Latest Odisha News

ବିଲୁପ୍ତ ପ୍ରାୟ ଦେବଦାସୀ ପ୍ରଥା ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା

ଭୁବନେଶ୍ୱର: ଦେବାଦେବୀଙ୍କ ମନ୍ଦିରର ନୃତ୍ୟାଙ୍ଗନାମାନଙ୍କୁ ଦେବଦାସୀ କୁହାଯାଏ । ରାଜସଭାର ରାଜ ନର୍ତ୍ତକୀମାନଙ୍କ ଅନୁକରଣରେ ବିଭିନ୍ନ ମନ୍ଦିରରେ ଦେବଦାସୀ ପ୍ରଥାର ପ୍ରଚଳନ ହୋଇଛି। ମର୍ତ୍ତ୍ୟରେ ଦେବତାମାନଙ୍କ ପ୍ରତି ଏମାନଙ୍କ ନୃତ୍ୟ ଓ ଜୀବନଶୈଳୀ ଉତ୍ସର୍ଗ । ଏହି ପୁରାତନ ପ୍ରଥା ରାଜ୍ୟ, ଦେଶ ଓ ବିଶ୍ୱର ବହୁମନ୍ଦିରରେ ପ୍ରଚଳିତ ଥିଲା । ପରବର୍ତ୍ତୀ ସମୟରେ ଏହିକଳା ଲୁପ୍ତପ୍ରାୟ ହେବାକୁ ବସିଲାଣି ।

ମନ୍ଦିର ଗୁଡ଼ିକରେ ଦେବଦାସୀ ପ୍ରଥା କେବଳ ଭାରତରେ ନୁହେଁ ପୃଥିବୀର ଅନ୍ୟାନ୍ୟ ଦେଶରେ ଯଥା ଗ୍ରୀସର ଭେନସ ଦେବୀଙ୍କ ମନ୍ଦିରରେ, ମିଶରର ଓରିସସ୍ ଓ ଆଇରିସ୍ ମନ୍ଦିରରେ ପ୍ରଚଳିତ ଥିଲା । ସୌରାଷ୍ଟ୍ରର ପ୍ରଖ୍ୟାତ ସୋମନାଥ ମନ୍ଦିରରେ ଚତୁର୍ଥ/ପଞ୍ଚମ ଶତାବ୍ଦୀରେ ମହାଦେବଙ୍କ ସମ୍ମୁଖରେ ଦେବଦାସୀମାନେ ତାଣ୍ଡବ ନୃତ୍ୟ କରୁଥିଲେ ।

ଦାକ୍ଷିଣାତ୍ୟର ଚୋଳ, ଚାଲୁକ୍ୟ, ରାଷ୍ଟ୍ରକୂଟ ଓ ପଲ୍ଲବ ବଂଶୀୟ ରାଜାମାନେ ଶିବ ଓ ବିଷ୍ଣୁ ମନ୍ଦିରରେ ନୃତ୍ୟାଙ୍ଗନା ଦେବଦାସୀ ନିଯୁକ୍ତ କରିବାର ପ୍ରମାଣ ମିଳେ । ଓଡ଼ିଶାରେ ଅଷ୍ଟମ ଶତାବ୍ଦୀରେ ଉଦ୍ୟତକେଶରୀଙ୍କ ମାତା କଳାବତୀଙ୍କ ଦ୍ୱାରା ନିର୍ମିତ ଭୁବନେଶ୍ୱରସ୍ଥ ବ୍ରହ୍ମେଶ୍ୱର ଶିବ ମନ୍ଦିରର ଶିଳାଲେଖା ଅନୁଯାୟୀ ଶିବଙ୍କ ଆଗରେ ଦେବଦାସୀମାନେ ନୃତ୍ୟ କରୁଥିଲେ ।

ଏହା ପୂର୍ବରୁ ଭାରତୀୟ ସମାଜର ନଗର ଓ ଜନପଦରେ ନଗରବଧୂଙ୍କ ନୃତ୍ୟ ଆଦର ଲାଭ କରିଥିଲା । ବୈଷ୍ଣବୀୟ ମତରେ ଦେବଦାସୀମାନେ ହେଲେ ଭଗବାନଙ୍କ ନିତ୍ୟରାସର ଆହ୍ଲାଦିନୀ ଶକ୍ତି ରାଧାଙ୍କ ବିକଳ୍ପ।

