Latest Odisha News

BREAKING NEWS

ପ୍ରତିଶୃତି ରଖିଲେ କେନ୍ଦ୍ରମନ୍ତ୍ରୀ, ସ୍ୱଦେଶ ଦର୍ଶନ ଯୋଜନାରେ ସାମିଲ ହେଲା ଦେବ୍ରୀଗଡ଼ ସମେତ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଭୂମି ଖିଣ୍ଡା

ସମ୍ବଲପୁର: ଓଡ଼ିଶାର ଦେବ୍ରୀଗଡ଼ ସମେତ ଖିଣ୍ଡା ଗ୍ରାମକୁ ବିଶେଷ ଆକର୍ଷଣୀୟ ସ୍ଥାନ ଭାବେ ସ୍ୱଦେଶ ଦର୍ଶନ ୨.୦ରେ ସାମିଲ କରାଯାଇଛି ବୋଲି ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ପତ୍ର ପ୍ରକାଶ ପାଇଛି । ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଭାଗୀୟ ମନ୍ତ୍ରୀ ଜି କିଷନ ରେଡ୍ଡୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ଼ ଜିଲ୍ଲାରେ ଅବସ୍ଥିତ ଦେବ୍ରୀଗଡ଼ ଅଭୟାରଣ୍ୟ ସମେତ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ସମ୍ବଲପୁର ଜିଲ୍ଲା ଖିଣ୍ଡା ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କୁ ପତ୍ର ଲେଖିବା ପରେ ଏହି ଦୁଇଟି ସ୍ଥାନକୁ ଭାରତ ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନା ୨.୦ରେ ସାମିଲ କରାଯାଇଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଡ଼ିସେମ୍ବର ୧୧, ୨୦୨୩ ତାରିଖରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଏ ସମ୍ପର୍କରେ ପତ୍ର ଲେଖି ଦେବ୍ରୀଗଡ଼ ଓ ଖିଣ୍ଡା ଗ୍ରାମରେ ପର୍ଯ୍ୟଟନ ଭିତ୍ତିଭୂମି ଏବଂ ସୁବିଧାର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ମଞ୍ଜୁର କରିବା ପାଇଁ ଅନୁରୋଧ କରିଥିଲେ । ସେ ପତ୍ରରେ ଦର୍ଶାଇଥିଲେ ଯେ ବରଗଡ଼ ଜିଲ୍ଲାରେ ଅବସ୍ଥିତ ଦେବ୍ରୀଗଡ଼  ଅଭୟାରଣ୍ୟ  ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ସେହିପରି ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଖିଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଉକ୍ତ ଦୁଇଟି ଐତିହାସିକ ସ୍ଥାନ ଅପାର ସମ୍ଭାବନାର ଅଞ୍ଚଳ । ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଗୁଡିକରେ ହୀରାକୁଦ, ହୁମା ମନ୍ଦିର ଭଳି ପର୍ଯ୍ୟଟନ ସ୍ଥଳୀ ଥିବା ବେଳେ ସମ୍ବଲପୁର ଜିଲ୍ଲା ଦେଶ ଏବଂ ଦେଶ ବାହାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ଯଥାର୍ଥ ସମ୍ଭାବନା ରଖୁଛି ।

କେନ୍ଦ୍ରମନ୍ତ୍ରୀ ଏହି ଅଞ୍ଚଳର ଐତିହାସିକ ପୃଷ୍ଠଭୂମି ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ବିଷୟରେ ପତ୍ର ଯୋଗେ ଅବଗତ କରାଇବା ସହ ଏହି ଦୁଇଟି ସ୍ଥାନ ଗୁଡିକର ବିକାଶ ସହ ପ୍ରଚାର ପ୍ରସାର ହେଲେ ସ୍ଥାନୀୟ ଅର୍ଥନୀତି ମଜଭୂତ୍ ହୋଇପାରିବ ବୋଲି କହିଥିଲେ । ରୋଜଗାର ସୃଷ୍ଟି ହେବା ସହ ସ୍ଥାନୀୟ ଅଞ୍ଚଳର ସଂସ୍କୃତି ଓ ଐତିହ୍ୟର ପ୍ରସାର ହୋଇପାରିବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଥିଲେ ।

Leave A Reply

Your email address will not be published.