Latest Odisha News

BREAKING NEWS

ଶକ୍ତିପୀଠର କାହାଣୀ: ଶ୍ରୀମନ୍ଦିର ଚତୁର୍ଭୁଜା ଦେବୀ ମା’ ବିମଳା

ଓଡିଶା ସମ୍ବାଦ ପକ୍ଷରୁ ସ୍ଵତନ୍ତ୍ର ଉପସ୍ଥାପନା “ଶକ୍ତିପୀଠର କାହାଣୀ”

ଭୁବନେଶ୍ଵର: ମା’ ଆସୁଛନ୍ତି । ଖୁସିରେ ନାଚୁଛି ଧର। । ହସୁଛି କାସତଣ୍ଡି ଫୁଲ । ଆରମ୍ଭ ହୋଇଛି ମା’ଙ୍କ ନବଦିନାତ୍ମକ ପୂଜା । ସମସ୍ତ ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା । ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ । ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପରିବେଶ । ଷୋଡ଼ଶ ଉପଚାରରେ ହେଉଛି ମାଆଙ୍କ ନୀତିକାନ୍ତି ।

ଚତୁର୍ଭୁଜା, ତ୍ରିନେତ୍ରା ମା ବିମଳା

ଶ୍ରୀମନ୍ଦିର ମଧ୍ୟରେ ଥିବା ଏକ ଶାକ୍ତ ମନ୍ଦିର ହେଉଛି ମା ବିମଳାଙ୍କ ମନ୍ଦିର । ମୂଳାଷ୍ଟମୀ ଅବସରରେ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ବିମଳାଙ୍କ ଷୋଡ଼ଶ ଦିନାତ୍ମକ ଶାରଦୀୟ ପୂଜା ପାରମ୍ପରିକ ରୀତିମତେ ଆରମ୍ଭ ହୋଇଥାଏ ଓ ଆଶ୍ୱିନ ଶୁକ୍ଳନବମୀ ପର୍ଯ୍ୟନ୍ତ ଚାଲେ । ଏହି ସମୟରେ ମହାସପ୍ତମୀ, ମହାଷ୍ଟମୀ, ମହାନବମୀ ଦିନ ଅର୍ଦ୍ଧରାତ୍ରି ସମୟରେ ଯେତେବେଳେ ମହାନିଶା ସମୟ ଆସିଥାଏ,ତିନି ଦିନ ସେହି ସମୟରେ ପଶୁପ୍ରୋକ୍ଷଣ ବା ବଳିଦାନ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ବିମଳାଙ୍କ ଷୋଳଦିନ ପୂଜା ଭିତରେ କୌଣସି ସ୍ତ୍ରୀଲୋକ ମନ୍ଦିର ଭିତରକୁ ଯାଆନ୍ତି ନାହିଁ ।

ଦେବୀ ଚତୁର୍ଭୁଜା, ତ୍ରିନେତ୍ରା, ଗଳାରେ ମୁଣ୍ଡମାଳାଧାରିଣୀ ଏବଂ ଅଷ୍ଟଦଳ ପଦ୍ମ ଉପରେ ଦଣ୍ଡାୟମାନା । ସେ ଉପର ଦୁଇଟି ହସ୍ତରେ ନାଗକନ୍ୟା,ଜପାମାଳୀ ଓ ଦେବକନ୍ୟା ଧାରଣ କରିଛନ୍ତି ଓ ନିମ୍ନ ହସ୍ତ ଦୁଇଟିରେ ଅଭୟ ମୁଦ୍ରା, ସୁଧାଭାଣ୍ଡ ଧାଋଣ କରିଛନ୍ତି । ଦେବୀଙ୍କ ଦୁଇ ପାର୍ଶ୍ୱରେ ଦୁଇଜଣ ଚଣ୍ଡୀ ଛାୟା ଦେବୀ ଓ ମାୟା ଦେବୀ ରହିଥାନ୍ତି । ଏତଦ୍ ବ୍ୟତୀତ ମନ୍ଦିରରେ ସପ୍ତମାତୃକା, ଦଶମହାବିଦ୍ୟା, ୪୪ ଯୋଗିନୀ ଆଦି ମଧ୍ୟ ପୂଜାପାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ

https://odishasambad.in/dussehra-2023-know-the-talcher-maa-hingula-temple-importance/

