Latest Odisha News

‘ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନି କେନ୍ଦ୍ର’, ନିଜ ଇଚ୍ଛାରେ ଚୟନ କରିବେ ନିର୍ବାଚନ କମିଶନ!

ଭୁବନେଶ୍ୱର: ଦିଲ୍ଲୀ ସର୍ଭିସ ବିଲ ପରେ ଏବେ ମୁଖ୍ୟ ନିର୍ବାଚନ କମିଶନ ନିଯୁକ୍ତିକୁ ନେଇ ଟାର୍ଗେଟରେ କେନ୍ଦ୍ରର ବିଜେପି ସରକାର। ଦିଲ୍ଲୀ ସର୍ଭିସ ବିଲ ପ୍ରସଙ୍ଗରେ ଦେଶର ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟ ସଂସଦରେ ସ୍ୱତନ୍ତ୍ର ବିଲ ଆଣି କୋର୍ଟଙ୍କ ନିର୍ଦ୍ଦେଶକୁ ଅକାମୀ କରିଦେଇଥିବା ବେଳେ ଏବେ ନିର୍ବାଚନ କମିଶନ ନିଯୁକ୍ତି ପାଇଁ ବିଜେପି ସରକାର ସଂସଦରେ ନୂଆ ଆଇନ ଆଣିବାକୁ ଯାଉଛନ୍ତି। ତେଣୁ ପ୍ରାଧାନମନ୍ତ୍ରୀ ଦେଶର ସୁପ୍ରିମକୋର୍ଟଙ୍କୁ ମାନୁ ନଥିବା ଅଭିଯୋଗ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ।

ସୁପ୍ରିମକୋର୍ଟଙ୍କ ଯେଉଁ ଆଦେଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପସନ୍ଦ ଆସିବ ନାହିଁ ତାକୁ ସେ ସଂସଦରେ ଆଇନ ଆଣି ବଦଳାଇ ଦେବେ ବୋଲି କେଜ୍ରିଓ୍ୱାଲ କହିଛନ୍ତି। ଯଦି ପ୍ରଧାନମନ୍ତ୍ରୀ ଖୋଲାଖୋଲି ସୁପ୍ରିମକୋର୍ଟଙ୍କ ମାନୁ ନାହାନ୍ତି ତେବେ ଏହା ବହୁତ ଭୟାନକ ସ୍ଥିତି ବୋଲି ସେ କହିଛନ୍ତି।

ଭାରତର ନିର୍ବାଚନ କମିଶନ ଚୟନ ପାଇଁ ସୁପ୍ରିମକୋର୍ଟ ଏକ ନିରପେକ୍ଷ କମିଟି ପ୍ରସ୍ତୁତ କରିଥିଲେ। କିନ୍ତୁ ଏହାକୁ ବଦଳାଇ ମୋଦି ଏମିତି ଏକ କମିଟି ପ୍ରସ୍ତୁତ କରିଛନ୍ତି ଯାହାକୁ ଖୋଦ ତାଙ୍କ ନିୟନ୍ତ୍ରଣରେ ରହିବ ଓ ସେ ଯାହାକୁ ଚାହିଁବେ ନିର୍ବାଚନ କମିଶନ ଭାବେ ବସାଇପାରିବେ ବୋଲି ସେ କହିଛନ୍ତି।

ଏହାଦ୍ୱାରା ନିର୍ବାଚନରେ ନିରପେକ୍ଷତା ପ୍ରଭାବିତ ହେବ ବୋଲି ଅଭିଯୋଗ ହୋଇଛି। ଗୋଟିଏ ପରେ ଗୋଟିଏ ଏଭଳି ନିଷ୍ପତ୍ତି ନେଇ ମୋଦି ଦେଶର ଗଣତନ୍ତ୍ରକୁ ଦୁର୍ବଳ କରୁଛନ୍ତି ବୋଲି କେଜ୍ରିଓ୍ୱାଲ ଅଭିଯୋଗ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପ୍ରସ୍ତାବିତ ନିର୍ବାଚନ ଆୟୁକ୍ତଙ୍କ ଚୟନ କମିଟିରେ ବିଜେପିର ଦୁଇ ଜଣ ଓ କଂଗ୍ରେସର ଜଣେ ସଦସ୍ୟ ରହିବେ। ତେଣୁ ଯାହାକୁ ବି ନିର୍ବାଚନ ଆୟୁକ୍ତ ଭାବେ ଚୟନ କରାଯିବ ସେ ବିଜେପିର ବିଶ୍ୱସ୍ତ ହେବେ ବୋଲି କହି ବିଜେପିକୁ କଡା ସମାଲୋଚନା କରିଛନ୍ତି କେଜ୍ରିଓ୍ୱାଲ।

