ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…
ଦୀର୍ଘ ଆଠ ମାସରୁ ଅଧିକ ସମୟ ଧରି ରାଜ୍ୟର ବିଦ୍ୟାଳୟ ଗୁଡ଼ିକରେ ପାଠପଢା ବାଧାପ୍ରାପ୍ତ ହୋଇଛି । ଅନଲାଇନ ଶିକ୍ଷାର ଲାଭ ୭୦ ପ୍ରତିଶତ ପାଖାପାଖି ପିଲା ପାଉ ନାହାନ୍ତି । ପୁଣି କୋଉଠି କଣ ପଢା ହେଉଛି, କିଏ ପଢାଉଛି, ତାର କିଛି ବି ହିସାବ ନାହିଁ । ରାଜ୍ୟର ସ୍କୁଲଗୁଡ଼ିକ ଅବ୍ୟବହୃତ ଭାବେ ଦୀର୍ଘ ଦିନ ପଡ଼ି ରହିବା ପରେ ଅରମା ବୁଦାରେ ପରିଣତ ହେବା ନେଇ ବି ରିପୋର୍ଟ ଆସୁଛି ।
ଏମିତି ଏକ ଅବସ୍ଥାରେ ସରକାର ରାଜ୍ୟର ୭୭୭୨ଟି ସ୍କୁଲକୁ ବନ୍ଦ କରିଦେବା ପାଇଁ ନିଷ୍ପତ୍ତି ନେଲେ । ଏହି ସଂଖ୍ୟାଟିକୁ ଆପଣ ଟିକେ ଦେଖନ୍ତୁ । ୭୭୭୨ । ଏତେ ସ୍କୁଲ ଏକାଥରେ ବନ୍ଦ ହୋଇଯିବ । ସରକାର କିନ୍ତୁ ବୁଲେଇ ବଙ୍କେଇ କହିଲେ ଯେ- ଏହା ବନ୍ଦ ହେବ ନାହିଁ, ଅନ୍ୟ ପାଖ ସ୍କୁଲ ସାଙ୍ଗରେ ମିଶିବ । ପାଖ ସ୍କୁଲ ସାଙ୍ଗରେ ମିଶିବାର ଅର୍ଥ ଯେ, ପୁରୁଣା ବିଦ୍ୟାଳୟଟି ଆଉ ଖୋଲିବ ନାହିଁ । ବନ୍ଦ ରହିବ ଚିରକାଳ, ସବୁଦିନ ପାଇଁ ।
କୌଣସି ଗୋଟିଏ ଜନମଙ୍ଗଳ ରାଷ୍ଟ୍ରରେ ମୌଳିକ ଆବଶ୍ୟକତା ମଧ୍ୟରୁ ଶିକ୍ଷା ଅନ୍ୟତମ । କିନ୍ତୁ ସରକାର ତାହା ଉପରେ ଆଦୌ ଗୁରୁତ୍ୱ ଦେଲା ପରି ଜଣାପଡ଼ୁ ନାହିଁ । ଅପହଞ୍ଚ ଇଲାକାରେ, ପିଲାଙ୍କ ପାଖରେ ଶିକ୍ଷା ପହଞ୍ଚିବା କଥା । କିନ୍ତୁ ଏଠାରେ ଓଲଟା କାମ ହେଉଛି । ଫଳରେ ପିଲାଙ୍କୁ ଦୂର ସ୍ଥାନକୁ ଯିବାକୁ ପଡ଼ିବ । ସେମାନେ ନଦୀନାଳ ପାରି ହୋଇ ଅନ୍ୟ ଗାଁ ସ୍କୁଲକୁ ଯିବେ ।
ରାଜ୍ୟର ଏକ ହିସାବ ଅନୁସାରେ, ପାଖାପାଖି ୧୧ ଲକ୍ଷ ପିଲା ପ୍ରଥମ ଶ୍ରେଣୀରେ ପ୍ରତିବର୍ଷ ନାମ ଲେଖାଉଛନ୍ତି । କିନ୍ତୁ ସେଥିମଧ୍ୟରୁ ପ୍ରାୟ ୫ ଲକ୍ଷରୁ କିଛି ଅଧିକ ପିଲା ମ୍ୟାଟ୍ରିକ ପରୀକ୍ଷା ଦେଉଛନ୍ତି । ବାକି ଛଅ ଲକ୍ଷ ପିଲା ଗଲେ କୁଆଡ଼େ? ସେମାନଙ୍କ ହିସାବ କିଏ ରଖିଛି? ପିଲାମାନେ ଅଧାରୁ ପାଠ ଛାଡ଼ିବା ପଛର କାରଣ କଣ? ସେମାନଙ୍କୁ ବିଦ୍ୟାଳୟ ପରିସରକୁ ଫେରାଇ ଆଣିବା ପାଇଁ କି ଉଦ୍ୟମ ହେଉଛି? ପୁଣି ଅନେକ ପିଲା ସରକାରୀ ବିଦ୍ୟାଳୟ ଛାଡ଼ି ବେସରକାରୀ ବିଦ୍ୟାଳୟ ବା ଘରୋଇ ବିଦ୍ୟାଳୟରେ ନାମ ଲେଖାଉଛନ୍ତି ।
