Latest Odisha News

BREAKING NEWS

ଇଂଲଣ୍ଡ ରାଷ୍ଟ୍ରୀୟ ଜ୍ୟୋତିର୍ବିଜ୍ଞାନ ବୈଠକରେ କିଟ୍‍ ଛାତ୍ର ସ୍ନେହାଦୀପ

ଭୁବନେଶ୍ୱର: ଇଂଲଣ୍ଡର ରାଷ୍ଟ୍ରୀୟ ଜ୍ୟୋତିର୍ବିଜ୍ଞାନ ବୈଠକରେ ଜଣେ କିଶୋରଙ୍କ ଉପରେ ସମସ୍ତଙ୍କ ଦୃଷ୍ଟି ରହିଥାଏ । କାରଣ ଏହି ବୈଠକରେ ଅନ୍ୟମାନେ ପ୍ରାୟ ପ୍ରବୀଣ ଓ ବୟସ୍କ ଥିଲେ । ଛାତ୍ର ଜଣକ ନିଜ ପରିଚୟ ଦେଇ କହିଥିଲେ, “ମୁଁ କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ର ସ୍ନେହାଦୀପ”। ଏତିକିରେ ସମଗ୍ର ବୈଠକ କରତାଳିରେ ଭରି ଯାଇଥିଲା ।

ଲଂଲଣ୍ଡର ୱାଲେସ୍‍ସ୍ଥିତ କାର୍ଡିଫ ବିଶ୍ୱବିଦ୍ୟାଳୟଠାରେ ଜୁଲାଇ ୩ରୁ ୭ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ବୈଠକରେ ଉପସ୍ଥିତ ଥିବା ରୟାଲ ଆଷ୍ଟ୍ରୋନମିକାଲ ସୋସାଇଟିର ସଭାପତି ଡ. ମାଇକ୍‍ ଏଡ୍‍ମଣ୍ଡସ ଓ ଅନ୍ୟ ବୈଜ୍ଞାନିକଙ୍କୁ ମଧ୍ୟ ଏହା ଚକିତ କରିଥିଲା । ଏହି ବୈଠକରେ ଜଣେ କିଶୋର ବୈଜ୍ଞାନିକ ଯୋଗଦେବାରେ ସ୍ନେହାଦୀପ ହେଉଛନ୍ତି ପ୍ରଥମ ।

ଗତ ସପ୍ତାହରେ ଇଂଲଣ୍ଡର ସମ୍ମାନଜନକ ଜ୍ୟୋତିର୍ବିଜ୍ଞାନ ବୈଠକରେ ଭାରତରୁ ଏକ ମାତ୍ର କିଶୋର ବୈଜ୍ଞାନିକ ଭାବେ କିଟ୍‍ ଛାତ୍ର ସ୍ନେହାଦୀପ ଯୋଗ ଦେଇ ଭାରତର ସମ୍ମାନ ବୃଦ୍ଧି କରିଛନ୍ତି । କେବଳ ସେତିକି ନୁହେଁ, ଜଣେ କିଶୋର ପ୍ରତିନିଧିଙ୍କୁ ଇଂଲଣ୍ଡ ରାଷ୍ଟ୍ରୀୟ ଜ୍ୟୋତିର୍ବିଜ୍ଞାନ ବୈଠକକୁ ପଠାଇବାରେ କିଟ୍‍ ବିଶ୍ୱର ଏକମାତ୍ର ଅନୁଷ୍ଠାନ ହେବାର ଗୌରବ ଅର୍ଜନ କରିଥିବା ରୟାଲ ଆଷ୍ଟ୍ରୋନମିକାଲ ସୋସାଇଟିର ସଦସ୍ୟମାନେ ପ୍ରକାଶ କରିଥିଲେ ।

