Latest Odisha News

BREAKING NEWS

‘ଲେକେ ପ୍ରଭୁକା ନାମ୍’: ଟାଇଗର-୩ ରେ ସଲମାନ ଖାନଙ୍କ ପାଇଁ ଅରିଜିତ ସିଂଙ୍କ ପ୍ରଥମ ଗୀତ

ମୁମ୍ବାଇ: ସଲମାନ ଖାନ ଏବଂ ଅରିଜିତ ସିଂଙ୍କ ମଧ୍ୟରେ ତିକ୍ତତା ଲାଗି ରହିବା ଆପଣମାନେ ତ ନିଶ୍ଚୟ ଶୁଣିଥିବେ। ୯ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଚାଲିଥିଲା ବାଦ-ବିବାଦ। ଏହି ଝଗଡା ପରେ ଅରିଜିତ ସିଂ ସଲମାନଙ୍କ କୌଣସି ଫିଲ୍ମରେ ଗୀତ ଗାଇବାର ସୁଯୋଗ ପାଇନଥିଲେ। ତା ଛଡା ସେ ଗାଇଥିବା ଗୀତ ମଧ୍ୟ ହାତ ଛଡ଼ା କରିବାକୁ ପଡିଥିଲା। ଏପରିକି ସଲମାନ ଖାନ ଫିଲ୍ମ ‘ସୁଲତାନ’ରୁ ଗାୟକ ଅରିଜିତ ସିଂଙ୍କୁ ବରଖାସ୍ତ କରିଥିଲେ। ବଲିଉଡ଼ରେ ଏଭଳି ଝଗଡ଼ା କିଛି ନୂଆ ନୁହେଁ। ବର୍ତ୍ତମାନ କିନ୍ତୁ ଉଭୟଙ୍କ ଝଗଡ଼ାରେ ପଡିଛି ପୂର୍ଣ୍ଣଛେଦ। ଅରିଜିତ୍ ସିଂ ସଲମାନ ଖାନଙ୍କ ଫିଲ୍ମ ଟାଇଗର-୩ ରେ ଗୀତ ଗାଉଛନ୍ତି।

ନିକଟରେ ସଲମାନ ଖାନ ତାଙ୍କର ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଫିଲ୍ମ ‘ଟାଇଗର-୩’ ର ଏକ ନୂଆ ଗୀତ ଖୁବ ଶୀଘ୍ର ଆସିବ ଏବଂ ଏହାକୁ ଅରିଜିତ ସିଂଙ୍କ ବ୍ୟତୀତ ଅନ୍ୟ କେହି ଗାଇ ନାହାଁନ୍ତି ବୋଲି ସେୟାର କରିଛନ୍ତି। ଏହା ସହିତ ସେ ନିଜର ଏବଂ କ୍ୟାଟ୍ରିନାଙ୍କ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ବର୍ତ୍ତମାନ ପାଇଁ ଏହା ସ୍ପଷ୍ଟ ହୋଇଛି ଯେ ଅରିଜିତ ଏବଂ ସଲମାନ ଖାନଙ୍କର ପ୍ୟାଚ୍ ହୋଇଯାଇଛି। ଏହି ପୋଷ୍ଟରେ ସଲମାନ କ୍ୟାପସନରେ ଲେଖିଛନ୍ତି, ‘ପ୍ରଥମ ଗୀତର ପ୍ରଥମ ଝଲକ। ଲେକେ ପ୍ରଭୁକା ନାମ୍ ! ଓହ ହାଁ, ୟେ ହୈ ଅରିଜିତ ସିଂ କା ପହଲା ଗାନା ମେରେ ଲିୟେ।’

ଏହି ଗୀତଟି ୨୩ ଅକ୍ଟୋବରରେ ମୁକ୍ତିଲାଭ କରିବ। ଟାଇଗର-୩ ଚଳିତ ଦିପାବଳୀ ନଭେମ୍ବର ୧୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହେବ। ବଲିଉଡ଼ର ଭାଇଜାନ ସଲମାନ ଖାନ୍‌ଙ୍କ ଅଭିନିତ ଫିଲ୍ମ ଟାଇଗର-୩ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ। ଅକ୍ଟୋବର ୧୬ ତାରିଖରେ ଫିଲ୍ମର ଏକ ଦମଦାର ଟ୍ରେଲର ରିଲିଜ ହେବା ପରେ କ୍ୟାଟ୍ରିନା କୈଫ, ସଲମାନ ଖାଁ ଏବଂ ଇମ୍ରାନ ହାସମିଙ୍କ ଅଭିନୀତ ଫିଲ୍ମ ଏବେ ଖୁବ୍ ଚର୍ଚ୍ଚାରେ ରହିଛି।

Leave A Reply

Your email address will not be published.