Latest Odisha News

BREAKING NEWS

ଆଜିଠୁ ବର୍ଷା: ବଜ୍ରପାତ ଓ ଝଡ଼ ତୋଫାନ ନେଇ ୬ ଜିଲ୍ଲାକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ଆଣିଛି କାଳବୈଶାଖୀ। ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡିଶାର ସମସ୍ତ ଜିଲ୍ଲାରେ ପାଗରେ ପରିବର୍ତ୍ତନ ଆସିଛି। କାଳବୈଶାଖୀ ବର୍ଷା କାରଣରୁ ପ୍ରଚଣ୍ଡ ତାତିରୁ ଆଶ୍ୱସ୍ତି ମିଳିଛି। ୯ ତାରିଖ ଯାଏ ବର୍ଷା ସମ୍ଭାବନା ଥିବାରୁ ତାପମାତ୍ରା ଆହୁରି କମ ହେବାର ସମ୍ଭାବନା ରହିଛି । ତେବେ ବର୍ଷା ସାଙ୍ଗକୁ ବଜ୍ରପାତ ଓ ଝଡ଼ତୋଫାନର ଆଶଙ୍କା ମଧ୍ୟ ରହିଛି । ଏନେଇ ୬ ଜିଲ୍ଲାକୁ ଅରେଞ୍ଜ ଏବଂ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବା ଆଶଙ୍କା କରାଯାଉଛି । ଫଳରେ ସମୂଦ୍ର ଅଶାନ୍ତ ଯୋଗୁ ୬ରୁ ୮ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୂଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ୯ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ଓ ବର୍ଷା ନେଇ ଚେତାବନୀ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ଗଞ୍ଜାମ, ଗଜପତି, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ ଆଜିଠାରୁ ବର୍ଷାର ବିସ୍ତୃତି ବଢିବ। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଦିନ ତାପମାତ୍ରା ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଦକ୍ଷିଣ ଝାଡ଼ଖଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଓ ଓଡ଼ିଶା ଉପର ଦେଇ ଲମ୍ବିଥିବା ଟ୍ରାପ ଲାଇନ ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ହୋଇଛି। ଅନ୍ୟପଟେ ବଜ୍ରପାତ, ବିଜୁଳି ଘଡଘଡ଼ିକୁ ନେଇ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

Leave A Reply

Your email address will not be published.