ନୂଆଦିଲ୍ଲୀ: ଆପଣ ଅନେକଙ୍କୁ ଦେଖିଥିବେ ଯେଉଁମାନଙ୍କୁ ଅଧିକ ଉଚ୍ଚକୁ ଯିବାକୁ ଡର ଲଗେ, ଲିଫ୍ଟ ଚଢ଼ିବାକୁ ଡର ଲାଗୁଥିବ କିମ୍ୱା ବନ୍ଦ ଘରେ ରହିବାକୁ ଡରୁଥିବେ। ଏପରି ସ୍ଥିତିକୁ ଆମେ ସାଧାରଣ ଭାବେ ଫୋବିଆ ବୋଲି କହିଥାଉ। ଏହିପରି ଭେବେ ଆଗୋରୋଫୋବିୟା ନାମକ ଏକ ସମସ୍ୟାକୁ ନେଇ ବର୍ତ୍ତମାନ ଅନେକ ଚର୍ଚ୍ଚା ହେଉଛି। ଏହାର କାରଣ ହେଉଛି ଆପଲ୍ କମ୍ପାନୀର ସହ-ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କ ପତ୍ନୀ ଲରେନ୍ ପାୱାର୍ ଜବ୍ସ।
ଲରେନ୍ ମହାକୁମ୍ଭରେ ଯୋଗଦେବା ପାଇଁ ଭାରତ ଆସିଥିଲେ, ହେଲେ କୁମ୍ଭରେ ଏତେ ଭିଡ଼ ଦେଖି ସେ ଡରି ଯାଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲରେନଙ୍କୁ ଆଗୋରୋଫୋବିୟା ନାମକ ଏକ ସମସ୍ୟା ରହିଛି, ଯେଉଁଥିରେ ଜଣେ ବ୍ୟକ୍ତି ଜନଗହଳି ପୂର୍ଣ୍ଣ ସ୍ଥାନ କିମ୍ବା ପରିସ୍ଥିତିକୁ ଖବ୍ ଭୟ କରନ୍ତି । ଆଉ ଏଥିରୁ ରକ୍ଷା ପାଇବା କଷ୍ଟକର ହୋଇଥାଏ। ଆଗୋରୋଫୋବିୟା ହେଉଛି ଏକ ମାନସିକ ରୋଗ ଯାହା ଅଧିକ ଚିନ୍ତା କିମ୍ବା ବିଭିନ୍ନ ଶାରୀରିକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଆଗୋରୋଫୋବିଆର ସମସ୍ୟା ଆପଣଙ୍କ ଦୈନିକ ଜୀବନର କାର୍ଯ୍ୟକାରିତା ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଆସନ୍ତୁ ଜାଣି କଣ ଏହି ଆଗୋରୋଫୋବିଆ ?
ଆଗୋରୋଫୋବିୟା ହେଉଛି ଏକ ପ୍ରକାର ଷ୍ଟ୍ରେସ୍ ଡିସଅର୍ଡର । ଯେଉଁମାନଙ୍କର ଏହି ସମସ୍ୟା ରହିଛି ସେମାନେ ସେହି ସ୍ଥାନ କିମ୍ବା ପରିସ୍ଥିତିକୁ ଭୟ କରନ୍ତି। ଯେଉଁଥିପାଇଁ ସେମାନଙ୍କୁ ଏଥିରୁ ବାହାରିବା କଷ୍ଟକର ହୋଇଯାଏ। ଏପରି ଲୋକମାନେ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଆଗୋରୋଫୋବିଆରେ ପୀଡିତ ଲୋକମାନେ ଭିଡ଼ କିମ୍ବା ଅପରିଚିତ ସ୍ଥାନକୁ ଯିବା ହେତୁ ବେଳେବେଳେ ଅତ୍ୟଧିକ ଚିନ୍ତା କିମ୍ବା ଭୟ ଅନୁଭବ କରିଥାନ୍ତି। ସେମାନେ ଏତେ ଭୟଭୀତ ହୋଇଯାନ୍ତି ଯେ ସେମାନଙ୍କୁ ପ୍ୟାନିକ ଡିସଅର୍ଡରର ସମସ୍ୟା ହେବାର ମଧ୍ୟ ଆଶଙ୍କା ରହିଥାଏ। ଫଳରେ ସେମାନଙ୍କ ହୃଦସ୍ପଦନ ବଢ଼ିବାରେ ଲାଗିଥାଏ, ନିଶ୍ୱାସ ନେବାକୁ କଷ୍ଟ ହୋଇଥାଏ ଏବଂ ଦେହରେ ଅଧିକ ଝାଳ ବହିଥାଏ।
ଆଗୋରୋଫୋବିୟା ଅନେକ କାରଣ ପାଇଁ ହୋଇଥାଏ। ଏପରି ସମସ୍ୟା ହେବାର ଆଶଙ୍କା ଅଧିକ ଦେଖାଯାଏ ଯେଉଁମାନଙ୍କ ପରିବାରରେ ପୂର୍ବରୁ ଏହି ଫୋବିଆରେ ପୀଡିତ ରହିଥିଲେ। ଏହା ବ୍ୟତୀତ, ମସ୍ତିଷ୍କର ଗଠନ ଏବଂ କାର୍ଯ୍ୟରେ ଅସନ୍ତୁଳନ, ସେରୋଟୋନିନ୍ ଏବଂ ଡୋପାମାଇନ୍ ଭଳି କେତେକ ରାସାୟନିକ ପଦାର୍ଥ ଯୋଗୁଁ ହୋଇଥାଏ।
Comments are closed.