Latest Odisha News

BREAKING NEWS

କେତନ ହତ୍ୟାକାଣ୍ଡରେ ନୂଆ ଟ୍ୱିଷ୍ଟ: ସିୟା ଓ ଚେତନଙ୍କ ସିକ୍ରେଟ୍ ‘କୋଡ୍’ ଚାଟ୍ ଖୋଲିବ କି ହତ୍ୟାର ଗୁମର?

ପୁଣେ: ପୁଣେର ଚର୍ଚ୍ଚିତ ବ୍ୟବସାୟୀ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପୋଲିସ ହାତରେ ଲାଗିଛି ଏକ ବଡ଼ ସୁରାଗ। ଅଭିଯୁକ୍ତ ପ୍ରେମୀଯୁଗଳ ସିୟା ଗୋଏଲ ଏବଂ ଚେତନ ଚୌଧୁରୀ ନିଜ ଭିତରେ କଥାବାର୍ତ୍ତା ହେବା ପାଇଁ ସାଧାରଣ ଭାଷା ବଦଳରେ କିଛି ସ୍ୱତନ୍ତ୍ର ‘କୋଡ୍ ୱାର୍ଡ’ ବ୍ୟବହାର କରୁଥିଲେ ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି। କେବଳ ସେତିକି ନୁହେଁ, ଶୁକ୍ରବାର ଦିନ ପୋଲିସ ସିୟାଙ୍କର ଆଉ ଏକ ମୋବାଇଲ୍ ଫୋନ୍ ଜବତ କରିଛି। ଏହି ଦ୍ୱିତୀୟ ଫୋନ୍‌ରୁ ହିଁ ହତ୍ୟାକାଣ୍ଡର ଅସଲ ରହସ୍ୟ ଉନ୍ମୋଚନ ହେବ ବୋଲି ପୋଲିସ ଆଶା ରଖିଛି।

 

ଗତ ଜୁନ୍ ୧୮ ତାରିଖରେ ଲୋହାଗଡ଼ ଦୁର୍ଗରୁ ଠେଲିଦେଇ କେତନଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ପ୍ରଥମେ ଏକ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ ସିୟା ଏବଂ ଚେତନ। କିନ୍ତୁ ପରବର୍ତ୍ତୀ ସମୟରେ ପୋଲିସ ଜେରା ବେଳେ ଉଭୟ ନିଜ ଦୋଷ ସ୍ୱୀକାର କରିଥିଲେ। ତେବେ ତଦନ୍ତକାରୀ ଅଧିକାରୀ ମନୋଜ ପାୱାରଙ୍କ ସୂଚନା ଅନୁଯାୟୀ, ହତ୍ୟାକାଣ୍ଡ ପୂର୍ବରୁ ଏବଂ ପରେ ଉଭୟ ଅଭିଯୁକ୍ତଙ୍କ ମଧ୍ୟରେ ଯେଉଁ ବାର୍ତ୍ତାଳାପ ହୋଇଥିଲା, ସେଥିରେ ଅନେକ ‘କୋଡ୍ ୱାର୍ଡ’ର ବ୍ୟବହାର କରାଯାଇଛି।

 

ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଉଭୟ ନିଜ ମୋବାଇଲରୁ ସମସ୍ତ ଚାଟ୍ ଏବଂ ରିସାଇକେଲ ବିନ୍ ମଧ୍ୟ ସମ୍ପୂର୍ଣ୍ଣ କ୍ଲିୟର କରିଦେଇଥିଲେ। ପୂର୍ବରୁ ଜବତ ହୋଇଥିବା ଫୋନ୍ ଏବଂ ନୂଆ କରି ମିଳିଥିବା ସିୟାଙ୍କ ଦ୍ୱିତୀୟ ଫୋନ୍‌କୁ ଏବେ ଫୋରେନ୍ସିକ୍ ଲାବକୁ ପଠାଯାଇଛି, ଯାହାଦ୍ୱାରା ଡିଲିଟ୍ ହୋଇଥିବା ମେସେଜ୍‌ଗୁଡ଼ିକୁ ପୁନରୁଦ୍ଧାର କରାଯାଇପାରିବ।

 

ନୂଆ ଫୋନ୍ ମିଳିବା ଏବଂ କୋଡ୍ ୱାର୍ଡ ବିଷୟରେ ଅଧିକ ପଚରାଉଚରା କରିବା ପାଇଁ ସରକାରୀ ଓକିଲ ବିରକୁଦ ଉଭୟ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରିବା ନିମନ୍ତେ ଅଧିକ ପୋଲିସ ରିମାଣ୍ଡ ମାଗିଥିଲେ। ତାଙ୍କ ଯୁକ୍ତି ଥିଲା ଯେ ଏହି କୋଡ୍ ୱାର୍ଡର ପ୍ରକୃତ ଅର୍ଥ କେବଳ ସିୟା ଓ ଚେତନ ହିଁ କହିପାରିବେ।

 

କିନ୍ତୁ ଚେତନଙ୍କ ଓକିଲ ଉତ୍ତରକର ଏହାକୁ ବିରୋଧ କରି ଯୁକ୍ତି ବାଢ଼ିଥିଲେ ଯେ, ପୋଲିସ ପାଖରେ ରିମାଣ୍ଡ ବଢ଼ାଇବା ପାଇଁ କୌଣସି ନୂଆ ଏବଂ ଦୃଢ଼ କାରଣ ନାହିଁ। କୋର୍ଟ ପୋଲିସର ଆବେଦନକୁ ଖାରଜ କରିଦେବା ସହ ସିୟା ଏବଂ ଚେତନଙ୍କୁ ଜୁଲାଇ ୧୬ ପର୍ଯ୍ୟନ୍ତ (୧୪ ଦିନ ପାଇଁ) ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି।

 

ସୂଚନାଯୋଗ୍ୟ, ସିୟା ଏବଂ କେତନଙ୍କ ନିର୍ବନ୍ଧ ଗତ ଫେବୃଆରୀ ମାସରେ ହୋଇଥିଲା ଏବଂ ଚଳିତ ବର୍ଷ ଶେଷ ଆଡ଼କୁ ରାଜସ୍ଥାନର ଉଦୟପୁରରେ ସେମାନଙ୍କର ଡେଷ୍ଟିନେସନ୍ ୱେଡିଂ ପ୍ଲାନ କରାଯାଇଥିଲା। କିନ୍ତୁ ଅକ୍ଟୋବର ମାସରୁ ଚେତନ ସହ ପ୍ରେମ ସମ୍ପର୍କରେ ଥିବା ସିୟା ଏହି ବାହାଘରରେ ରାଜି ନଥିଲେ। ଫଳରେ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର କରି ସେ ପ୍ରେମିକ ଚେତନ ସହ ମିଶି କେତନଙ୍କୁ ଲୋହାଗଡ଼ ଦୁର୍ଗର ଏକ ଖାଇକୁ ଠେଲି ହତ୍ୟା କରିଥିଲେ।

 

ବର୍ତ୍ତମାନ ପୋଲିସର ସମ୍ପୂର୍ଣ୍ଣ ନଜର ଫୋରେନ୍ସିକ୍ ରିପୋର୍ଟ ଉପରେ ରହିଛି, ଯାହା ଏହି ଲୋମହର୍ଷକ ହତ୍ୟାକାଣ୍ଡର ସମସ୍ତ ଗୁମର ଖୋଲିଦେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.