Latest Odisha News

BREAKING NEWS

ଷ୍ଟାର କଳିରେ ବଳି ପଡୁଛି ଓଡିଆ ଚଳଚ୍ଚିତ୍ର, ଝାରସୁଗୁଡାରେ ଫିଲ୍ମ ‘ପ୍ରଥା’କୁ ବିରୋଧ

ଭୁବନେଶ୍ଵର: ଷ୍ଟାର କଳିରେ ବଳି ପଡୁଛି ଓଡିଆ ଚଳଚ୍ଚିତ୍ର । ଗୋଟିଏ ପରେ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ରକୁ ବିରୋଧ କରି ବନ୍ଦ କରାଯାଉଛି । ଗତକାଲି ସାରା ଓଡିଶାରେ ଓଡିଆ ଚଳଚ୍ଚିତ୍ର ପ୍ରଥା ମୁକ୍ତିଲାଭ କରିଥିବା ବେଳେ ଝାରସୁଗୁଡାରେ ଏହି ଚଳଚ୍ଚିତ୍ରକୁ ବିରୋଧ କରାଯାଇଛି । ଏପଟେ ଓଡ଼ିଆ ଚଳଚ୍ଚିତ୍ର ରାମକୁ ନେଇ ବିବାଦ ଥମିବାର ନାଁ ନେଉନଥିବା ବେଳେ ସେପଟେ ଝାରସୁଗୁଡାରେ ଫିଲ୍ମ ‘ପ୍ରଥା’କୁ ବିରୋଧ କରାଯାଉଛି । ଆଜି ସ୍ଥାନୀୟ ଶିବା ମଲ୍ଟିପ୍ଲେକ୍ସରେ ଲାଗିଥିବା ପ୍ରଥା ଫିଲ୍ମର ପୋଷ୍ଟରକୁ ଚିରି ଫୋପାଡି ଦେଇଛନ୍ତି କୋଶଲ ସେନା ।

ସୂଚନା ଅନୁସାରେ, ବହୁ ପ୍ରତିକ୍ଷିତ ଝାରସୁଗୁଡା ଝିଅ ଓ ସମ୍ବଲପୁର ବୋହୂ ସାନଲିଶା ପଟେଲ୍ ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର “ପ୍ରଥା” ସାରା ଓଡିଶାର ସମୁଦାୟ ୪୮ ଟି ହଲ୍ ରେ ମୁକ୍ତିଲାଭ କରିଥଲା । ଝାରସୁଗୁଡା ଶିବା ହଲରେ ଏହି ଚଳଚ୍ଚିତ୍ରର ପ୍ରମିୟର ଶୋ ଲଞ୍ଚ ହେବାର ଥିଲା । କିନ୍ତୁ ଫିଲ୍ମ ଚାଲିବା ପୂର୍ବରୁ ହଲ ସାମ୍ନାରେ ଲାଗିଥିବା ସମସ୍ତ ପୋଷ୍ଟର ଓ ବ୍ୟାନର ଚିରି ଦେଇଥିଲେ କୋଶଲ ସେନା । ଏତଦବ୍ୟତୀତ ସୋ ବନ୍ଦ ପାଇଁ ଧମକ ଦେଇ ଓଡିଆ ଚଳଚ୍ଚିତ୍ର ମୁର୍ଦାବାଦ କହିବା ସହ ନିକଟରେ ରିଲିଜ୍ ହୋଇଥିବା ମନୋଜ ମିଶ୍ରଙ୍କ ଅଭିନୀତ ଓଡିଆ ଫିଲ୍ମ ‘ମାଇଣ୍ତ ଗେମ୍ ’ ଲଗାଇବାକୁ ବି ବାଧ୍ୟ କରିଥିଲା ସେନା । ତେବେ ପୋଷ୍ଟର ଚିରାକୁ ତିବ୍ର ନିନ୍ଦା କରିଛନ୍ତି ଫିଲ୍ମ ନିର୍ମାତା ତଥା ଅଭିନେତ୍ରୀ ସାନଲିଶା ପଟେଲ । ସେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ପୋଷ୍ଟର ନ ଚିରି ସମସ୍ତଙ୍କୁ ଫିଲ୍ମ ଦେଖିବାକୁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅରିନ୍ଦମଙ୍କ ଅଭୀନିତ ଫିଲ୍ମ ରାମ ସମ୍ବଲପୁରରେ ରିଲିଜ ହୋଇ ପାରିନଥିଲା । ଏଥିପାଇଁ ଅଭିନେତା ମନୋଜ ମିଶ୍ରଙ୍କୁ ପ୍ରଯୋଜକ ସଂଘ ଦାୟୀ କରିଥିଲା । ଏହାପରେ ତାଙ୍କ ଉପରେ ଦୁଇ ବର୍ଷ ପାଇଁ ବ୍ୟାନ କରିବାକୁ ନିଷ୍ପତି ନେଇଥିଲା ସଂଘ । ଏହାପରେ ବିବାଦ ଉଗ୍ର ନେଇଛି ।

Leave A Reply

Your email address will not be published.