ଭୁବନେଶ୍ବର: ଏବେ ଉଠୁଛି ପଡୁଛି ରାଜଧାନୀ ଭୁବନେଶ୍ବର । ପୂରା ବିଶ୍ବର ନଜର ଭୁବନେଶ୍ବର ଉପରେ ରହିଛି । ଦେଶବିଦେଶରୁ ପ୍ରବାସୀ ଭାରତୀୟଙ୍କ ଡେରାପଡିଛି ଭୁବନେଶ୍ବରରେ । ହେଲେ ଏଭଳି ସ୍ଥିତିରେ ଆଜି ସକାଳୁ ସକାଳୁ ରାଜଧାନୀ ରାଜରାସ୍ତାରେ, ତାହା ପୁଣି ଏକ ସେଣ୍ଟ୍ରାଲ ପଏଣ୍ଟ ଯାହା ସବୁ ବେଳେ ଚଳଚଞ୍ଚଳ ସେଠି ଜଣେ ଯୁବକଙ୍କୁ ବିଭତ୍ସ ହତ୍ୟା କରାଯାଇଛି । ଗୋଟେପଟେ ଭୁବନେଶ୍ବରରେ ଏବେ ପ୍ରବାସୀ ଭାରତୀୟ ସମ୍ମିଳନୀ ଚାଲିଥିବା ବେଳେ ଚାରିଆଡେ ପୋଲିସ୍ ଛାଉଣି ହୋଇଛି ହେଲେ ସେଠି ପୋଲିସ୍ ନାକ ତଳେ ଏଭଳି ହତ୍ୟାକାଣ୍ଡ ଏବେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସେପଟେ ଏହାକୁ ନେଇ ବିଜେପି ସରକାରକୁ ଘେରିଛି ବିରୋଧୀ ବିଜେଡି । ଏନେଇ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି, ଭୁବନେଶ୍ୱରରେ ବର୍ତ୍ତମାନ ଆନ୍ତର୍ଜାତୀୟ ସମ୍ମିଳନୀ ହେଉଛି । ୭ହଜାର ଲୋକ ଆସିଛନ୍ତି । ୮୦ ପ୍ଲାଟୁନ ପୋଲିସ ସାଙ୍ଗକୁ ୭ କମ୍ପାନୀ କେନ୍ଦ୍ରୀୟ ଫୋର୍ସଙ୍କ ତୀକ୍ଷ୍ଣ ନଜର ରହିଛି । ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ବି ଭୁବନେଶ୍ବର ଆସୁଛନ୍ତି । ଆଉ ସେଠି ଯେଉଁଠି ସମ୍ମିଳନୀ ହେଉଛି ତାହାଠୁ ୩ କିଲୋମିଟର ଦୂରରେ ଜଣେ ସଫେଇ କର୍ମଚାରୀ ତଥା ପୋଲିସ ମିତ୍ରଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି । ଏପରି ଘଟଣା କେବେ ହୋଇ ନଥିଲା । ନୂଆ ସରକାର ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ଭୁଶୁଡିଛି ବୋଲି କହିଛନ୍ତି । ଏଥିସହିତ ସେ ଆହୁରି ବି କହିଛନ୍ତି, ରାଜଭବନରେ ତତ୍କାଳୀନ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିଲେ, ଏବେ ଏଠି ଅପରାଧୀଙ୍କ ଭୟ ନାହିଁ, ବିପଦ ଜନକ ସ୍ଥିତିରେ ଏହି ସମ୍ମିଳନୀ ହେଉଛି, ସରକାର ଶୋଇଛନ୍ତି, ଆଇନ ଶୃଙ୍ଖଳା ପ୍ରତି ଧ୍ୟାନ ନାହିଁ ବୋଲି କହି ମୋହନ ସରକାରଙ୍କୁ ନିନ୍ଦା କରିଛି ବିଜେଡି ।
ଅନ୍ୟପଟେ ଏହି ଘଟଣାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ନବୀନ ସରକାରରେ ଯେଉଁ ସୁରକ୍ଷା ଥିଲା, ତାହା ଆଉ ଏବେ ନାହିଁ । ଏ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ଦୃଷ୍ଟି ନାହିଁ । ବିଜେପି ନେତାଙ୍କ ଭିତରେ କି କଥା ଅଛି ଯେ ତାଙ୍କ ଉପରେ ଗାଡି ଚଢା ଗଲା । ଆଜି ରାତିରେ ପ୍ରଧାନମନ୍ତ୍ରୀ ଆସିବେ, ହେଲେ ରାଜ୍ୟବାସୀ ସୁରକ୍ଷିତ ନୁହଁନ୍ତି । ପୋଲିସ ମିତ୍ରଙ୍କୁ ସୁରକ୍ଷା ଦେଇ ପାରୁ ନାହାନ୍ତି ସେଠି ସାଧାରଣ ଲୋକଙ୍କୁ କି ସୁରକ୍ଷା ଦେବେ? ବୋଲି ପ୍ରଶ୍ନ କରିଛନ୍ତି ଲେନିନ୍ ।
Comments are closed.