ରାଜ୍ୟରେ ଘରୋଇ ବିଦ୍ୟାଳୟ ବେପାର ଖୁବ ଲାଭଦାୟକ । ଗାଁ ଗଣ୍ଡାରେ, ଅପନ୍ତରା ଇଲାକାରେ ଏବେ ଘରୋଇ ସ୍କୁଲ ଖୋଲି ଗଲାଣି । ସେଥିରେ ପୁଣି ଭରପୁର ପିଲା ରହୁଛନ୍ତି । ପିଲାଙ୍କଠାରୁ ଆଦାୟ ହେଉଥିବା ଅର୍ଥରେ ତ ସେ ସ୍କୁଲ ଚାଲୁଥିବ । ଯଦି ଏତେ ପିଲା ପଢୁଛନ୍ତି, ପିଲାଙ୍କ ଆଦାୟ ଅର୍ଥରେ ସେ ସ୍କୁଲ ପିଲାଙ୍କ ନେବା ଆଣିବା ପାଇଁ ବସ୍, ଅନ୍ୟାନ୍ୟ ଗାଡ଼ି ଆଦି କିଣି ପାରୁଛନ୍ତି- ସରକାରୀ ସ୍କୁଲରେ କି ସମସ୍ୟା ରହୁଛି?
ସରକାରୀ ସ୍କୁଲରେ ପାଠପଢା ସମସ୍ୟା, ଗୁଣବତ୍ତା କଥା କିଏ ଦେଖୁଛି କି କେବେ? ସ୍କୁଲ ବନ୍ଦ ହେବା ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ବି ଅଜବ ଯୁକ୍ତି ରଖୁଛନ୍ତି- ସ୍କୁଲ ମିଶିଗଲେ, ଗୋଟିଏ ସ୍କୁଲରେ ବେଶି ପିଲା ହେଲେ, ତେଣିକି ଗୁଣବତ୍ତା ବଢିବ । ଗୁଣବତ୍ତା ପରଖିବା ପାଇଁ ଏଯାକେ କେଉଁ ଉପାୟଟି ବିଭାଗ ଆପଣାଇଛି, ତାହା ବିଭାଗୀୟ ମନ୍ତ୍ରୀ କି ସଚିବ କେହି ତ କହୁ ନାହାନ୍ତି ।
ରାଜ୍ୟର ସରକାରୀ ସ୍କୁଲ ଗୁଡ଼ିକର ପ୍ରଦର୍ଶନକୁ ଅଣଦେଖା କରି ୨୧୪ ବ୍ଲକରେ ଖୋଲିଥିବା ଆଦର୍ଶ ବିଦ୍ୟାଳୟର ପ୍ରଚାର ସରକାର ଚଳାଇଛନ୍ତି । ସେଠାକାର ଶିକ୍ଷକମାନେ ପୁଣି ନିର୍ଦ୍ଦିଷ୍ଟ ସଂଖ୍ୟାର ପିଲାଙ୍କୁ ପଢାଇ ସରକାରୀ ସ୍କୁଲ ଶିକ୍ଷକଙ୍କଠାରୁ ଅଧିକ ଦରମା ପାଉଛନ୍ତି । ରାଜ୍ୟର ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ଏଥର ମୋଟ ୫୦୦୦ ପାଖାପାଖି ପିଲା ପରୀକ୍ଷା ଦେଇଥିଲେ । ସେଥିରୁ ୧୦୦୦ରୁ ଅଧିକ ପିଲା ଫେଲ୍ ହେଲେ । ତେଣୁ ଏଡ଼େ ବଡ଼ ବଡ଼ ଘର ତିଆରି କରି, ଶିକ୍ଷକଙ୍କୁ ମୂଳରୁ ନିୟମିତ କରି, ଅଧିକ ଦରମା ଦେଇ ଓ ପ୍ରଚାର କରି କି ଲାଭଟା ମିଳୁଛି?
