Latest Odisha News

BREAKING NEWS

ସେନାରେ ସାମିଲ ହେଲା ୧୧୮ ଅର୍ଜୁନ ଟ୍ୟାଙ୍କ

ନୂଆଦିଲ୍ଲୀ : ଶତୃଙ୍କୁ ସାବାଡ କରିବା ପାଇଁ ସଶକ୍ତ ହେଉଛି ଭାରତୀୟ ସେନା । ଏଥିପାଇଁ ଭାରତୀୟ ସେନାରେ ସାମିଲ ହୋଇଛି ଶକ୍ତିଶାଳୀ ଯୋଦ୍ଧା ଟ୍ୟାଙ୍କ ଅର୍ଜୁନ ମାର୍କ (1A)। ଚେନ୍ନାଇର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଉଦେଶ୍ୟରେ ଅର୍ଜୁନ ଟ୍ୟାଙ୍କକୁ ସମର୍ପିତ କରିଛନ୍ତି । ତାମିଲନାଡୁ ଏବଂ କେରଳ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅର୍ଜୁନ ଟ୍ୟାଙ୍କ MK-1Aକୁ ଚେନ୍ନାଇରେ ଆର୍ମି ଚିଫ୍ ଜେନେରାଲ୍ ଏମ୍ ନରୱାନେଙ୍କୁ ହସ୍ତାନ୍ତର କରିଛନ୍ତି ।

ନିକଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୧୧୮ଟି ଅର୍ଜୁନ ଟ୍ୟାଙ୍କ ସେନାକୁ ଦିଆଯିବ ବୋଲି ନିଷ୍ପତି ହୋଇଥିଲା । ଏଥିପାଇଁ ୮୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟ୍ୟାଙ୍କ ସମ୍ପୂର୍ଣ୍ଣରୂପେ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ହୋଇଛି । DRDO ଏହି ଟ୍ୟାଙ୍କକୁ ସମ୍ପୂର୍ଣ୍ଣ ରୂପେ ନିର୍ମାଣ ଏବଂ ବିକଶିତ କରିଛି । ଏହା ଭାରତୀୟ ସେନାର ସମସ୍ତ ଆବଶ୍ୟକତା ପୂରଣ କରିବାକୁ ଯାଉଛି । DRDO ଏହାକୁ କମ୍‌ବାକ୍ଟ ଭେଇକିଲ୍‌ସ ରିସର୍ଚ୍ଚ ଆଣ୍ଡ ଏଷ୍ଟାବ୍ଲିସ୍‌ମେଣ୍ଟରେ ଡିଜାଇନ୍‌ କରିଛି ।

ଅର୍ଜୁନ MK-1A ଟ୍ୟାଙ୍କ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଛି । ଏହାର ଫାୟାରିଂ କ୍ଷମତା ବୃଦ୍ଧି କରାଯାଇଛି । ଖାଲି ସେତିକି ନୁହେଁ ଟ୍ୟାଙ୍କ ନିଜ ଲକ୍ଷ୍ୟ ସ୍ଥଳ ନିଜେ ସ୍ଥିର କରିବାର କ୍ଷମତା ରଖୁଛି । ଏହି ଟ୍ୟାଙ୍କ୍‌ର ବିଶେଷତ୍ୱ ଏହା ମଧ୍ୟ ରହିଛି ଯେ, ଲକ୍ଷ୍ୟ ସ୍ଥଳକୁ ତିକ୍ଷ୍ଣ ଭାବେ ଭେଦ କରିବାର କ୍ଷମତା ରଖିଛି । ଲ୍ୟାଣ୍ଡ ମାଇନ୍‌କୁ ମଧ୍ୟ ସହଜରେ ସଫା କରିବା ସହ ଏହା ଆଗକୁ ବଢ଼ିପାରେ । ଟ୍ୟାଙ୍କର ଅଗ୍ରଭାଗରେ ଗ୍ରେନେଡ୍‌ ମାଡ଼ କିମ୍ବା ମିସାଇଲ ମାଡ଼ ହେଲେ ମଧ୍ୟ କୌଣସି କ୍ଷତି କରି ପାରିବ ନାହିଁ । ଅର୍ଜୁନ MK-1A ଟ୍ୟାଙ୍କକୁ ହଣ୍ଟର୍ କିଲର୍ ମଧ୍ୟ କୁହାଯାଉଛି ।

ରାସାୟନିକ ଆକ୍ରମଣରୁ ବଞ୍ଚିବା ପାଇଁ ଅର୍ଜୁନ ଟ୍ୟାଙ୍କରେ ସ୍ୱତନ୍ତ୍ର ଭାବେ ସେନସର ଲଗାଯାଇଛି । ଏହି ଟ୍ୟାଙ୍କଗୁଡ଼ିକୁ ଭାରତୀୟ ସୀମାର ସବୁଠାରୁ ଶକ୍ତିଶାଳି ଓ ସମ୍ବେଦନଶୀଳ ରେଜିମେଣ୍ଟରେ ମୁତୟନ କରାଯିବ ।

Leave A Reply

Your email address will not be published.