Latest Odisha News

ଶ୍ରୀମନ୍ଦିରରେ ପଟିଦିଅଁ…

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ)

ଶ୍ରୀଜଗନ୍ନାଥ ଜଣେ ସାଧାରଣ ମଣିଷଟିଏ ପରି ବୈଶାଖ ଜ୍ୟେଷ୍ଠ ମାସର ଗ୍ରୀଷ୍ମ ପ୍ରବାହ ଭିତରେ ଅତିଷ୍ଠ ହୋଇ ପୂର୍ଣ୍ଣିମା ତିଥିରେ ସ୍ନାନ କରନ୍ତି । ଶହେ ଆଠ ଗରା ପାଣିରୁ ପଇଁତିରିଶ ଗରା ତାଙ୍କ ଉପରେ ଢଳା ଯାଏ । ଏତେ ଗୁଡ଼ିଏ ପାଣି ଏକାଠି ଢଳା ହେଲେ ଯେ କୌଣସି ଲୋକକୁ ଥଣ୍ଡା ବା ଜ୍ୱର ହେବା ସ୍ୱାଭାବିକ । ଶ୍ରୀଜଗନ୍ନାଥ ବାଦ ଯିବେ ବା କିପରି ! ଦେବତା ରକ୍ତ ମାଂସ ଦେହଧାରୀ ମଣିଷ ପରି ସାଂସାରିକ ରୋଗ, ଦୁଃଖ, ଶୋକ ପ୍ରଭୃତି ଭିତରେ ଗତି କରନ୍ତି ।

ତେଣୁ ସଂସ୍କୃତରେ କଥା ଅଛି – “ ଯଥା ଦେହେ ତଥା ଦେବେ ” ସେ ତ’ ଓଡ଼ିଆ ଜନ ଜୀବନ ସହିତ ଓତପ୍ରୋତ ଭାବରେ ଜଡ଼ିତ । ଆମ ଭଳି ସେ ବି ଜ୍ୱର କଷ୍ଟ ଭୋଗନ୍ତି । ଅନବସରରେ ଜ୍ୟେଷ୍ଠ ପୂର୍ଣ୍ଣିମାଠାରୁ ଆଷ|ଢ଼ ଅମାବାସ୍ୟା ପର୍ଯ୍ୟନ୍ତ ତାଙ୍କୁ ଚିକିତ୍ସା କରାଯାଏ ।

ଏହି ସମୟରେ ଦଇତାପତି ବା ବିଶ୍ୱାବସୁ ବଂଶଧରମାନେ ଠାକୁରମାନଙ୍କର ଚିକିତ୍ସା ଓ ସେବା ଶୁଶ୍ରୂଷା ଦାୟିତ୍ୱରେ ଥାଆନ୍ତି । ଇତି ମଧ୍ୟରେ ଦେବ ଦର୍ଶନ ନିଷେଧ ରହିଥାଏ । ଠିକ୍ ଯେପରି ସାଧାରଣ ମଣିଷ ବାଧକ ପଡ଼ିଲେ କାହାକୁ ଦେଖା କରେ ନାହିଁ । ଏହି ସମୟରେ ବଳଭଦ୍ରଙ୍କ ବାଡ଼ରେ ପ୍ରଭୁ ବାସୁଦେବ, ସୁଭଦ୍ରାଙ୍କ ବାଡ଼ରେ ଚତୁର୍ଭୁଜା ଦେବୀ ମା’ ଭୂବନେଶ୍ବରୀ, ଓ ଜଗନ୍ନାଥଙ୍କ ବାଡ଼ରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରୀ ପ୍ରଭୁ ଅନନ୍ତ ନାରାୟଣଙ୍କର ପଟ୍ଟଚିତ୍ରମାନ ଅଙ୍କିତ ହୋଇ ଅଣସର ତାଟି ସମ୍ମୁଖରେ ପନ୍ଦର ଦିନ ବ୍ୟାପୀ ପୂଜା ପାଇଥାନ୍ତି ।

ଉକ୍ତ ତିନି ବାଡ଼ର ଦେବତାମାନେ:
ବଳଭଦ୍ରଙ୍କ ବାଡ଼ରେ – ବାସୁଦେବ, ରାମ, କୃଷ୍ଣ, ନୃସିଂହ
ସୁଭଦ୍ରାଙ୍କ ବାଡ଼ରେ – ମା’ ଭୁବନେଶ୍ଵରୀ, ଶ୍ରୀଦେବୀ, ଭୂଦେବୀ
ଜଗନ୍ନାଥଙ୍କ ବାଡ଼ରେ – ଅନନ୍ତ ନାରାୟଣ, ମଦନମୋହନ, ଦୋଳଗୋବିନ୍ଦ

