହି ମାମଲାରେ ରାୟ ଦେବା ସମୟରେ, ବିଚାରପତି ଡାଙ୍ଗରେ ଏବଂ ବିଚାରପତି ଚାଣ୍ଡକଙ୍କ ଖଣ୍ଡପୀଠ କହିଥିଲେ, ‘କୈଳାସ ଖେରଙ୍କ ପକ୍ଷରୁ କୌଣସି ଧାର୍ମିକ ଭାବନାକୁ ଜାଣିଶୁଣି ଆଘାତ ଦେବା, କିମ୍ବା କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା, ସେ କେବଳ ‘ବାବମ୍ ବମ୍’ ଗୀତ ଗାଇଥିଲେ।’ ଏହି ନିଷ୍ପତ୍ତି ମାର୍ଚ୍ଚ ୪ ତାରିଖରେ ଦିଆଯାଇଥିଲା, ଯାହାର ଏକ କପି ଗୁରୁବାର ଦିନ ଉପଲବ୍ଧ ହୋଇଥିଲା ।
ଖେର୍ ୨୦୧୪ରେ ଏନେଇ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ସେତେବେଳେ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରି କହିଥିଲେ ଯେ, ଗାୟକଙ୍କ ବିରୋଧରେ କୌଣସି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ନୁହେଁ ।
Comments are closed.