ନୂଆପଡ଼ା: କୋମନା ରେଞ୍ଜରେ ବନ ବିଭାଗର ବଡ଼ ଧରଣର ଚଢ଼ାଉ। ଚୋରାଚାଲାଣ ପୂର୍ବରୁ ଜବତ ହୋଇଛି ଏକ କଲରାପତରିଆ ବାଘର ଛାଲ। ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଓଡ଼ିଶା ବନ ଭିଜିଲାନ୍ସ ଓ କୋମନା ବନ ବିଭାଗର ମିଳିତ ଚଢ଼ାଉ ବେଳେ ଏହି ବାଘ ଛାଲ ଜବତ ହୋଇଥିଲା। ବିକ୍ରି ପାଇଁ ସଉଦା ଚାଲିଥିବା ସମୟରେ ଚଢ଼ାଉ କରାଯାଇ ଛାଲଟିକୁ ଜବତ କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।
ଗିରଫ ଦୁଇ ଅଭିଯୁକ୍ତ ହେଲେ କୁମୁଟିମୁଣ୍ଡାର ଇନାୟତ ଅଲ୍ଲୀ ଏବଂ ବରକୋଟର ମନୋଜ କୁମାର ସାହୁ। ଜବତ ହୋଇଥିବା ବାଘ ଛାଲର ଲମ୍ବ ପ୍ରାୟ ୧୨୨ ସେଣ୍ଟିମିଟର ରହିଛି। ବନ ବିଭାଗର ପ୍ରାଥମିକ ସୂଚନା ଅନୁସାରେ, ବାଘଟିକୁ ଆଘାତ କରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ର ଧାରା ୫୧ ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।
କୋମନା ରେଞ୍ଜ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ଏନେଇ ସୂଚନା ଦେଇଛନ୍ତି। ବାଘ ଛାଲ ଚୋରା କାରବାର ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି, ତାହା ନେଇ ବନ ବିଭାଗର ତଦନ୍ତ ଜାରି ରହିଛି।

