Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପାଇଁ ଟ୍ରାଫିକ୍ କଟକଣା, ୫ ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ଚଳାଚଳ ମନା

ଭୁବନେଶ୍ୱର: ଆସନ୍ତାକାଲି ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଏହା ସହିତ ଶପଥ ନେବେ ଓଡିଶାର ନୂଆ କ୍ୟାବିନେଟ ମନ୍ତ୍ରୀ । ଏଥିଲାଗି ଭୁବନେଶ୍ବର ସ୍ଥିତ ଜନତା ମଇଦାନରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ୧୨ ତାରିଖ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ଦିନ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜନତା ମୈଦାନରେ ହେବାକୁ ଥିବା ଶପଥଗ୍ରହଣ ଉତ୍ସବ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୫ ଘଣ୍ଟାର ଟ୍ରାଫିକ କଟକଣା ଜାରି କରିଛି କମିସନରେଟ ପୋଲିସ ।

ଦିନ ୨ରୁ ସଂଧ୍ୟା ୭ କିମ୍ବା ଶପଥ ସମାରୋହ ସରିବା ଯାଏଁ କଟକଣା ରହିବ। ଜୟଦେବ ବିହାରରୁ ନାଲକୋ ଛକ ଏବଂ ସଂଲଗ୍ନ ଗଳି ରାସ୍ତାରେ ଗାଡ଼ି ଚଳାଚଳ ଉପରେ ରୋକ ଲଗାଯାଇଛି । ବିମାନବନ୍ଦରରୁ ଜନତା ମୈଦାନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ବସରେ ଆସିଥିବା ଯାତ୍ରୀ ଓଏସଏପି ୭ମ ବିଏନ ପଡିଆ ଗେଟ୍ ସାମ୍ନାରେ ଓହ୍ଲାଇ ଚାଲି ଚାଲି ଜନତା ମୈଦାନକୁ ଯିବେ । ସେହିଭଳି ଏହି ବସ୍ ଗୁଡିକ ରେଲୱେ କଲୋନୀ ଗୋଲେଇ ଛକ ଠାରୁ ଉକ୍ରଳ ହସ୍ପିଟାଲ ଏବଂ ହାତିଆସୁଣୀ ଛକ ରାସ୍ତାରେ ପାର୍କିଂ କରିପାରିବେ । ସେହିଭଳି ଚାରି ଚକିଆ ଯାନ ଗୁଡିକ ସୈନିକ ସ୍କୁଲ କ୍ୟାମ୍ପସରେ ପାର୍କିଂ କରିବେ।

ତମାମ କାର୍ଯ୍ୟକ୍ରମ ପାଇଁ ଜଣେ ଆଇଜି ଓ ୨ ଡିଆଇଜିଙ୍କୁ ଦାୟିତ୍ବ ଦିଆଯାଇଛି। ଜନତା ମଇଦାନ ସୁରକ୍ଷା ଦାୟିତ୍ବ ତଦାରଖ କରିବେ ଆଇଜି ପ୍ରବୀଣ କୁମାର। ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଏୟାରପୋର୍ଟ, ଉମାଶଙ୍କର ଦାସ ଟ୍ରାଫିକ ବୁଝିବେ। ସେହିପରି ୧୩ ଡିସିପି, ୧୮ ଏଡିସିପି ରାଙ୍କ ଅଧିକାରୀ ମଧ୍ୟ ଦାୟିତ୍ବରେ ରହିବେ। ୫୮ ଏସିପି, ୯୪ ଇନ୍ସପେକ୍ଟର, ୩୧୨ ଏସ୍‌ଆଇ/ଏଏସ୍‌ଆଇ ରହିବେ। ଆସନ୍ତାକାଲି ଦିନ ୨ଟାରୁ ୭ଟା ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳରେ ଟ୍ରାଫିକ କଟକଣା ରହିବ।

Leave A Reply

Your email address will not be published.