ଭାରତୀୟ ନିର୍ବାଚନ କମିଶନ ଚୟନ ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ରର ବିଜେପି ସରକାର ସଂସଦରେ ଏକ ବିଲ ଆଣିଛନ୍ତି। ଯେଉଁଥିରେ ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଥିବା ଚୟନ କମିଟି ବଦଳରେ ଅନ୍ୟ ତିନିଜନିଆ କମିଟି ପ୍ରସ୍ତାବ ରହିଛି।

ସୁପ୍ରିମକୋର୍ଟ ମାର୍ଚ୍ଚ ମାସରେ ଦେଇଥିବା ନିର୍ଦ୍ଦେଶରେ ନିର୍ବାଚନ କମିଶନ ନିଯୁକ୍ତି ପାଇଁ କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରହିବେ ବୋଲି କହିଥିଲେ। କିନ୍ତୁ କେନ୍ଦ୍ରର ବିଜେପି ଦ୍ୱାରା ପ୍ରସ୍ତାବିତ ବିଲରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପରିବର୍ତ୍ତନ କରି ଏହି କମିଟି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହେବା ସହ ଏଥିରେ ବିରୋଧୀ ଦଳ ନେତା ଓ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ନିଆଯାଇଛି।

ସର୍ବୋଚ୍ଚ କୋର୍ଟର ମୁଖ୍ୟ ବିଚାରପତିଙ୍କୁ କମିଟିରୁ ବାଦ ଦିଆଯାଇଛି। ଯାହାକୁ ନେଇ ବିରୋଧୀ ଦଳ ଗୁଡିକ ବିଜେପିକୁ ଟାର୍ଗେଟ କରିଛନ୍ତି। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପିଠର ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

୨୦୨୪ ରେ ଦେଶର ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଫେବୃୟାରୀ ୧୪ ତାରିଖରେ ଅବସର ନେବେ। ତେଣୁ ତାଙ୍କ ଅବସର ପରେ ହିଁ ନିର୍ବାଚନ ଘୋଷଣା ହେବ ବୋଲି ଚର୍ଚ୍ଚା ହେଉଛି।

ପୂର୍ବରୁ ମାର୍ଚ୍ଚ ମାସରେ ସଂସଦୀୟ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ଦେଖାଯାଏ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପୂର୍ବରୁ ଦେଶର ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର ମାନେ କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତି ପାଉଥିଲେ।

ତେଣୁ କେନ୍ଦ୍ରର ଏଭଳି ବିଲକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ବିରୋଧ କରି ଟ୍ୱିଟ କରିଥିବା ବେଳେ କଂଗ୍ରେସ ସାଂସଦ ମାନିକାମ ଟାଗୋର ମଧ୍ୟ ବିରୋଧ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହା ଏହି ବିଲ ପାସ କରି ଦେଶର ନିର୍ବାଚନ କମିଶନଙ୍କ ଉପରେ ନିୟନ୍ତ୍ରଣ ଆଣିବାକୁ ଚାହୁଁଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ଦିଲ୍ଲୀ ସର୍ଭିସ ବିଲ ପରେ ଏବେ ଦେଶର ନିର୍ବାଚନ କମିଶନ ଚୟନ ପ୍ରକ୍ରିୟାକୁ ନେଇ କେନ୍ଦ୍ରର ଆଭିମୁଖ୍ୟକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି।

Leave A Reply

Your email address will not be published.