Latest Odisha News

BREAKING NEWS

ତେଲେଙ୍ଗାନା ଟକ୍କର, ମୋଦି ରାହୁଲ ଲଢେଇରେ ଫସିଯିବେ କେସିଆର!

ଭୁବନେଶ୍ୱର: ଦିନକୁ ଦିନ ଜମୁଛି ତେଲେଙ୍ଗାନା ରାଜନୀତି। ବିଧାନସଭା ନିର୍ବାଚନ ଆଉ ମାତ୍ର ଅଳ୍ପ ଦିନ ବାକି ଥିବାବେଳେ ଶାସକ ବିଆରଏସ ଓ କଂଗ୍ରେସ ମଧ୍ୟରେ ଲଢେ଼ଇ ଶୀର୍ଷ ସ୍ତରରେ ପହଂଚିଲାଣି।

ଉଭୟ ଦଳର ନେତା ପରସ୍ପର ବିରୋଧରେ କଡା ଟିପ୍ପଣୀ ଦେବା ସହ ରାସ୍ତାକୁ ଓଲ୍ହାଇଛନ୍ତି। କଂଗ୍ରେସର ନେତାମାନେ ନିଜ ଭିତରେ ଥିବା ମନୋମାଳିନ୍ୟ ଭୁଲି ଗୋଟିଏ ମଞ୍ଚରେ ଏକାଠି ହୋଇ ରଣନୀତି ପ୍ରସ୍ତୁତ କରିଛନ୍ତି। ଆସନ୍ତା ସପ୍ତାହରେ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବା ସହ ରାଜ୍ୟରେ ପ୍ରଚାରକୁ ଫୋକସ କରାଯିବ।

ସେପଟେ ବିଜେପି ଉଭୟ ଦଳକୁ କଡା ଟକ୍କର ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ଏଭଳି ସ୍ଥିତିରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡୀ ରାଜ୍ୟ ବିଜେପି ସଭାପତି ଭାବେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାଗ୍ୟଲକ୍ଷ୍ମୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ସେ ଦଳୀୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି।

ତେଲେଙ୍ଗାନା ବିଜେପି ମଧ୍ୟରେ ଗୋଷ୍ଠୀକନ୍ଦଳ ତୀଵ୍ର ରୂପ ନେଉଥିବା ବେଳେ କିଶନ ରେଡ୍ଡୀଙ୍କୁ ଦଳ ଦାୟିତ୍ୱ ଦେଇଛି। କିନ୍ତୁ କିଶନଙ୍କୁ ତେଲେଙ୍ଗାନା ମଙ୍ଗ ସମ୍ଭାଳିବା ଦାୟିତ୍ୱ ଦିଆଯିବା ପରେ ଦଳର ପୂର୍ବତନ ସଭାପତି ବନ୍ଦୀ ସଞ୍ଜୟ କୁମାର ଟ୍ୱିଟ ମାଧ୍ୟମରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିବା ଦେଖିବାକୁ ମିଳିଥିଲା।

ନୂତନ ଭାବେ କିଶନ ରେଡ୍ଡୀ ଦାୟିତ୍ୱ ନେବା ବେଳେ ସଞ୍ଜୟ କୁମାରଙ୍କ ସମେତ ଅନ୍ୟ ଦଳୀୟ ନେତାମାନେ ଉପସ୍ଥିତ ରହିଥିଲେ। ଶାସକ ବିଆରଏସକୁ କ୍ଷମତାରୁ ନ ହଟାଇବା ପର୍ଯ୍ୟନ୍ତ ଦଳ ଶାନ୍ତିରେ ନିଶ୍ୱାସ ମାରିବନି ବୋଲି ସେ କହିଛନ୍ତି।

କିନ୍ତୁ ବିଆରଏସକୁ ହରାଇବାକୁ ହେଲେ ଏକ ହୋଇ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି। କର୍ଣ୍ଣାଟକରେ ପୂର୍ବରୁ ସରକାର ଥିବାବେଳେ ଦକ୍ଷିଣ ଭାରତର ତେଲେଙ୍ଗାନା ରାଜ୍ୟରେ ବିଜେପି ଶାସନକୁ ଆସିପାରିବ ବୋଲି ଆଶା ରଖିଛି।

ଏପରିକି ଦାୟିତ୍ୱ ନେବା ପରେ କିଶନ ରେଡ୍ଡୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଟାର୍ଗେଟ କରିଛନ୍ତି। ବିଭିନ୍ନ ନିର୍ବାଚନ ପ୍ରତିଶ୍ରୁତିକୁ ନେଇ କିଶନ କେସିଆରଙ୍କୁ ଟାର୍ଗେଟ କରିଛନ୍ତି।

ଖେଳ ଆରମ୍ଭ ହେଲା ଓ ତେଲେଙ୍ଗାନାବାସୀ ବିଜେପିର ନେତୃତ୍ୱରେ ବିଆରଏସ କୁ ହରାଇବେ ବୋଲି ସେ କହିଛନ୍ତି। ଏପରିକି ବିରୋଧୀ ମେଣ୍ଟକୁ ଟାର୍ଗେଟ କରିବା ସହ ନରେନ୍ଦ୍ର ମୋଦି ପୁଣିଥରେ ୨୦୨୪ ରେ ପ୍ରଧାନମନ୍ତ୍ରୀ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ତଥା ତେଲେଙ୍ଗାନା ବିଜେପି ସଭାପତି କହିଛନ୍ତି।

ତେଣୁ ନୂଆ ସଭାପତି ଦାୟିତ୍ୱ ନେବା ପରେ ତେଲେଙ୍ଗାନା ବିଜେପି ମଧ୍ୟରେ ନୂଆ ଆଶାର ସଂଚାର ହୋଇଛି।

Leave A Reply

Your email address will not be published.