ରାଜ୍ୟର ସରକାରୀ ସ୍କୁଲ ଗୁଡ଼ିକୁ ଅଣଦେଖା କରିବା ଯେମିତି ନିୟମିତ ଅଭ୍ୟାସରେ ପଡ଼ିଗଲାଣି । ଶିକ୍ଷକ ପଦବୀ ଫାଙ୍କା, ପ୍ରଧାନଶିକ୍ଷକ ନାହାନ୍ତି, ଘର ନାହିଁ, କିଛି ନାହିଁ । କିନ୍ତୁ ଆଦର୍ଶ ବିଦ୍ୟାଳୟ କଥା ଆସିଲେ ନିୟମିତ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରି ଆସୁଛି । ଯେଉଁ ସ୍କୁଲ ଗୁଡ଼ିକ ଲକ୍ଷ ଲକ୍ଷ ପିଲାଙ୍କୁ ପଢାଉଛନ୍ତି, ସେମାନଙ୍କୁ ଗୁରୁତ୍ୱ ନ ଦେଇ, ସରକାର କେଇ ହଜାର ପିଲାଙ୍କ ଉପରେ ଗୁରୁତ୍ୱ ଦେବା ଠିକ ନୁହେଁ ।
ଅନଲାଇନ ଶିକ୍ଷାର ବିକଳ ଚିତ୍ର ଭୟଙ୍କର ଭାବେ ସାମ୍ନାକୁ ଆସୁଛି । ପିଲା ବଣ ପାହାଡ଼ ଟପି କୋଡ଼ିଏ ଚାଳିଶ କିଲୋମିଟର ଚାଲି ନେଟୱର୍କ ପାଇବା ପାଇଁ ଗଲା ଆଠ ମାସ ଧରି ସଂଘର୍ଷ କରିଛନ୍ତି । ପିଲା ଗଛ ଉପରେ ଚଢିଛନ୍ତି । ପିଲା ବିପଦସଂକୁଳ ଅବସ୍ଥାରେ ପାଣି ଟାଙ୍କି ଉପରେ ଚଢିଛନ୍ତି, ପାଠ ପଢିବାକୁ । ଘରେ ବୋଉର ସୁନା କାନଫୁଲ ବିକା ହୋଇ ଆଣ୍ଡ୍ରଏଡ଼୍ ଫୋନ କିଣା ହୋଇଛି, ପିଲା ପାଠ ପଢିବ ବୋଲି । ଅଭିଭାବକମାନେ ଫୋନ ଧରି ଘରୁ ବାହାରି ପାରି ନାହାନ୍ତି, ଫୋନ ଘରେ ରଖିଛନ୍ତି- କାରଣ ପିଲା ପଢିବ । ସବୁ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ହିଁ ଅକଥନୀୟ ଅସୁବିଧାରେ ପଡ଼ିଛନ୍ତି । ସେମାନେ ପାହାଡ଼ ଚଢିଛନ୍ତି, ଅନେକ ବାଟ ଚାଲିଛନ୍ତି, ନିଇତି ଚାଲିଛନ୍ତି, ନିଇତି କ୍ଲାସ ପାଇଁ ପାହାଡ଼ ଚଢିଛନ୍ତି । ପୁଣି ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୮ ଲକ୍ଷରୁ ଅଧିକ ପିଲା ଅନଲାଇନ ଶିକ୍ଷାରୁ ବଂଚିତ ହୋଇଛନ୍ତି । ୯୦ ପ୍ରତିଶତ ପିଲା ୪୦ ପ୍ରତିଶତ ପାଠ ଆଦୌ ପଢି ପାରି ନାହାନ୍ତି ।
ପରେ ସରକାର କହିଲେ ‘ଶିକ୍ଷା ସଂପର୍କ’ ଆରମ୍ଭ ହେବ । ଶିକ୍ଷକମାନେ ଏଣିକି ଗାଁ ଗାଁ ଯାଇ ପଢାଇବେ । ସେପ୍ଟେମ୍ବରରୁ ତାହା ଆରମ୍ଭ ହେବ ବୋଲି ଘୋଷଣା ହେଲା । ମାତ୍ର କାର୍ଯ୍ୟକାରୀ ହେଲାନାହିଁ । ଶିକ୍ଷକମାନେ ନିଜ ଘରେ, ସୁରକ୍ଷିତ ଜାଗାରେ ରହି ଆପଣା ଦାମୀ ମୋବାଇଲ ଜରିଆରେ ପାଠ ପଢାଇଲେ । କିନ୍ତୁ କଷ୍ଟ ଭୋଗିଲେ ପିଲାଏ । ସେମାନେ ଜଙ୍ଗଲ, ପାହାଡ଼, ନଈ, ଝରଣା ସବୁ ପାର କଲେ । ହେଲେ ଶିକ୍ଷକଙ୍କୁ ଗାଁକୁ ପଠାଇବାକୁ ସରକାର ମନ କଲେ ନାହିଁ କିମ୍ବା କଣ ଅସୁବିଧା ହେଲା, ତାହା ସରକାର ନିଜେ ଭଲ ଭାବେ ଜାଣିଥିବେ ।
ଛାତ୍ରଛାତ୍ରୀଙ୍କର କୌଣସି ସରକାରୀ ସାମାଜିକ ସୁରକ୍ଷା ନାହିଁ । ଅଧିକାଂଶ ପିଲାଙ୍କ ବାପା ତ ନିଇତି ଖଟିଲେ, ସଂଜକୁ ଚୂଲି ଜଳୁଥିବ । ସେମାନଙ୍କର ନା ଜୀବନ ବୀମା ଅଛି ନା ସରକାରୀ ଭାବେ କୌଣସି ଅନ୍ୟାନ୍ୟ ସୁବିଧା । କିନ୍ତୁ ସେମାନେ ଜୀବନକୁ ବାଜି ଲଗେଇଲେ ପାଠ ପଢିବାକୁ । ଇଆଡ଼େ ବସ ଚାଲିଲା, ରାଜ୍ୟରେ ସବୁ ଆଡ଼େ ଯିବା ଆସିବା ସୁବିଧା ହେଲା । କଟକଣା କୋହଳ ହେଲା । କିନ୍ତୁ ଶିକ୍ଷକ ଗାଁକୁ ଗଲେ ନାହିଁ ।
ଏଇଠି କହି ରଖିବା ନିହାତି ଜରୁରି- ଶିକ୍ଷକମାନଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା ଅଛି । ପ୍ରାୟ ସମସ୍ତ ଶିକ୍ଷକ ମୋଟା ଅଙ୍କର ଜୀବନବୀମା କରିଥିବେ । ତାଙ୍କ ପାଖରେ ବାଇକ୍, ଗାଡ଼ି ଅଛି । ସରକାର ପୁଣି ତାଙ୍କ ପଛରେ ଅଛି । ତାଙ୍କ ସଙ୍ଗଠନ ବେଶ ଶକ୍ତ ଆଉ ପ୍ରଭାବଶାଳୀ । ମାସକୁ ମାସ ସେମାନଙ୍କୁ ଭଲ ସରକାରୀ ଦରମା ମିଳୁଛି । କିନ୍ତୁ ସେମାନେ ଗାଁକୁ ଗଲେ ନାହିଁ । ପିଲାଙ୍କୁ ଚଲେଇଲେ । ଏଇ କେମିତି ବ୍ୟବସ୍ଥା ଓ ଇଏ କି ପ୍ରକାର ଶୋଷଣ? ଯଦି ଅଙ୍ଗନବାଡ଼ି ଦିଦି, ଆଶା ଦିଦି, ବ୍ଲକ କର୍ମଚାରୀ, ଜିଲ୍ଲା କର୍ମଚାରୀ ଗାଁ ଗାଁ ବୁଲୁଛନ୍ତି, ଶିକ୍ଷକମାନେ ଯିବାରେ ଅସୁବିଧା କୋଉଠି?
ତେଣୁ ଏ ସବୁ ପ୍ରହସନ ବନ୍ଦ ହେଉ । ଶିକ୍ଷକମାନେ ସ୍କୁଲ ଯାଇ ଗାଁ ଗାଁକୁ ବୁଲି ପଢାନ୍ତୁ । ସରକାର ସ୍କୁଲ ବନ୍ଦ କରିବା ନିଷ୍ପତ୍ତିରୁ ଓହରନ୍ତୁ । ବରଂ ଗୁଣାତ୍ମକ ଶିକ୍ଷା କେମିତି ଦେଇ ହେବ, ତା’ ଉପରେ ମାନସମନ୍ଥନ ଆରମ୍ଭ ହେଉ । ସ୍କୁଲ ବନ୍ଦ ହେବା ଉପରେ ଆଦୌ ନୁହେଁ ।
ଇମେଲ୍: jpm.iimc@gmail.com
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।