Latest Odisha News

କର୍ଲାପାଟ ଅଭୟାରଣ୍ୟରେ ପୁଣି ୧ ହାତୀ ମୃତ, ମୃତ୍ୟୁ ସଂଖ୍ୟା ୬ ଛୁଇଁଲା

ଭବାନୀପାଟନା: କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟରେ ରବିବାର ଦିନ ଆଉ ଏକ ହାତୀର ମୃତଦେହ ମିଳିଛି। ଯାହାକୁ ମିଶାଇ ହାତୀ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି।

ରିଜିଓନାଲ୍ ଚିଫ୍ କନଜରଭେଟର ଅଫ୍ ଫରେଷ୍ଟ (ଆରସିସିଏଫ୍) ସୁଦୀପ୍ତ ଦାଶ କହିଛନ୍ତି ଯେ ପୂର୍ବରୁ ଯେଉଁଠାରେ ଅନ୍ୟ ଚାରିଟି ହାତୀଙ୍କ ଶବ ମିଳିଥିଲା ସେହି ସ୍ଥାନରୁ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି।

ତେବେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ଶ୍ରୀ ଦାଶ କହିଛନ୍ତି।

ଅପରପକ୍ଷେ ପୂର୍ବରୁ ମୃତ୍ୟୁବରଣ କରିଥିବା ହାତୀଙ୍କ ପୋଷ୍ଟମର୍ଟମରୁ ଜଣାପଡିଛି ଯେ ହେମୋରାଜିକ୍ ସେପ୍ଟିସେମିଆ ଯୋଗୁଁ ହାତୀମାନଙ୍କର ମୃତ୍ୟୁ ହୋଇଛି।

ଫେବୃଆରୀ ୧ରେ ତେନ୍ତୁଲିପଦର ଗ୍ରାମ ନିକଟରେ ଏକ ହାତୀର ମୃତ୍ୟୁ ଘଟିଥିବାବେଳେ ଫେବୃଆରୀ ୮, ୧୦, ୧୨ ଏବଂ ୧୩ ରେ ଆଉ ଚାରି ହାତୀର ମୃତ୍ୟୁ ଘଟିଥିଲା।

ତେବେ ମୃତ୍ୟୁର କାରଣ ଜାଣିବା ପାଇଁ ପ୍ରଫେସର ନିରଂଜନ ସାହୁଙ୍କ ନେତୃତ୍ୱରେ ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟର ବନ୍ୟଜନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଟିମ୍ ଅଭୟାରଣ୍ୟରେ ଯାଞ୍ଚ କରୁଛନ୍ତି।

Comments are closed.