ଏମାନେ ଦଶ ଅବତାର ଭାବରେ ଉକ୍ତ ସମୟ ଅନବସର ପାଇଁ ବିଦିତ । ରଥଯାତ୍ରା ପୂର୍ବରୁ ସ୍ନାନ ଯାତ୍ରା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅନବସରର ରୁହନ୍ତି । ଏହି ସମୟରେ ପଟି ଦିଅଁ ପୂଜାର ପରମ୍ପରା ପ୍ରଚଳିତ । ପଟଚିତ ଧାରାରେ ଠାକୁରମାନଙ୍କ ଚିତ୍ର ଅଙ୍କା ଅଙ୍କାଯାଇଥିବା କାରଣରୁ ଅଣସର କାଳରେ ପୂଜିତ ପଟଚିତ୍ର ଠାକୁରଙ୍କ ଦେଉଳି ଭାଷାରେ ପଟିଦିଅଁ କୁହାଯାଏ । ସ୍ନାନ ପୁର୍ଣିମାର ସମସ୍ତ ନୀତି ସମ୍ପାଦିତ ହେବା ପରେ ମଧ୍ୟରାତ୍ରିରେ ଏହି ପଟିଦିଅଁ ଶ୍ରୀମନ୍ଦିରକୁ ବିଜେ ହୁଅନ୍ତି । ସ୍ନାନ ପୁର୍ଣିମା ପରବର୍ତ୍ତୀ ପନ୍ଦର ଦିନ ଅନବସର କାରଣରୁ ଶ୍ରୀଜଗନ୍ନାଥାଦି ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ମିଳେ ନାହିଁ । ମନ୍ଦିରର ଗର୍ଭଗୃହ ସମ୍ମୁଖ କଳାହାଟ କବାଟ ପୂର୍ବରୁ ଥିବା ଅନବସର ପିଣ୍ଡିରେ ଠାକୁରମାନେ ଅନବସର ନୀତିରେ ରୁହନ୍ତି । ଏହି ଅନବସର ଗୃହକୁ ତାଟିରେ ପ୍ରସ୍ତୁତ କରାଯାଇଥାଏ । ଅନବସର ଗୃହର ବାହାର ପଟ ତାଟିରେ ଏହି ପଟିଦିଅଁମାନେ ବିଜେ କରି ୧୪ ଦିନ ଅନବସର କାଳରେ ପୂଜା ପାଇଥାନ୍ତି । ସ୍ୱତନ୍ତ୍ର ଭାବରେ ଚିତ୍ରକାର ସେବକମାନେ ପ୍ରତିବର୍ଷ ଖୁବ ନିଷ୍ଠାର ସହ ୩ଟି ପଟିରେ ଏହି ପଟିଦିଅଁମାନଙ୍କୁ ଆଙ୍କିଥାନ୍ତି । ଶ୍ରୀଜଗନ୍ନାଥଙ୍କ ପଟିରେ ମହାପ୍ରଭୁ ଚତୁର୍ଭୁଜ ରୂପରେ ଶୋଭା ପାଉଥିବା ବେଳେ ତାଙ୍କର ନାମ ଅନନ୍ତ ନାରାୟଣ, ଶ୍ରୀବଳଭଦ୍ରଙ୍କୁ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରାଙ୍କୁ ମା’ ଭୁବନେଶ୍ୱରୀ ଓ ଶ୍ରୀସୁଦର୍ଶନଙ୍କୁ ପତିତପାବନ ଭାବରେ ଆରାଧନା କରାଯାଇଥାଏ । ଏହି ପଟିଦିଅଁଙ୍କ ସମ୍ମୁଖରେ ଖଟ ଉପରେ ଚଳନ୍ତି ପ୍ରତିମା ମଦନ ମୋହନ, ଦୋଳଗୋବିନ୍ଦ, ଶ୍ରୀ ନୃସିଂହ, ଶ୍ରୀ ରାମକୃଷ୍ଣ, ଭୂଦେବୀ ଓ ଶ୍ରୀଦେବୀ ସପ୍ତ ବିଗ୍ରହ ମଧ୍ୟ ପୂଜା ପାଇଥାନ୍ତି ।

(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.