ପ୍ରତ୍ୟହ ଦେବୀ ଷୋଡଶ ଉପଚାରରେ ସକାଳ, ମଧ୍ୟାହ୍ନ ଏବଂ ସାୟଂ କାଳରେ ପୂଜିତା ହୁଅନ୍ତି । ତେବେ ବର୍ଷର ସମସ୍ତ ସମୟରେ ଦେବୀ ପରମବୈଷ୍ଣବୀ ଭାବେ ପୂଜା ପାଉଥିଲାବେଳେ ଶରତକାଳିନ ଦୁର୍ଗାପୂଜା ବେଳେ ମା କୌଳାଚାର ତନ୍ତ୍ର ଅନୁସାରେ କୌଳଭୈରବୀ ରୂପେ ପୂଜିତା ହୋଇଥାନ୍ତି । ଦେବୀଙ୍କ ସମସ୍ତ ଉତ୍ସବ ମଧ୍ୟରେ ଶାରଦୀୟ ଷୋଡଶ ଦିନାତ୍ମକ ରହସ୍ୟ ଦୁର୍ଗା ପୂଜା ଏବଂ ଶାକ୍ତ ଗୁଣ୍ଡିଚା ପ୍ରସିଦ୍ଧ । ଏହା ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀରୁ ଆରମ୍ଭ ହୋଇ ଶୁକ୍ଲପକ୍ଷ ଦଶମୀ ପର୍ଯ୍ୟନ୍ତ ଚାଲେ । ଏହି ସମୟରେ ସପ୍ତମୀ, ଅଷ୍ଟମୀ, ନବମୀ ଅର୍ଦ୍ଧରାତ୍ରୀ ସମୟରେ ମହାନିଶା ପୂଜା ଅନୁଷ୍ଠିତ ହୋଇଥାଏ ଯେଉଁଥିରେ ଦେବୀଙ୍କ ପାର୍ଶ୍ୱରେ ଥିବା ନାଗକନ୍ୟା ଓ ଦେବକନ୍ୟା ତଥା ଚଉଷଠି ଯୋଗିନୀଙ୍କୁ ଛାଗବଳି ଦିଆଯାଇଥାଏ ।

ଏହିନୀତି ଅର୍ଦ୍ଧରାତ୍ରରେ ପହୁଡ଼ ପଡ଼ିଲାପରେ ହୋଇଥାଏ, ବେଢ଼ାବାହାରେ ବଳି ଦିଆଯାଇ କେବଳ ଛାଗର ମସ୍ତକ ଭିତରକୁ ଅଣାଯାଇଥାଏ । କେବଳ ନିର୍ବାଚିତ କୌଳିକ ବ୍ରାହ୍ମଣମାନେ ଏହିନୀତି ସମ୍ପାଦନ କରିଥାନ୍ତି ଓ ଅନ୍ୟ କାହାକୁ ପ୍ରବେଶ ଅନୁମତି ଦିଆଯାଏ ନାହିଁ । ଷୋଳପୂଜାର ପ୍ରଥମ ଓ ଶେଷ ଚାରିଦିନ ଛାଡ଼ି ପ୍ରତ୍ୟେକ ଦିନ ବିମଳାଙ୍କୁ ବିଭିନ୍ନ ବେଶ କରାଯାଏ । ଷୋଳପୂଜାର ଦ୍ୱିତୀୟ ଦିନଠାରୁ ୧୨ଦିନ ପର୍ଯ୍ୟନ୍ତ ଯଥାକ୍ରମେ ଭୁବନେଶ୍ୱରୀ, ବନଦୁର୍ଗା, ରାଜରାଜେଶ୍ୱରୀ, ଉଗ୍ରତାରା, ମାତଙ୍ଗୀ, ବଗଳା, ନାରାୟଣୀ, ସିଂହବାହିନୀ, ଶୂଳଦୁର୍ଗା ଓ ହରଚଣ୍ଡୀ ବେଶ କରାଯାଏ ।

Leave A Reply

Your email address will not be published.