Latest Odisha News

BREAKING NEWS

ପିଇବା ନାହିଁ ନେତାଙ୍କ ବିଷପଣା..

ଚିତ୍ତ ମହାପାତ୍ରଙ୍କ ବିରକ୍ତ ବଚନ

କୌଣସି ରାଜନୈତିକ ଦଳର ନୀତି, ଗୁଣ, ଆଦର୍ଶ,କାର୍ଯ୍ୟକ୍ରମ ଯଦି ଅନ୍ୟକୁ ଭଲ ନଲାଗେ ଓ ତାକୁ ସେ ଗ୍ରହଣ କରିପାରନ୍ତି ନାହିଁ ଓ ବର୍ଷ ବର୍ଷ ଧରି ବିରୋଧ କରନ୍ତି । ତେବେ ବୁଝିବାକୁ ହେବ ଯେ ଉଭୟ ଉଭୟଙ୍କର ବିରୋଧୀ । ଦୁଇ ବିପରୀତମୁଖି ବିରୋଧୀ ଯେତେବେଳେ ଏକତ୍ରିତ ହେବେ ସେତେବେଳେ ଉଭୟଙ୍କ ଭିତରେ ଏକ ବୁଝାମଣା ହୋଇଗଲା ବୋଲି ସ୍ପଷ୍ଟ ହୁଏ । ସେଇ ବୁଝାମଣା କେବଳ ସେଇ ଦୁହିଁଙ୍କର ବ୍ୟକ୍ତି ସ୍ୱାର୍ଥ ଚରତାର୍ଥ ନିମନ୍ତେ । କେବଳ କ୍ଷମତା ଆସନର ଲୋଭ । ମାତ୍ରାଧିକ କ୍ଷମତାର ନିଶା ଯେତେବେଳେ ମଣିଷକୁ ଗ୍ରାସ କରିବ, ସେ ଅନ୍ଧଭାବେ ଆଦର୍ଶ, ଗୁଣ, ନୀତି ନୈତିକତାକୁ ଜଳାଞ୍ଜଳି ଦେବ ହିଁ ଦେବ । ଲୋକେ ସେମାନଙ୍କୁ ନୀତିହୀନ ବା ନୀତି ଭ୍ରଷ୍ଟ ବୋଲି ଅଭିହିତ କରନ୍ତି । ଜ୍ଞାନର ଗ୍ରନ୍ଥ ବା ଶାସ୍ତ୍ର କହେ ଯେ, ନୀତି ନୈତିକତା ହୀନ ମଣିଷ କ୍ଷମତା, ଲାଭ ଓ ଲୋଭ ମୋହରେ ଯାହା କରେ ତାହା କେବଳ ତାର ଉପର ଠାଉରିଆ, ତାହା ଉପର ଶରୀରରେ ସୀମାବଦ୍ଧ । ତାହା ତୁଣ୍ଡ ଏବଂ ମୁଁହରେ କେବଳ ଲୋକ ଦେଖାଣିଆ । ହେଲେ ଭିତରେ,ରକ୍ତରେ ସଂଚରିତ ମୂଳ ନୀତି,ଗୁଣ, ଅନ୍ୟ ଗୁଣ ଓ ନୀତି ସହ ସହଜରେ ସଂଯୋଗ ହୋଇ ପାରେ ନାହିଁ। ସେଥିପାଇଁ ମହାପୁରୁଷଗଣ କହିଯାଇଛନ୍ତି ନୀତି ଆଦର୍ଶରେ ସାଲିସ ବା ବୁଝାମଣା କରିବା ଦ୍ୱାରା ସମୃକ୍ତ ବ୍ୟକ୍ତି ବିଶେଷଙ୍କର ମଣିଷତ୍ବ ଯେ କେବଳ ହ୍ରାସ ପାଏ ନାହିଁ ବରଂ ସମ୍ପୃକ୍ତ ମଣିଷର ଶରୀର, ଶିଥିଳ ଓ ସଙ୍କୁଚିତ ହୋଇଯାଏ। ମସ୍ତିଷ୍କର ଭିତର ସଂଘର୍ଷରେ ସମ୍ପୃକ୍ତ ମଣିଷ ନିଜର ଓ ସମାଜର ସର୍ବନାଶ
କରିପକାଏ ।

ତେବେ ସାମ୍ପ୍ରତିକ ପରିସ୍ଥିତିରେ ଯେଉଁ ରାଜନେତାଗଣ ନିଜ ନିଜ ଦଳର ନୀତି ଆଦର୍ଶକୁ ଶ୍ରେଷ୍ଠ କୁହାଇ ଘଣ୍ଟ ପିଟୁଥିଲେ ବା କୁହାଟ ପକାଉଥିଲେ ସେମାନେ ରାତିଏ ଭିତରେ ବିପରୀତ ମୁଖିନୀତି ଆଦର୍ଶକୁ କିପରି ଫେଣ୍ଟା ଫେଣ୍ଟି କରି ପଣା କରି ପିଇଲେ ?? ସେମାନେ ତ ପିଇଲେ.. ପିଇଲେ.. ହେଲେ ସହସ୍ର ଜନତାଙ୍କୁ ସେଇ ବିଷ ପଣା ପିଇବା ପାଇଁ କାହିଁକି ପ୍ରବର୍ତ୍ତାଇବେ !! ଯେବେ ଆଦିମ ମଣିଷ ସମାଜ ଅଶିକ୍ଷା ଭିତରେ ଥିଲେ ଏବଂ ସୂଚନାହୀନ ଭାବେ ବଞ୍ଚୁଥିଲେ ସେତେବେଳେ ସେମାନେ ଏପରି ନେତାଙ୍କର କରାଳ କାରନାମାକୁ ବୁଝିପାରୁନଥିଲେ I ହେଲେ ଏବେ ସମାଜ ଶିକ୍ଷିତ ହୋଇଛି। ଖବର କ୍ଷଣିକରେ ସଞ୍ଚରିତ ହେଉଛି କାନରୁ କାନକୁ । ତେଣୁ ବର୍ତ୍ତମାନର ସମାଜ ସମ୍ମୁଖରେ ଚିନ୍ତା କରି ନିଷ୍ପତ୍ତି ନେବା ପାଇଁ ଅଜସ୍ର ଖୋରାକ ରହିଛି । ଯଦି ଜଣେ ନେତା ନିଜେ ଆଦର୍ଶ ଓ ନୀତିକୁ ଜଳାଞ୍ଜଳି ଦେଇ ମଣିଷତ୍ବ ହରାଉଛନ୍ତି ବା ଫେଣ୍ଟା ଫେଣ୍ଟି ବିଷ ପଣା ପାନ କରୁଛି ତେବେ ସେମାନଙ୍କ ସେହି ବିଷ ପଣାକୁ ସାମାଜିକ ମଣିଷ ପାନ କରିବାର ସମୟ ଅତୀତ ଭଳି ଆଉ ନାହିଁ । ତେଣୁ ସେଥିରୁ ନିବୃତ ରହିଲେ ହିଁ ସମାଜ ସୁନ୍ଦର ହେବ ଏବଂ ଉତ୍ତରପୀଢ଼ି ଶାନ୍ତି ଲାଭ କରିବ, ଈଶ୍ୱର ଖୁସି ହେବେ।

Leave A Reply

Your email address will not be published.