ଓଡ଼ିଶାର ଅନେକ ପ୍ରାଚୀନ ମନ୍ଦିରମାନଙ୍କରେ ଦେବଦାସୀ ପ୍ରଥାର ପ୍ରଚଳନ ଥିଲା । ଉଭୟ ଶୈବ ଓ ବୈଷ୍ଣବ ଦେଉଳଗୁଡ଼ିକରେ ଦେବଦାସୀ ସେବା ଥିଲା । କେଶରୀ ବଂଶର ରାଜା ଉଦ୍ୟୋତ କେଶରୀଙ୍କ ମାତା କଳାବତୀ ଦେବୀ ଭୁବନେଶ୍ୱରସ୍ଥ ବ୍ରହ୍ମେଶ୍ୱର ଦେଉଳ ନିର୍ମାଣ କରିଥିବା ଜଣାଯାଏ ।

ବ୍ରହ୍ମେଶ୍ୱର ମନ୍ଦିରର ଶିଳାଲିପିରେ ସେବା ନିମିତ୍ତ ଦେବଦାସୀମାନଙ୍କୁ ଉତ୍ସର୍ଗ କରାଯିବା ବିଷୟ ବର୍ଣ୍ଣିତ ହୋଇଛି । ଏହା ଛଡ଼ା ଭୁବନେଶ୍ୱର ସ୍ଥିତ ମେଘେଶ୍ୱର ଦେଉଳ, ନିଆଳୀର ଶୋଭନେଶ୍ୱର ଦେଉଳ, ଭୁବନେଶ୍ୱରର ଅନନ୍ତ ବାସୁଦେବ ଦେଉଳ ଓ ପୁରୀର ଶ୍ରୀମନ୍ଦିରରେ ମଧ୍ୟ ଦେବଦାସୀ ନୃତ୍ୟ ସେବା ଥିବାର ବଳିଷ୍ଠ ପ୍ରମାଣ ରହିଛି ।

ଜଗନ୍ନାଥ ମନ୍ଦିରରେ ଦେବଦାସୀ ପ୍ରଥା..

ଦେବଶର୍ମା ନାମକ ଜନୈକ ବ୍ରାହ୍ମଣ, ପୁତ୍ର ଲାଭ ପାଇଁ ନିଜର ପ୍ରଥମ କନ୍ୟା ପଦ୍ମାବତୀଙ୍କୁ ଦେବଦାସୀ ରୂପେ ଜଗନ୍ନାଥଙ୍କୁ ସମର୍ପଣ କରିଥିଲେ । ଓଡ଼ିଶାକୁ ଗଙ୍ଗବଂଶୀୟ ରାଜାମାନେ ଅଧିକାର କଲାବେଳେ ଏକାଦଶ ଶତାବ୍ଦୀରେ ଏହି ଦେବଦାସୀ ପ୍ରଥା ପୁରୀମନ୍ଦିରରେ ପ୍ରଚଳିନ କରିଥିଲେ । ସେମାନେ ଦାକ୍ଷିଣାତ୍ୟର ଲୋକ ହୋଇଥିବାରୁ ଏହି ପ୍ରଥା ଦାକ୍ଷିଣାତ୍ୟରୁ ଆସିଥିଲା ବୋଲି ଅନେକ ମନେ କରନ୍ତି ।

ଏହି ନୃତ୍ୟକୁ ଓଡ଼ିଶାରେ କେବଳ ଦେବଦାସୀମାନେ ନୁହନ୍ତି, ଗୋଟିପୁଅମାନେ ବି ବଞ୍ଚାଇ ରଖିଥିଲେ । ଏହା ଆଜି ମନ୍ଦିର ବା ରାଜବାଟୀରେ ମଧ୍ୟରେ ଆବଦ୍ଧ ନୁହେଁ । ସାରା ବିଶ୍ୱରେ ଏହି ନୃତ୍ୟ ଆଦର ଲାଭ କରିଛି । ଦେବଦାସୀ ପ୍ରଥାର ଅବସାନ ଘଟିଥିଲେ ସୁଦ୍ଧା ସେମାନଙ୍କ ନୃତ୍ୟ ପରମ୍ପରା ବିଲୁପ୍ତ ହୋଇନାହିଁ ।

Leave A Reply

Your email address will not be published.