କିଟ୍‍ ବିଶ୍ୱବିଦ୍ୟାଳୟର ପ୍ରତିନିଧିତ୍ୱ କରି ସ୍ନେହାଦୀପ ବୈଠକରେ ‘ସାହାଙ୍କ ଥିଓରୀ ଅଫ୍‍ ଥର୍ମାଲ୍‍ ଆୟୋନାଇଜେସନ୍‍ ଇନ୍‍ ଷ୍ଟାର୍‍ ଫର୍ମେସନ୍‍’ ଉପରେ ଏକ ପୋଷ୍ଟର ଉପସ୍ଥାପନା କରିଥିଲେ । ଏହି ବୈଠକରେ ସମଗ୍ର ବିଶ୍ୱରୁ ୧୭୬ଟି ଗବେଷଣାତ୍ମକ ପୋଷ୍ଟର ମନୋନୀତ ହୋଇଥିବା ବେଳେ ବୈଠକରେ ପୋଷ୍ଟର ଉପସ୍ଥାପନ କରିବାରେ କିଟ୍‍ ହେଉଛି ଏକମାତ୍ର ଭାରତୀୟ ବିଶ୍ୱବିଦ୍ୟାଳୟ । ସୂଚନାଯୋଗ୍ୟ, ଏଭଳି ସୁଯୋଗ ସାଧାରଣତଃ ପୋଷ୍ଟ ଡକ୍ଟୋରେଟ୍‍ ଗବେଷକ ଏବଂ ସାଇଣ୍ଟିଫିକ୍‍ ପ୍ରଫେସନାଲ୍‍ମାନଙ୍କୁ ମିଳିଥାଏ ।

ଇଂଲଣ୍ଡର ରାଷ୍ଟ୍ରୀୟ ଜ୍ୟୋତିର୍ବିଜ୍ଞାନ ବୈଠକ ହେଉଛି ରୟାଲ ଆଷ୍ଟ୍ରୋନମିକାଲ ସୋସାଇଟିର ବାର୍ଷିକ ବୈଜ୍ଞାନିକ ସମ୍ମିଳନୀ । ଏହା ବିଶ୍ୱର ସର୍ବବୃହତ ଜ୍ୟୋତିର୍ବିଜ୍ଞାନ ସମ୍ମଳନୀ ମଧ୍ୟରୁ ଅନ୍ୟତମ । ଏଥିରେ ପ୍ରତିବର୍ଷ ସମଗ୍ର ବିଶ୍ୱରୁ ୬ଶହରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇଥାନ୍ତି ।

ବୈଠକରେ ସ୍ନେହାଦୀପ ଡ. ଏଡମଣ୍ଡସଙ୍କ ବ୍ୟତୀତ ନୋବେଲ ବିଜେତା ଡ. ଜେମ୍‍ସ ପିବଲ୍‍ସ ଓ ଡ. ଜନ ପିକକ୍‍ଙ୍କ ଭଳି ବିଶ୍ୱର ଅନେକ ପ୍ରତିଷ୍ଠିତ ଜ୍ୟୋତିର୍ବିଜ୍ଞାନୀଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇଥିଲେ । ଏଭଳି ସୁଯୋଗ ଦେଇଥିବାରୁ ସ୍ନେହାଦୀପ କିଟ୍‍ ବିଶ୍ୱବିଦ୍ୟାଳୟ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ।

ସେ କହିଛନ୍ତି, କିଟ୍‍ ବିଶ୍ୱବିଦ୍ୟାଳୟର ସହଯୋଗ ଓ ଶ୍ରୀ ସାମନ୍ତଙ୍କ ପ୍ରୋତ୍ସାହନ ନ ଥିଲେ ମୋର ଏହି ସ୍ୱପ୍ନ ସାକାର ହୋଇପାରି ନ ଥାନ୍ତା । ଅପରପକ୍ଷରେ ଶ୍ରୀ ସାମନ୍ତ ସ୍ନୋହାଦୀପଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏହା ପୂର୍ବରୁ ସ୍ନେହାଦୀପ ଆଜରବାଇଜାନର ବାକୁରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ କଂଗ୍ରେସ ୨୦୨୩ ଭଳି ଅନେକ ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ।

Leave A Reply

Your email address will not be published.