Latest Odisha News

BREAKING NEWS

ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତି ହୋଇଛି: ନବୀନ

ଭୁବନେଶ୍ବର : ପ୍ରତିଷ୍ଠା ଦିବସ ପାଳିଛି ବିଜେଡି । ୨୫ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ବାସର ପ୍ରତୀକ ହୋଇଛି । ରାଜ୍ୟବାସୀଙ୍କ ଆଶୀର୍ବାଦରେ ଦିନକୁ ଦିନ ବଜେଡି ବଢ଼ି ଚାଲିଛି ବୋଲି କହିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ, ବିଜୁ ଜନତା ଦଳ ହେଉଛି ଏକମାତ୍ର ଦଳ, ଯାହାର ଲୋକପ୍ରିୟତା ବଢ଼ି ଚାଲିଛି । ଏଥିପାଇଁ ଦଳର ଲକ୍ଷ ଲକ୍ଷ ଭଉଣୀମାନଙ୍କ ତ୍ୟାଗ, ପରିଶ୍ରମ ଓ ନିଷ୍ଠାକୁ ସମ୍ମାନ ଜଣାଏ ବୋଲି କହିଛନ୍ତି ନବୀନ ।

୨୦୦୦ ମସିହାର ଓଡ଼ିଶା ଓ ଆଜିର ଓଡ଼ିଶା ଭିତରେ ବହୁତ ପରିବର୍ତ୍ତନ ହୋଇଛି । ଗରିବୀ କମ କରିବାରେ ଓଡ଼ିଶା ସାରା ଦେଶରେ ଆଗରେ ରହିଛି । ଓଡ଼ିଶାରେ ଗରିବୀ ୬୩ ପ୍ରତିଶରୁ ୨୯ ପ୍ରତିଶତକୁ କମିଛି । ୮୦ ଲକ୍ଷ ଲୋକ ଗରିବୀ ରେଖା ଉପରକୁ ଆସିଛନ୍ତି । ଆଗାମୀ ୫ ବର୍ଷ ମଧ୍ୟରେ ଆପଣଙ୍କ ସହଯୋଗରେ ଗରିବୀକୁ ୧୦ ପ୍ରତିଶତ କମ କରି ଓଡ଼ିଶା ଇତିହାସ ସୃଷ୍ଟି କରିବ ।

ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଆନ୍ତର୍ଜାତୀୟ ସ୍ବୀକୃତି ପାଇଛି । ଜାତିସଂଘ ଠାରୁ ଆରମ୍ଭ କରି ନୀତି ଆୟୋଗ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ପ୍ରଶଂସା ପାଇଛି । ବିପତ୍ତି ସମୟରେ ଲୋକଙ୍କ ଜୀବନ ବଞ୍ଚାଇବାକୁ ସମସ୍ତଙ୍କୁ ବାଟ ଦେଖାଇଛି ଓଡ଼ିଶା । ଦିନ ଥିଲା ଓଡ଼ିଶା ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା । କିନ୍ତୁ ଆଜି ସେ ପରିସ୍ଥିତି ସୃଷ୍ଟି ହୋଇନାହିଁ । ଦେଶକୁ ଖାଦ୍ୟ ଯୋଗାଇବାରେ ଓଡ଼ିଶା ଆଜି ୩ ନମ୍ବରରେ ଅଛି । ଏଥିପାଇଁ ସବୁ ଶ୍ରେୟ ଚାଷୀଙ୍କ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।

ମହିଳା ସଶକ୍ତିକରଣରେ ଓଡ଼ିଶା ଆଜି ଆଗରେ । ମା’ ମାନଙ୍କ ପାଇଁ ପଞ୍ଚାୟତ ଓ ପୌରାଞ୍ଚଳରେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣରେ ମଧ୍ୟ ଓଡ଼ିଶା ଆଗରେ ଅଛି । ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ବିଜେଡି ହିଁ ବାଟ ଦେଖାଇଛି । ଏହି ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ମହିଳାଙ୍କ ହକ୍ ପାଇଁ ଆନ୍ଦୋଳନ ଜାରି ରହିବ । ମିଶନ ଶକ୍ତି ଆଜି ଓଡ଼ଇଶାର ପ୍ରତି ଘରର ମହିଳାଙ୍କୁ ସଶକ୍ତ କରିଛି । ୭୦ ଲକ୍ଷ ମା’ ମାନଙ୍କ ଏହି ବିରାଟ ଆନ୍ଦୋଳନ ବିକାଶ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ କରିଛି ।

ଏସସି, ଏସଟି ଓ ଓବିସି ଭାଇ ଭଉଣୀମାନଙ୍କ ବିକାଶ ଆମର ପ୍ରାଥମିକତା । ଶିକ୍ଷା ତଥା ବିଭିନ୍ନ ବିକାଶ ଜରିଆରେ ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ଅନେକ କାମ ଚାଲିଛି । କରୋନା କାଳରେ ସବୁଠୁ ଅଧିକ ପୁଞ୍ଜିନିବେଶ ଓଡ଼ିଶାକୁ ଆସିଛି । ୪ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଆସିଛି । ସାରା ଦେଶରେ ଏହା ସର୍ବାଧିକ । ଆମ ଯୁବପିଢ଼ି ପାଇଁ ଏହା ରୋଜଗାରର ନୂଆ ସୁଯୋଗ ଆଣିଛି ।

କରୋନା ସମୟରେ ମାଗଣାରେ ଚିକିତ୍ସା ଯୋଗାଇଛନ୍ତି ଆମ ସରକାର । ୧୭ ରାଜ୍ୟକୁ ଆମେ ଅମ୍ଲଜାନ ଯୋଗାଇଛି । ସ୍ୱାସ୍ଥ୍ୟକ୍ଷେତ୍ରରେ ବିଏସକେୱାଇ କାର୍ଡ ଦେଶର ବିଳ୍ପବ ଆଣିଛି । ସ୍କୁଲ୍ ରୂପାନ୍ତରୀକରଣ ପିଲାମାନଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି ସହ ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଇଛି । ଶିକ୍ଷା ହେଉ, ବା ସ୍ବାସ୍ଥ୍ୟ ବା କ୍ରୀଡ଼ା ବା କୃଷି ସବୁକ୍ଷେତ୍ରରେ ଓଡ଼ିଶା ଏକ ନୂଆ ପରିଚୟ ନେଇ ଆଗକୁ ବଢ଼ିଛି ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

Leave A Reply

Your email address will not be published.